ଆଜି IPLର ଗ୍ରାଣ୍ଡ ଫିନାଲେ, ଧୋନି-ପାଣ୍ଡ୍ୟାଙ୍କ ମଧ୍ୟରେ ହେବ ମହାମୁକାବିଲା

1 min read

ଅହମ୍ମଦାବାଦ: ଚେନ୍ନାଇ ସୁପର କିଙ୍ଗ୍ସ ବନାମ ଗୁଜରାଟ ଟାଇଟନ୍ସ । କିଏ ରଚିବ ଇତିହାସ । କିଏ ହେବ IPL ସିଜିନ୍-୧୬ର ଚାମ୍ପିଅନ୍ । ଆଇପିଏଲ ଟ୍ରଫି ପାଇଁ ଆଜି ହେବ ମହାଲଢ଼େଇ । ଏଥିପାଇଁ ପ୍ରସ୍ତୁତ ହୋଇସାରିଛି ମଞ୍ଚ । ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ମହାମୁକାବିଲା । ୪ ଥରର ଚାମ୍ପିଅନ ଚେନ୍ନାଇ ସୁପର କିଙ୍ଗ୍ସକୁ ଭେଟିବ ଗୁଜରାଟ ଟାଇଟନ୍ସ । IPLର ପଞ୍ଚମ ଟ୍ରଫି ଜିତିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ଧୋନୀ ବାହିନୀ । ସେହିପରି ଟାଇଟଲ ବଜାୟ ରଖିବା ପାଇଁ ପ୍ରସ୍ତୁତ ଡିଫେଣ୍ଡିଂ ଚାମ୍ପିୟନ ଗୁଜରାଟ ଟାଇଟନ୍ସ ।

ଆଇପିଏଲର ୧୬ ତମ ସଂସ୍କରଣ ଯେଉଁଠାରୁ ଆରମ୍ଭ ହୋଇଥିଲା ଆଜି ସେହି ସ୍ଥାନରେ ପହଞ୍ଚିଛି । ଅହମ୍ମଦାବାଦରେ ଚେନ୍ନାଇ ଓ ଗୁଜରାଟ ମଧ୍ୟରେ ଆଇପିଏଲର ଉଦଘାଟନୀ ମ୍ୟାଚ୍ ଆରମ୍ଭ ହୋଇଥିଲା । ତେବେ ୭୩ଟି ମ୍ୟାଚ ପରେ ପୁଣି ଥରେ ସେହି ଷ୍ଟାଡିୟମରେ ଫାଇନାଲ ଖେଳିବେ ଏହି ଦୁଇ ଦଳ । ଚଳିତ ସିଜିନରେ ଉଭୟ ଦଳ ତୃତୀୟ ଥର ପାଇଁ ପରସ୍ପରକୁ ଭେଟିବେ । ଉଦଘାଟନୀ ମ୍ୟାଚରେ ଖେଳାଯାଇଥିବା ମ୍ୟାଚରେ ଚେନ୍ନାଇକୁ ୫ ଓ୍ୱିକେଟରେ ପରାସ୍ତ କରିଥିଲା ଗୁଜରାଟ । ତେବେ ପ୍ରଥମ ମ୍ୟାଚର ପରାଜୟର ବଦଲା ଚେନ୍ନାଇ ପ୍ଲେ ଅଫରେ ନେଇଥିଲା । ପ୍ଲେ ଅଫରେ ଗୁଜରାଟକୁ ୧୫ ରନରେ ପରାସ୍ତ କରି ଫାଇନାଲ ଟିକେଟ ହାସଲ କରିଥିଲା CSK । ତେବେ ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚରେ ମୁମ୍ବାଇକୁ ପରାସ୍ତ କରି ଲଗାତର ଦ୍ୱିତୀୟ ଥର ପାଇଁ ଫାଇନାଲରେ ସ୍ଥାନ ପକ୍କା କରିଛି ଗୁଜରାଟ । ଏଥିସହ ପ୍ଲେ ଅଫର ପ୍ରତିଶୋଧ ନେଇ ଲଗାତର ଦ୍ୱିତୀୟ ଥର ଚାମ୍ପିୟନ୍ ହେବା ଲକ୍ଷ୍ୟ ରଖିଛନ୍ତି ହାର୍ଦ୍ଦିକ ଆଣ୍ଡ କୋ ।

ଫୋକସରେ ରହିବେ ଗିଲ୍, ରସିଦ୍ ଓ ଗାଏକ୍ୱାଡ

ଚଳିତ ସିଜିନରେ ଉଭୟ ଦଳର ପ୍ରଦର୍ଶନ ବେଶ୍ ସନ୍ତୁଳିତ ରହିଛି । ଗୁଜରାଟ ଦଳରେ ଏକାଧିକ ଷ୍ଟାର ଖେଳାଳି ରହିଥିବାବେଳେ ଚେନ୍ନାଇ ନିକଟରେ ଧୋନୀଙ୍କ ପରି ମାଷ୍ଟରମାଇଣ୍ଡ ରହିଛନ୍ତି । ଯୁବ ଖେଳାଳିଙ୍କୁ ନେଇ ଯେଉଁ ରେଜଲ୍ଟ ଦେଖାଇଛନ୍ତି ତାହା ହିଁ  ଧୋନୀଙ୍କ ଶ୍ରେଷ୍ଠତ୍ୱର ପ୍ରମାଣ । ତେବେ ଆଜିର ମ୍ୟାଚରେ ଉଭୟ ଦଳର ୪ ଖେଳାଳିଙ୍କ ଉପରେ ନଜର ରହିବ । ଗୁଜରାଟର ଓପନର ଶୁଭମନ୍ ଗିଲଙ୍କ ଉପରେ ସମସ୍ତଙ୍କ ନଜର ରହିବ । ସେହିପରି ବୋଲିଂ ବିଭାଗରେ ମହମ୍ମଦ ସାମି ଓ ରସିଦ ଖାନଙ୍କ ଉପରେ ରହିବ ବିଶେଷ ନଜର । ସେହିପରି ଚେନ୍ନାଇ କଥା ଯଦି କହିବା ତାହାଲେ CSKର ଓପନର ବ୍ୟାଟ୍ସମ୍ୟାନ ଋତୁରାଜ ଗାଏକ୍ୱାଡ ଓ ଯୁବ ଦ୍ରୁତ ବୋଲର ମଥିସା ପଥିରାଣାଙ୍କ ଉପରେ ସମସ୍ତଙ୍କ ନଜର ରହିବ ।

ଆଜି ଫାଇନାଲ ମ୍ୟାଚ ହାଇ ସ୍କୋରିଂ ହେବ ବୋଲି ପୂର୍ବନୁମାନ କରାଯାଇଛି । ଅହମ୍ମଦାବାଦରେ ପ୍ରଥମ ଇନିଂସରେ ହାରାହାରି ସ୍କୋର ରହିଛି ୧୯୩ । ଏଥିମଧ୍ୟରୁ ୫ଟି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରୁଥିବା ଦଳ ବିଜୟୀ ହୋଇଛି । ତେଣୁ ଆଜି ଟସ୍ ଜିତିବା ଦଳ ବ୍ୟାଟିଂ କରିବ ବୋଲି ଅନୁମାନ କରାଯାଉଛି । ସୁପର ସଣ୍ଡେରେ ସୁପର ମୁକାବିଲା କ୍ରିକେଟ ପ୍ରଶଂସକଙ୍କୁ ମନୋରଞ୍ଜନ ଖୋରାକ ଯୋଗାଇବ ବୋଲି ଆଶା କରାଯାଉଛି ।