IPL ୨୦୨୩: ଆଜି ମୁମ୍ବାଇ-ଚେନ୍ନାଇ ଟକ୍କର, ପ୍ରଥମ ବିଜୟ ଲକ୍ଷ୍ୟରେ ମୁମ୍ବାଇ

ମୁମ୍ବାଇ: ଆଜି ଆଇପିଏଲରେ ଖେଳାଯିବ ମହାମୁକାବିଲା । ମୁମ୍ବାଇର ଓ୍ୱାଙ୍ଖେଡ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସକୁ ଭେଟିବ ୫ଥରର ଚାମ୍ପିଆନ ଦଳ ମୁମ୍ବାଇ ଇଣ୍ଡିଆନ୍ସ । ଆଜି ସନ୍ଧ୍ୟା ୭ଟା୩୦ରେ ଖେଳାଯିବ ଏହି ମ୍ୟାଚ୍ । ଏହି ମ୍ୟାଚ ଦେଖିବା ପାଇଁ ଉତ୍ସାହର ଚାହିଁ ରହିଛନ୍ତି ସବୁ କ୍ରିକେଟପ୍ରେମୀ । ଚଳିତ ସିଜିନରେ ଚେନ୍ନାଇ ଦୁଇଟି ମ୍ୟାଚ୍ ଖେଳିଥିବାବେଳେ ଗୋଟିଏରେ ବିଜୟ ଓ ଗୋଟିଏରେ ପରାଜୟ ବରଣ କରିଛି । ସେହିପରି ଏପର୍ଯ୍ୟନ୍ତ ବିଜୟର ସ୍ୱାଦ ଚାଖିପାରିନି ମୁମ୍ବାଇ । ତେଣୁ ଆଜିର ମ୍ୟାଚରେ ବିଜୟ ଅଭିଯାନ ଆରମ୍ଭ କରିବାକୁ ଚେଷ୍ଟା କରିବ ମୁମ୍ବାଇ । ଆଇପିଏଲ ଇତିହାସରେ ଉଭୟ ଦଳ ୩୪ ଥର ମୁହାଁମୁହିଁ ହୋଇଥିବାବେଳେ ମୁମ୍ବାଇ ୨୦ଟି ମ୍ୟାଚରେ ବିଜୟ ଲାଭ କରିଥିବା ବେଳେ ଚେନ୍ନାଇ ୧୪ଟି ମ୍ୟାଚ୍ ନିଜ ନାମରେ କରିଛି ।

ଅନ୍ୟପକ୍ଷରେ ଆଜି ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଓ ରାଜସ୍ଥାନ ରୟାଲ୍ସ । ଏହି ମ୍ୟାଚ୍ ଆଜି ଅପରାହ୍ମ ୩ଟା ୩୦ରେ ଗୌହାଟୀରେ ଖେଳାଯିବ । ଚଳିତ ଆଇପିଏଲରେ ଦିଲ୍ଲୀ ଏପର୍ଯ୍ୟନ୍ତ ଦୁଇଟି ମ୍ୟାଚ୍ ଖେଳି ଖାତା ଖୋଲିପାରି ନାହିଁ । ତେଣୁ ଆଜି ମ୍ୟାଚରେ ବିଜୟ ଲାଭ କରି ବିଜୟ ଅଭିଯାନ ଆରମ୍ଭ କରିବାକୁ ଚେଷ୍ଟା କରିବ ଦିଲ୍ଲୀ । ସେହିପରି ରାଜସ୍ଥାନ ଦୁଇଟି ମ୍ୟାଚ୍ ଖେଳି ଗୋଟିଏରେ ବିଜୟ ଓ ଗୋଟିଏରେ ପରାଜୟ ବରଣ କରିଛି ।