ପୁଣି ଫେରିଲା ଫଟାଫଟ କ୍ରିକେଟର ରୋମାଞ୍ଚ, ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ଚେନ୍ନାଇ ଓ କୋଲକାତା

1 min read

ମୁମ୍ବାଇ: ଆଜିଠାରୁ ଆରମ୍ଭ ହେବ ଆଇପିଏଲର ପଞ୍ଚଦଶ ସଂସ୍କରଣ । ଆଜି ଆଇପିଏଲର ପଞ୍ଚଦଶ ସଂସ୍କରଣର ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ଗତଥରର ବିଜେତା ଚେନ୍ନାଇ ସୁପର କିଙ୍ଗ୍ସ ଓ ଉପ-ବିଜେତା କୋଲକାତା ନାଇଡ ରାଇଡର୍ସ । ଏହି ମ୍ୟାଚ ଆଜି ସନ୍ଧ୍ୟା ୭ ଟା ୩୦ରେ ମୁମ୍ବାଇର ଓ୍ୱାଙ୍ଖେଡ ଷ୍ଟାଡିୟମରେ ଖେଳାଯିବ । ଏଥର ଆଇପିଏଲର ସବୁ ମ୍ୟାଚ୍ ମୁମ୍ବାଇ ଓ ପୁଣେରେ ହିଁ ଖେଳାଯିବ । ଚଳିତ ଆଇପିଏଲରେ ଟିମ୍ ସଂଖ୍ୟା ୮ରୁ ୧୦କୁ ବୃଦ୍ଧି କରାଯାଇଛି । ଗୁଜରାଟ ଟାଇଟାନ୍ସ ଓ ଲକ୍ଷ୍ନୌ ସୁପର ଜିଆଂଟସ୍ ହେଉଛନ୍ତି  ନୂଆ ଟିମ୍ । ୨୦୨୦ ସଂସ୍କରଣର ସଂପୂର୍ଣ୍ଣ ସିଜନରେ ୟୁଏଇରେ ଖେଳାଯାଇଥିଲା । ଯଦିଓ ୨୦୨୧ ଆଇପିଏଲ ସିଜିନ୍ ଘରୋଇ ମାଟିରେ ଆରମ୍ଭ ହୋଇଥିଲା କିନ୍ତୁ କରୋନା ମହାମାରୀ ପାଇଁ ସିଜିନର ଅବଶିଷ୍ଟ ମ୍ୟାଚ୍‌ ପୁଣି ୟୁଏଇରେ ଖେଳାଯାଇଥିଲା । କିନ୍ତୁ ୨୦୨୨ ଆଇପିଏଲର ପଞ୍ଚଦଶ ସଂସ୍କରଣ ସଂପୂର୍ଣ୍ଣ ଭାବେ ଘରୋଇ ଭେନ୍ୟୁରେ ଆୟୋଜିତ ହେବ । ସେଥିପାଇଁ ମୁମ୍ବାଇ ଓ ପୁଣେରେ ୪ଟି ଭେନ୍ୟୁ ଚୟନ କରାଯାଇଛି ।

ଚଳିତ ଆଇପିଏଲରେ ନୂଆ ଫର୍ମାଟରେ ଖେଳାଯିବ ୭୪ଟି ମ୍ୟାଚ୍ । ୧୦ଟି ଟିମକୁ ଦୁଇଟି ଗ୍ରୁପରେ ବିଭକ୍ତ କରାଯାଇଛି । ଗ୍ରୁପ ପର୍ଯ୍ୟାୟରେ ପ୍ରତି ଟିମ୍ ଖେଳିବେ ୧୪ଟି ମ୍ୟାଚ୍ । ଗୋଟିଏ ଗ୍ରୁପର ପ୍ରତି ଦଳ ସେହି ଗୃପର ଅନ୍ୟ ଦଳ ବିରୋଧରେ ହୋମ୍ ଓ ଆଓ୍ୱେ ଭିତ୍ତିରେ ଦୁଇଟି ଲେଖାଏଁ ମ୍ୟାଚ ଖେଳିବେ । ଆଉ ଅନ୍ୟ ଗ୍ରୁପର ୪ଟି ଦଳ ବିରୋଧରେ ଗୋଟିଏ ଲେଖାଏ ମ୍ୟାଚ ଖେଳିବେ  । ବାକି ଗୋଟିଏ ଟିମ୍ ବିରୋଧରେ ଦୁଇଟି ମ୍ୟାଚ୍ ଖେଳିବେ  । ଗ୍ରୁପ ଏ’ରେ ରହିଥିବା ଟିମ୍ ଗୁଡିକ ହେଲେ ମୁମ୍ବାଇ ଇଣ୍ଡିଆନସ, କୋଲକାତା ନାଇଟ ରାଇଡର୍ସ, ରାଜସ୍ଥାନ ରୟାଲସ୍, ଦିଲ୍ଲୀ କ୍ୟାପିଟାଲସ୍, ଓ ଲକ୍ଷ୍ନୌ ସୁପର ଜିଆଂଟସ୍  । ସେହିପରି ଗ୍ରୁପ ବି’ରେ ଚେନ୍ନାଇ ସୁପରକିଙ୍ଗସ, ସନରାଇଜର୍ସ ହାଇଦ୍ରାବାଦ, ରୟାଲ ଚାଲେଞ୍ଜର୍ସ ବେଙ୍ଗଳୁରୁ, ପଂଜାବ କିଙ୍ଗସ, ଗୁଜରାଟ ଟାଇଟାନ୍ସ ।

ଆଇପିଏଲକୁ ନେଇ ସମସ୍ତ ୧୦ଟି ଯାକ ଦଳର ଶିବିର ଏବେ ଚଳଚଞ୍ଚଳ ରହିଛି । ନେଟ୍ସରେ ଅଭ୍ୟାସ ସାଙ୍ଗକୁ ଦଳର ଏକାଦଶ ଚୟନ ଓ ରଣନୀତି ପ୍ରସ୍ତୁତି ଉପରେ ଫ୍ରାଞ୍ଚାଇଜମାନେ ଗୁରୁତ୍ୱ ଦେଉଛନ୍ତି । ସବୁଠୁ ବଡ଼ କଥା ହେଉଛି, ସମସ୍ତ ଦଳ ଏହି ସିଜନରୁ ନୂଆ ଆରମ୍ଭ କରିବେ । କୌଣସି ଦଳକୁ ପ୍ରାରମ୍ଭରୁ ଦାବିଦାର ଭାବେ ବିବେଚନା କରିବା ଠିକ୍‌ ହେବ ନାହିଁ । ପ୍ରତ୍ୟେକ ଦଳରେ ରହିଛନ୍ତି ଯୁବ ଓ ଅଭିଜ୍ଞ ଖେଳାଳି । କେଉଁ ମୁହୂର୍ତ୍ତରେ ବି ମ୍ୟାଚର ମୋଡ଼ ବଦଳାଇ ଦେବାର ସମସ୍ତ ଦଳର ସାମର୍ଥ୍ୟ ରହିଛି ।