ପଞ୍ଜାବ କିଙ୍ଗସ୍‌ର ଜବରଦସ୍ତ ବିଜୟ: ବେଙ୍ଗାଲୁରୁ ବିପକ୍ଷ ମ୍ୟାଚ୍‌କୁ ୫ଓ୍ୱିକେଟରେ ଜିତିଲା

ମୁମ୍ବାଇ: ଚଳିତ ଆଇପିଏଲ୍‌ର ୩ୟ ମ୍ୟାଚ୍‌ରେ ବିଜୟୀ ହୋଇଛି ପଞ୍ଜାବ କିଙ୍କସ୍ । ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷ ହାଇଭୋଲଟେଜ ମ୍ୟାଚ୍‌କୁ ୫ ଓ୍ୱିକେଟ୍‌ରେ ଜିତି ନେଇଛି ପଞ୍ଜାବ କିଙ୍ଗସ୍ । ୨୦୬ ରନ୍‌ର ବିଶାଳ ଲକ୍ଷ୍ୟକୁ  ପଞ୍ଜାବ ୧୯ତମ ଓଭରରେ ହାସଲ କରିନେଇଛି ।

ଓପନର ଅଧିନାୟକ ମୟଙ୍କ ଅଗ୍ରୱାଲ ଓ ଶିଖର ଧୱନ ୭୧ ରନ୍‌ କରିଥିଲେ । ମୟଙ୍କ ୨୪ଟି ବଲ୍‌ ଖେଳି ବ୍ୟକ୍ତିଗତ ଭାବେ ୩୨ ରନ୍‌ ସଂଗ୍ରହ କରିଥିଲେ। ଏଥିରେ ୨ଟି ଚୌକା ଓ ୨ଟି ଛକା ସାମିଲ ଥିଲା। ପଞ୍ଜାବର ୧୧୮ ରନ୍‌ରେ ୨ୟ ୱିକେଟ ଭାବେ ଶିଖର ଧୱନଙ୍କୁ ହରାଇଥିଲା। ଆଉଟ୍‌ ହେବା ପୂର୍ବରୁ ଧୱନ୍‌ ବ୍ୟକ୍ତିଗତ ଭାବେ ୪୩ ରନ୍‌ ସଂଗ୍ରହ କରିଥିଲେ। ସେ ୨୯ଟି ବଲ୍‌ ଖେଳି ୫ଟି ଚୌକା ଓ ଗୋଟିଏ ଛକା ବଳରେ ଏହି ସ୍କୋର କରିଥିଲେ।ଶେଷରେ ଏମ୍. ଶାହାରୁଖ ଖାନ ଅପରାଜିତ ୨୦ ବଲରେ ୨୪ ରନ୍‌ ଓ ଓଡେନ୍‌ ସ୍ମିଥ୍‌ଙ୍କ ଦମ୍‌ଦାର ୮ ବଲରେ ୨୫ ରନ୍‌ ବଳରେ ପଞ୍ଜାବ ବାଙ୍ଗାଲୋର ହାତରୁ ଏହି ମ୍ୟାଚକୁ ଛଡାଇ ଆଣିଥିଲା । ତେବେ ତୃତୀୟ ନମ୍ୱରରେ ବ୍ୟାଟିଂ କରିବାକୁ ଆସିଥିବା ଭାନୁକାଙ୍କ ୨୨ବଲରେ ୪୩ ରନ୍‌ର ଯୋଗଦାନ ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା ।

ଡ. ଡିଓ୍ଵାଇ ପାଟିଲ୍‌ ସ୍ପୋର୍ଟସ ଏକାଡେମୀ ଠାରେ ଖେଳାଯାଇଥିବା ଏହି ମ୍ୟାଚରେ ପଞ୍ଜାବ ଟିମ୍‌ ଟସ୍‌ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପଞ୍ଜାବର ଅଧିନାୟକ ମୟଙ୍କ ଅଗ୍ରଓ୍ଵାଲ୍‌ଙ୍କଠାରୁ ଆମନ୍ତ୍ରଣ ପାଇବା ପରେ ବାଙ୍ଗାଲୋର ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୨ଟି ଓ୍ଵିକେଟ୍‌ ହରାଇ ୨୦୫ ରନ୍‌ ସଂଗ୍ରହ କରିଥିଲା। ଫଳରେ ପଞ୍ଜାବକୁ ୨୦୬ ରନ୍‌ର ଟାର୍ଗେଟ ମିଳିଥିଲା।

ତେବେ ପ୍ରଥମ ଇନିଂସରେ କମାଲ କରିଥିଲେ କ୍ୟାପଟେନ୍ ଡୁପ୍ଳେସିସ୍ । ବିରାଟ କୋହଲୀଙ୍କ ପରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦଳର ଅଧିନାୟକ ପଦ ଗ୍ରହଣ କରିବା ପରେ ବିସ୍ଫୋରକ ଇନିଂସ ଖେଳିଥିଲେ । ଅଭିଜ୍ଞ ତଥା ଆରସିବିକୁ ନବାଗତ ଦୀନିଶେ କାର୍ତ୍ତିକ ଶେଷ ଭାଗରେ ନିଜ ଜଲଓ୍ୱା ଦେଖାଇଛନ୍ତି । ଡୁପ୍ଲେସିସଙ୍କ ୮୮ ଓ କାର୍ତ୍ତକଙ୍କ ୧୪ ବଲରେ ଅପରାଜିତ ୩୨ ରନ୍‌ ବଳରେ ଆରସିବି ନିର୍ଦ୍ଧାରିତ ୨୦ ଓଭରରେ ୨ ୱିକେଟ ହରାଇ ୨୦୫ ରନ୍‌ର ବିଶାଳ ଟାର୍ଗେଟ ଦେଇଥିଲା ।