ଦେଶରେ ମୋଦି ଯାଦୁ ଏବେବି ଅଛି କି ? ଜାଣନ୍ତୁ କ’ଣ କହୁଛି ଦେଶ..

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ଦାମୋଦର ଦାସ ମୋଦିଙ୍କ ପ୍ରଦର୍ଶନ କେଉଁଭଳି ରହିଛି ? ୨୦୧୪ରୁ ଦେଶର ଲଗାମ ଧରିଥିବା ମୋଦିଙ୍କୁ ଏମିତିରେ ୨୦୧୯ରେ ବଡ ଜନାଦେଶ ମିଳିଥିଲା ତେବେ ରାଜନୀତିରେ ଗୋଟିଏ ବର୍ଷ ବଡ କାଳଖଣ୍ଡ । ଏମିତିରେ ଦେଶବାସୀ ୨୦୧୯ ଜନାଦେଶ ପରେ ମୋଦିଙ୍କୁ ନେଇ କ’ଣ ଭାବୁଛନ୍ତି ? ଏକଥା ଜାଣିବା ପାଇଁ ଆଜତକ୍ ଓ କାର୍ଭି ଇନସାଇଟସ ପକ୍ଷରୁ କରାଯାଇଥିବ ସର୍ଭେରୁ ମୋଦିଙ୍କ କାର୍ଯ୍ୟକାଳକୁ ନେଇ ଦେଶର ୭୮ ପ୍ରତିଶତ ନାଗରିକ ସନ୍ତୁଷ୍ଟ ଥିବା ଜଣା ପଡିଛି ।

୩୦ ପ୍ରତିଶତ ବହୁତ ଭଲ, ୪୮ ପ୍ରତିଶତଙ୍କ ନଜରରେ ଭଲ

ସର୍ଭେରେ ଲୋକଙ୍କୁ ପଚରା ଯାଇଥିଲା ଯେ, ପ୍ରଧାନମନ୍ତ୍ରୀ ଭାବେ ଆପଣ ନରେନ୍ଦ୍ର ମୋଦିଙ୍କ କାମକୁ କେଉଁଭଳି ଦେଖୁଛନ୍ତି ? ଏହାର ଉତ୍ତରରେ ୩୦ ପ୍ରତିଶତ ତାଙ୍କ କାମ ବହୁତ ଭଲ ବୋଲି କହିଥିଲେ । ଅନ୍ୟପକ୍ଷରେ ୪୮ ପ୍ରତିଶତ ଭଲ ବୋଲି କହିଥିଲେ । ଅର୍ଥାତ ୭୮ ପ୍ରତିଶତ ମୋଦିଙ୍କ କାମକୁ ନେଇ ସନ୍ତୁଷ୍ଟ ଅଛନ୍ତି । ତେବେ ୧୭ ପ୍ରତିଶତଙ୍କ ନଜରରେ ମୋଦିଙ୍କ କାମ ସାମାନ୍ୟ । ଅର୍ଥାତ ନା ଭଲ ନା ଖରାପ । ସେହିଭଳି ୫ ପ୍ରତିଶତ ମନେ କରନ୍ତି ଯେ, ମୋଦି ପ୍ରଧାନମନ୍ତ୍ରୀ ଭାବେ ଭଲ କାମ କରୁନାହାନ୍ତି ।

pm modi

ଅଗଷ୍ଟ ୨୦୨୦ରେ କରାଯାଇଥିବା ଏହି ସର୍ଭରେ ମୋଦିଙ୍କ କାମକୁ କେବଳ ଦେଶର ସବୁ ଭାଗ ନୁହେଁ ଅଧିକନ୍ତୁ ସବୁ ସମ୍ପ୍ରଦାୟ ଓ ସହର ତଥା ଗ୍ରାମାଞ୍ଚଳରେ ପ୍ରଶଂସା କରାଯାଉଛି । ଉତ୍ତର ଭାରତରେ ୭୫ ପ୍ରତିଶତ ମୋଦିଙ୍କ କାମକୁ ଅତି ଉତ୍ତମ ବୋଲି କହୁଥିବା ବେଳେ ଦକ୍ଷୀଣ ଭାରତରେ ୭୩ ପ୍ରତିଶତ ମୋଦିଙ୍କ କାମ ଭଲ ବୋଲି କହିଛନ୍ତି । ପୂର୍ବ ଭାରତର ୭୯ ପ୍ରତିଶତ ନାଗରିକ ମୋଦିଙ୍କ କାମ ଉପରେ ମୋହର ମାରିଛନ୍ତି । ଅନ୍ୟପକ୍ଷରେ ପଶ୍ଚିମ ଭାରତର ୮୩ ପ୍ରତିଶତ ମୋଦିଙ୍କୁ ଥମସ୍ ଅପ୍ ସାଇନ୍ ଦେଇଛନ୍ତି ।

