ଆଇଟି ରେଡର ଫିଲ୍ମି କାହାଣୀ, ୧୨୦ ଗାଡ଼ିରେ ଲାଗିଥିଲା ଦୁଲହନ୍ ହମ୍ ଲେ ଜାୟେଙ୍ଗେର ଷ୍ଟିକର

ମୁମ୍ବାଇ: ୨୬୦ ବରଯାତ୍ରୀ, ୧୨୦ ଗାଡ଼ିରେ ଦୁଲହନ୍ ହମ୍ ଲେ ଜାୟେଙ୍ଗେର ଷ୍ଟିକର । ମହାରାଷ୍ଟ୍ର ଜଲନାରେ ବ୍ୟବସାୟୀଙ୍କ ଘରେ ଆୟକର ରେଡର କାହାଣୀ ବେଶ୍ ଫିଲ୍ମି । ବ୍ୟବସାୟୀଙ୍କ ଘରେ ବେନାମୀ ସଂପତ୍ତିର ପାହାଡ଼ ଥିବା ନେଇ ପକ୍କା ଖବର ପାଇବା ପରେ, ରେଡ୍ ପାଇଁ ପ୍ଲାନିଂ ଆରମ୍ଭ କରିଥିଲା ଆୟକର ବିଭାଗ । ନାସିକ, ପୁନେ, ଥାନେ ଓ ମୁମ୍ବାଇର ୨୬୦ ଅଧିକାରୀଙ୍କୁ ରେଡରେ ସାମିଲ କରାଯାଇଥିଲା । ରେଡର ଖବର ଯେପରି ଲିକ୍ ନ ହେବ, ସେଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ରଖାଯାଇଥିଲା ।

ରେଡରେ ବ୍ୟବହାର ହେବାକୁ ଥିବା ସବୁ ଗାଡ଼ିରେ ଲାଗିଥିଲା ସମାନ ପ୍ରକାରର ଷ୍ଟିକର । ଆୟକର ବିଭାଗର କର୍ମଚାରୀ ଓ ଅଧିକାରୀ ରେଡ୍ ନୁହେଁ ବରଂ କାହା ବିବାହ ଉତ୍ସବରେ ଯୋଗ ଦେବାକୁ ଯାଉଥିବା ଭଳି ଯେପରି ଲାଗିବ, ସେଥିପାଇଁ ଏପରି ବ୍ୟବସ୍ଥା କରାଯାଇଥିଲା । ସବୁ ଗାଡ଼ିର କୋଡ୍ ଓ୍ୱାର୍ଡ ଥିଲା ଦୁଲହନ୍ ହମ୍ ଲେ ଜାୟେଙ୍ଗେ । ଜଲାନା ପହଞ୍ଚିବା ପରେ ବ୍ୟବସାୟୀଙ୍କ ଘର, ଅଫିସ୍, କାରଖାନାରେ ରେଡ୍ ଆରମ୍ଭ କରିଥିଲେ ଆୟକର ଅଧିକାରୀ ଓ କର୍ମଚାରୀ । ଅଗଷ୍ଟ ୧ରୁ ୮ ତାରିଖ ମଧ୍ୟରେ ହୋଇଥିବା ରେଡରେ ୩୯୦ କୋଟିର ବେନାମୀ ସଂପତ୍ତିର ଖୁଲାସା ହୋଇଛି । ଟଙ୍କା ଗଣିବାକୁ ୧୩ ଘଣ୍ଟା ସମୟ ଲାଗିଥିଲା ।