ଆଇପିଏଲ ୨୦୨୫ ହେବ ଏହି ୩ ଖେଳାଳିଙ୍କ ଶେଷ ସିଜନ୍, କ୍ରିକେଟକୁ କହିବେ ଅଲବିଦା

ନନ୍ଦିଘୋଷ ବ୍ୟୁରୋ: ଆଇପିଏଲ ୨୦୨୫ ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇ ସାରିଛି। ଖୁବଶୀଘ୍ର ଏହି ଲିଗ୍ ର ଏକ ମେଗାଅକ୍ସନ ଆୟୋଜିତ ହେବ, ଯେଉଁଥିରେ ଅନେକ ଧୁରନ୍ଧର ଖେଳାଳି ନିଲାମ ପକ୍ରିୟାରେ ସାମିଲ ହେବେ। ଅନ୍ୟପଟେ କ୍ରିକେଟ୍ ପଡ଼ିଆରେ ସେମାନଙ୍କର ପ୍ରିୟ ଖେଳାଳିଙ୍କୁ ଦେଖିବା ପାଇଁ ପ୍ରଶଂସକମାନେ ମଧ୍ୟ ଉତ୍ସାହିତ ଅଛନ୍ତି। ତେବେ କିଛି ଖେଳାଳି ରହିଛନ୍ତି ଯେଉଁମାନେ କି ଏଥର ଆଇପିଏଲରେ ଶେଷ ଥର ପାଇଁ ଖେଳୁଥିବା ଦେଖିବାକୁ ମିଳିବେ।

ବିଭିନ୍ନ କାରଣରୁ, ଏଥର କିଛି ଖେଳାଳି ଆଇପିଏଲ୍  ୨୦୨୫ ସିଜନ୍ ପରେ ଅବସର ଘୋଷଣା କରିପାରିବେ ବୋଲି ଚର୍ଚ୍ଚା ହେଉଛି। ଆମ ତାଲିକାର ପ୍ରଥମ ଖେଳାଳିଙ୍କ ନାମ ହେଉଛି ମହେନ୍ଦ୍ର ସିଂ ଧୋନି। ୨୦୧୯ ମସିହା ପରଠାରୁ ଚେନ୍ନାଇ ସୁପର କିଙ୍ଗ୍ସର ପ୍ରମୁଖ ଖେଳାଳି ମହେନ୍ଦ୍ର ସିଂ ଧୋନି ଙ୍କ ଅବସର ନେଇ କଳ୍ପନାଜଳ୍ପନା ଚାଲିଛି।  କିନ୍ତୁ ସେ ଏପର୍ଯ୍ୟନ୍ତ ଅବସର ଘୋଷଣା କରିନାହାଁନ୍ତି। କିନ୍ତୁ ଏଥର ତାଙ୍କୁ ଶେଷ ଥର ପାଇଁ ହଳଦିଆ ଜର୍ସି ପିନ୍ଧିଥିବାର ଦେଖିବାକୁ ମିଳିବ। ଅନ୍ୟପକ୍ଷରେ ଗତ ଦୁଇଟି ସିଜନ୍ ରେ ଧୋନି ତାଙ୍କ ଗୋଡରେ ବ୍ୟାଣ୍ଡେଜ୍ ବାନ୍ଧି ଖେଳୁଥିବା ଦେଖିବାକୁ ମିଳିଥିଲା। ସେ ବର୍ତ୍ତମାନ ବୟସର ଏଭଳି ଏକ ପାହାଚରେ ପହଞ୍ଚିଛନ୍ତି ଯେଉଁଠାରେ ତାଙ୍କ ଫିଟନେସ୍ ଦଳ ପାଇଁ ସବୁଠାରୁ ବଡ ସମସ୍ୟା ହୋଇ ଉଭା ହୋଇଛି। ଧୋନି ଚେନ୍ନାଇ ସୁପର କିଙ୍ଗ୍ସ କୁ ପାଞ୍ଚ ଥର ଆଇପିଏଲରେ ଚାମ୍ପିଅନ୍ କରିଛନ୍ତି। ଯଦି ଆମେ ତାଙ୍କ ଆଇପିଏଲ୍ କ୍ୟାରିୟର ବିଷୟକୁ ଧ୍ୟାନ ଦେବା, ତେବେ ଧୋନି ୨୬୪ ମ୍ୟାଚ୍ ରେ ୫୨୩୪ ରନ୍ ସ୍କୋର କରିଛନ୍ତି।

