ଆଜି ନାଇଟ ରାଇଡର୍ସକୁ ଭେଟିବ ହାଇଦ୍ରାବାଦ, ରିଙ୍କୁ ସିଂଙ୍କ ଉପରେ ରହିବ ନଜର

କୋଲକାତା: ଆଜି ଇଣ୍ଡିଆନ ପ୍ରିମିୟର ଲିଗରେ ଖେଳାଯିବ ଗୋଟିଏ ମ୍ୟାଚ୍ । ଆଜି ସନ୍ଧ୍ୟାରେ କୋଲକାତାର ଇଡେନ୍ ଗାର୍ଡେନରେ ମୁହାଁମୁହିଁ ହେବେ କୋଲକାତା ନାଇଟ ରାଇଡର୍ସ ଓ ସନ ରାଇଜର୍ସ ହାଇଦ୍ରାବାଦ । ଆଜି ମ୍ୟାଚରେ ବିଜୟଲାଭ କରି ହ୍ୟାଟ୍ରିକ୍ ବିଜୟ ଲକ୍ଷ୍ୟରେ କେକେଆର । ଆଇପିଏଲ ଇତିହାସରେ ଉଭୟ ଦଳ ୨୩ ଥର ମୁହାଁମୁହିଁ ହୋଇଛନ୍ତି । ସେଥିମଧ୍ୟରୁ କୋଲକାତା ୧୫ଟି ମ୍ୟାଚରେ ବିଜୟ ଲାଭ କରିଥିବାବେଳେ ହାଇଦ୍ରାବାଦ ୮ଟି ମ୍ୟାଚରେ ବିଜୟ ଲାଭ କରିଛି ।

ଚଳିତ ଆଇପିଏଲରେ ପ୍ରଥମ ମ୍ୟାଚରେ ପଞ୍ଜାବ କିଙ୍ଗ୍ସଠାରୁ ପରାସ୍ତ ହେବା ପରେ ଦମଦାର ପ୍ରଦର୍ଶନ ଜାରି ରଖିଛି କୋଲକାତା । ପ୍ରଥମ ମ୍ୟାଚରେ ପରାଜୟ ପରେ ପରବର୍ତ୍ତୀ ଦୁଇଟି ମ୍ୟାଚରେ ଦମଦାର ବିଜୟ ହାସଲ କରିଛି କେକେଆର । ତେବେ ଆଜିର ମ୍ୟାଚରେ ମଧ୍ୟ ବିଜୟ ଧାରା ଜାରି ରଖି ଲଗାତର ତୃତୀୟ ବିଜୟ ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ କୋଲକାତା । ତେବେ ଆଜିର ମ୍ୟାଚ କୋଲକାତାର ଘରୋଇ ଗ୍ରାଉଣ୍ଡରେ ଖେଳାଯାଉଥିବାରୁ ଏହି ଗ୍ରାଉଣ୍ଡ ଘରୋଇ ଦଳକୁ ସୁହାଇ   ବ । ଅନ୍ୟପକ୍ଷରେ ଆଜି ଇଡେନ୍ ଗାର୍ଡେନରେ ଜଲଓ୍ୱା ଦେଖାଇପାରନ୍ତି କୋଲକାତା ସ୍ପିନର ।

ଅନ୍ୟପଟେ ଆଜିର ମ୍ୟାଚରେ ସନ ରାଇଜର୍ସ ହାଇଦ୍ରାବାଦର ମନୋବଳ ମଧ୍ୟ ସୁଦୃଢ଼ ରହିଛି । ପୂର୍ବ ମ୍ୟାଚରେ ହାଇଦ୍ରାବାଦ ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରି ପ୍ରଥମ ବିଜୟ ହାସଲ କରିଥିଲା । ଆଜିର ମ୍ୟାଚରେ କୋଲକାତାକୁ ପରାସ୍ତ କରି ଏହି ବିଜୟଧାରାକୁ ଜାରି ରଖିବାକୁ ଚେଷ୍ଟା କରିବ ହାଇଦ୍ରାବାଦ । ତେବେ ଆଜିର ମ୍ୟାଚରେ କୋଲକାତାକୁ ରୋକିବାକୁ ହେଲେ ରିଙ୍କୁ ସିଂଙ୍କ ପାଇଁ ହାଇଦ୍ରାବାଦକୁ ସ୍ୱତନ୍ତ୍ର ରଣନୀତି କରିବାକୁ ପଡ଼ିବ । କାହିଁକି ପୂର୍ବ ମ୍ୟାଚରେ ରିଙ୍କୁ ଗୁଜରାଟ ବିପକ୍ଷରେ ଶେଷ ୫ ବଲରେ ୫ ଛକା ମାରି କେକେଆରକୁ ବିଜୟ ଭେଟି ଦେଇଥିଲେ ।