୪୨ ପ୍ରତିଶତ ମୁସଲିମ୍ ମୋଦିଙ୍କ କାମକୁ କରୁଛନ୍ତି ପସନ୍ଦ

ମୁସଲିମ ସମ୍ପ୍ରଦାୟ ମଧ୍ୟରେ ବି ମୋଦିଙ୍କ ଲୋକପ୍ରିୟତା ବଢିଛି ।  ଦେଶର ୮୩ ପ୍ରତିିଶତ ହିନ୍ଦୁ ମୋଦିଙ୍କ କାମକୁ ନେଇ ସନ୍ତୁଷ୍ଟ ଥିବା ବେଳେ ୪୨ ପ୍ରତିଶତ ମୁସଲିମ୍ ତାଙ୍କ କାମକୁ ଭଲ ବୋଲି ମାନିଛନ୍ତି ।  ହିନ୍ଦୁ ଓ ମୁସଲିମଙ୍କୁ ଛାଡିଦେଲେ ଅନ୍ୟ ସମ୍ପ୍ରଦାୟର ୫୮ ପ୍ରତିଶତ ମୋଦିଙ୍କ କାମକୁ ତାରିଫ କରୁଛନ୍ତି ।  ସହରାଂଚଳର ୮୦ ପ୍ରତିଶତ ଓ ଗ୍ରାମାଞ୍ଚଳର ୭୮ ପ୍ରତିଶତ ମୋଦିଙ୍କ କାମକୁ ନେଇ ଖୁସୀ ଅଛନ୍ତି ।

୪ ବର୍ଷରେ ବଢିଛି ୨୫ ପ୍ରତିଶତ ଲୋକପ୍ରିୟତା

ଏହି ସର୍ଭେରେ ୧୨ ହଜାର ୨୧ଜଣ ଭାଗ ନେଇଥିଲେ । ଏମାନଙ୍କ ମଧ୍ୟରୁ ୬୭ ପ୍ରତିଶତ ଗ୍ରାମୀଣ  ଓ ବାକି ୩୩ ପ୍ରତିଶତ ସହରାଂଚଳର । ୧୯ ରାଜ୍ୟର ୯୭ ଲୋକସଭା ଓ ୧୯୪ ବିଧାନସଭା ସିଟର ଭୋଟର ଏହି ସର୍ଭେରେ ଭାଗ ନେଇଥିଲେ ।

୬ ବର୍ଷରେ ଲୋକପ୍ରିୟତାର ଶୀର୍ଷରେ

ମୋଦି ୨୦୧୪ରୁ ପ୍ରଧାନମନ୍ତ୍ରୀ ହେବା ପରଠାରୁ ଏଥର ସେ ସର୍ବାଧିକ ରେଟିଂ ପାଇଛନ୍ତି । ଜାନୁଆରି ୨୦୨୦ରେ ମୋଦି ସରକାରଙ୍କ କାର୍ଯ୍ୟକୁ ନେଇ ୬୮ ପ୍ରତିଶତ ସନ୍ତୁଷ୍ଟ ଥିଲେ । ଅଗଷ୍ଟରେ ଏହା ୭୮ ପ୍ରତିଶତ ହୋଇଛି ।  ଜାନୁଆରି ୨୦୧୯ରେ ଏହା ୫୪ ପ୍ରତିଶତ ଥିଲା । ଅଗଷ୍ଟ ୨୦୧୯ରେ ଥିଲା ୭୧ ପ୍ରତିଶତ । ସେହିଭଳି ଜାନୁଆରି ୨୦୧୮ରେ ଏହା ୬୧ ପ୍ରତିଶତ ଓ ଅଗଷ୍ଟ ୨୦୧୮ରେ ୫୫ ପ୍ରତିଶତ ଥିଲା ।  ୨୦୧୭ ଜାନୁଆରିରେ ଲୋକପ୍ରିୟତା ୬୯ ପ୍ରତିଶତ ଓ ଅଗଷ୍ଟରେ ୬୩ ପ୍ରତିଶତ ଥିଲା ।

Leave a Reply