ସେହିଭଳି ଆମ ତାଲିକାର ଦ୍ଵିତୀୟ ଖେଳାଳି ହେଲେ ଇଶାନ୍ତ ଶର୍ମା। ଟେଷ୍ଟ କ୍ରିକେଟରେ ଟିମ ଇଣ୍ଡିଆର ଅନ୍ୟତମ ସଫଳ ଦ୍ରୁତ ବୋଲର ହେଉଛନ୍ତି ଇଶାନ୍ତ ଶର୍ମା। କିନ୍ତୁ ସେ ମଧ୍ୟ ଆସନ୍ତା ବର୍ଷ ଆଇପିଏଲ ପରେ କ୍ରିକେଟରୁ ବିଦାୟ ନେବେ ବୋଲି କ୍ରୀଡ଼ା ମହଲରେ ଆଲୋଚନା ହେଉଛି। ସେ ୨୦୧୯ ମସିହା ପରଠାରୁ ଦିଲ୍ଲୀ କ୍ୟାପିଟାଲ୍ସ ଦଳର ଏକ ପ୍ରମୁଖ ଖେଳାଳି ହୋଇ ରହିଛନ୍ତି। କିନ୍ତୁ ଗତ ଦୁଇଟି ସିଜନରେ ତାଙ୍କ ବୋଲିଂ ର ଗତି ମନ୍ଥର ହୋଇଆସୁଛି। ତେବେ ଯଦି ଦିଲ୍ଲୀ ଦଳ ତାଙ୍କୁ  ଅକ୍ସନ ପାଇଁ ରିଲିଜ୍ କରିବ, ତେବେ ନିଲାମରେ ସେ ଅନ୍ୟ କୌଣସି ଦଳର ଅଂଶ ହେବା ତାଙ୍କ ପାଇଁ କଷ୍ଟକର ହେବ। ତେବେ ବର୍ତ୍ତମାନ ସୁଦ୍ଧା ୧୧୦ ଟି ଆଇପିଏଲ ମ୍ୟାଚ ଖେଳି ଇଶାନ୍ତ ଶର୍ମା ୯୨ ଟି ୱିକେଟ୍ ନେଇଛନ୍ତି।

ଆମ ଲିଷ୍ଟର ତୃତୀୟ ଖେଳାଳି ହେଲେ ଅଜିଙ୍କ୍ୟେ ରାହାଣେ। ଏହି ସ୍ମାର୍ଟ କ୍ରିକେଟରଙ୍କ ଅନ୍ତର୍ଜାତୀୟ କ୍ୟାରିୟର ଶେଷ ହୋଇ ସାରିଛି। ସେ ଦୀର୍ଘ ସମୟ ଧରି ଟିମ୍ ଇଣ୍ଡିଆରୁ ବାହାରେ ଅଛନ୍ତି, ଯାହା ତାଙ୍କ ଆଇପିଏଲ୍ କ୍ୟାରିୟରକୁ ମଧ୍ୟ ପ୍ରଭାବିତ କରିବ। ୨୦୨୩ ମସିହାରେ ଚେନ୍ନାଇ ପାଇଁ ରାହାଣେ ଏକ ବଡ ଅସ୍ତ୍ର ସାଜିଥିଲେ। କିନ୍ତୁ ୨୦୨୪ ମସିହାରେ ସେ ବ୍ୟାଟ୍ ସହିତ କିଛି ବିଶେଷ ପ୍ରଦର୍ଶନ କରିପାରିନଥିଲେ। କିନ୍ତୁ ଏଥର ତାଙ୍କୁ ଦଳ ମଧ୍ୟ ରିଟେନ୍ କରିବ ବୋଲି ଆଲୋଚନା ହେଉଛି,ଯେଉଁଥିପାଇଁ ୧୮୫ ଟି ଆଇପିଏଲ୍ ମ୍ୟାଚ୍ ରେ ୪୬୫୨ ରନ୍ ସ୍କୋର କରିଥିବା ରାହାଣେ, ଆଇପିଏଲ୍ ୨୦୨୫ ପରେ ଏହି ଲିଗକୁ ବିଦାୟ ଦେବେ।