ଲେବାନନ ଉପରେ ଇସ୍ରାଏଲର ଭୀଷଣ ଆକ୍ରମଣ

ଇସ୍ରାଏଲ୍ : ଲେବାନନ ଉପରେ ଇସ୍ରାଏଲର ପୁଣି ଭୀଷଣ ହମଲା। ରାଜଧାନୀ ବେରୁତ ଉପରେ ଏୟାର ଷ୍ଟ୍ରାଇକ କରିଛି ଇସ୍ରାଏଲର ସେନା ଆଇଡିଏଫ୍। ଆକ୍ରମଣରେ ଲେବାନନରେ ସକ୍ରିୟ ଆତଙ୍କୀ ସଂଗଠନ ହିଜବୁଲ୍ଲାର ଡ୍ରୋନ ୟୁନିଟ୍ ମୁଖ୍ୟ ମହମ୍ମଦ ସରୁରକୁ ଟାର୍ଗେଟ କରାଯାଇଥିଲା। ଆକ୍ରମଣରେ ମହମ୍ମଦ ସରୁରୁର ମୃତ୍ଯୁ ହୋଇଥିବା ଜଣାପଡ଼ିଛି । ଏହି ଆକ୍ରମଣ ବେରୁତର ଦକ୍ଷିଣର ଥିବା ଦହିହ ଅଂଚଳର ଏକ ବହୁତଳ କୋଠାର ସ୍ଵତନ୍ତ୍ର ମହଲାକୁ ଟାର୍ଗେଟ କରି କରାଯାଇଥିଲା । ଏହି ମହଲାରେ ହିଜବୁଲ୍ଲାର ଡ୍ରୋନ କମାଣ୍ଡର ଲୁଚିକି ରହିଥିବା କହିଛି ଇସ୍ରାଏଲ। ଆକ୍ରମଣ ସଫଳ ହୋଇଥିବା ଇସ୍ରାଏଲ ଆର୍ମି ରେଡିଓ ପକ୍ଷରୁ କୁହାଯାଇଛି। ଏହି ଆକ୍ରମଣରେ ଆଉ ୪ ଜଣଙ୍କ ମୃତ୍ଯୁ ହୋଇଥିବା ଜଣାପଡିଛି। ଏହି ବିଲ୍ଡିଂ ଉପରକୁ ୩ଟି ଅଲଗା ଅଲଗା ମିସାଇଲ ଆକ୍ରମଣ ହୋଇଥିଲା। ବେରୁତର ଦହିହ ଅଂଚଳ ହିଜବୁଲ୍ଲାର ଗଡ଼ ରୂପେ ପରିଗଣିତ ହେଉଛି। ଇସ୍ରାଏଲ ଆକ୍ରମଣର ମଧ୍ୟ କଡ଼ା ଜବାବ ଦେଇଛି ଲେବାନନ। ଇସ୍ରାଏଲ ଉପରେ ଏକାଧିକ ରକେଟ ମାଡ଼ କରିଛି ଲେବାନନ। ଇସ୍ରାଏଲର ମାଉଣ୍ଟ ମେରୋନ ଅଂଚଳରେ ରକେଟ ହମଲା ହୋଇଥିଲା। ପାଖାପାଖି ୪୦ ରକେଟକୁ ଠାବ କରିଥିଲା ଇସ୍ରାଏଲ ସେନା। ଗତ ମଙ୍ଗଳବାର ଦିନ ବେରୁତର ଏହି ଅଂଚଳରେ ହିଜବୁଲ୍ଲାର ରକେଟ୍ ହମଲା ମୁଖ୍ୟ ମହମ୍ମଦ କବିସିଙ୍କୁ ନିପାତ କରିଥିଲା ଆଇଡିଏଫ୍। ଗତ ଶୁକ୍ରବାର ଦିନ ହିଜବୁଲ୍ଲାର ଆତଙ୍କୀ ଅପରେସନ ମୁଖ୍ୟ ଇବ୍ରାହିମ ଅକିଲର ମୃତ୍ୟୁ ହୋଇଥିଲା।