୯ ବର୍ଷ ପରେ ଆଇପିଏଲକୁ ଫେରିବେ ଶ୍ରୀସନ୍ଥ!

1 min read

ନୂଆଦିଲ୍ଲୀ: ଆଇପିଏଲ ସିଜିନ-୧୫ ପାଇଁ ଆରମ୍ଭ ହୋଇ ସାରିଛି ପ୍ରସ୍ତୁତି । ସାରା ବିଶ୍ୱର ଖେଳାଳିମାନେ ଆଇପିଏଲ ଖେଳିବା ପାଇଁ ବେଶ୍ ଆଗ୍ରହୀ । ଏହା ପଛର କାରଣ ହେଉଛି ଏହି ଲିଗରେ ଖେଳାଳିମାନଙ୍କୁ ବହୁ ପରିମାଣର ଅର୍ଥ ଓ ଖ୍ୟାତି ମିଳିଥାଏ । ଏଥିସହ ଏହି ଲିଗରେ ଭଲ ପ୍ରଦର୍ଶନ କରିବା ଫଳରେ ସେ ତାଙ୍କ ଜାତୀୟ ଦଳରେ ମଧ୍ୟ ଖେଳିବାକୁ ସୁଯୋଗ ପାଇଥାନ୍ତି । ଚଳିତ ଆଇପିଏଲ ମେଗା ନିଲାମ ପାଇଁ ସାରା ବିଶ୍ୱର ୧୨ ଶହରୁ ଅଧିକ ଖେଳାଳି ନିଜ ନାମ ପଞ୍ଜିକରଣ କରିଛନ୍ତି । ନିଲାମୀ ପ୍ରକ୍ରିୟାରେ ୧୨ ଶହ ଖେଳାଳିରୁ କେବଳ ୨୫୦ ଖେଳାଳି ହିଁ ସାମିଲ ହୋଇପାରିବେ । ତେବେ ଚଳିତ ଆଇପିଏଲରେ ଟି-୨୦ କ୍ରିକେଟର ବସ୍ କ୍ରିସ୍ ଗେଲ, ଜୋଫ୍ରା ଆର୍ଚର, ବେନ୍ ଷ୍ଟୋକ୍ସ ଓ ମିଚେଲ ଷ୍ଟାର୍କଙ୍କ ଭଳି ଖେଳାଳିଙ୍କ ଜଲଓ୍ୱା ଚଳିତ ଆଇପିଏଲରେ ଦେଖିବାକୁ ମିଳିବନି । ଅନ୍ୟପକ୍ଷରେ ଚଳିତ ଆଇପିଏଲରେ ପୁଣି ଥରେ ନିଜର ଜଲଓ୍ୱା ଦେଖାଇ ପାରନ୍ତି ଦ୍ରୁତ ବୋଲର ଏସ ଶ୍ରୀସନ୍ଥ ।

ଚଳିତ ଆଇପିଏଲରେ ନଜର ଆସିପାରନ୍ତି ଶ୍ରୀସନ୍ଥ । ବିଶ୍ୱର ସବୁଠାରୁ ବଡ଼ କ୍ରିକେଟ ଲିଗରେ ଦେଖିବାକୁ ମିଳିପାରେ ଶ୍ରୀସନ୍ଥଙ୍କ ଜଲଓ୍ୱା । ୮ ବର୍ଷ ପରେ ପୁଣି ଥରେ ଆଇପିଏଲକୁ କମ୍ ବ୍ୟାକ କରିବା ଲକ୍ଷ୍ୟରେ ଶ୍ରୀସନ୍ଥ । ଆଇପିଏଲ ସିଜିନ-୧୫ ପୂର୍ବରୁ ହେବାକୁ ଥିବା ମେଗା ନିଲାମରେ ଶ୍ରୀସନ୍ଥ ତାଙ୍କ ନାମ ଦେଇଛନ୍ତି । ଶେଷ ଥର ପାଇଁ ସେ ୨୦୧୩ରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳିଥିଲେ । ESPN Cricinfoର ରିପୋର୍ଟ ଅନୁସାରେ ଆଇପିଏଲ୍ ୨୦୨୨ ନିଲାମ ପାଇଁ ଶ୍ରୀସନ୍ଥ ତାଙ୍କ ମୂଲ୍ୟ ୫୦ ଲକ୍ଷ ଟଙ୍କା ରଖିଛନ୍ତି । ଗତଥର ନିଲାମରେ ଶ୍ରୀସନ୍ଥ ତାଙ୍କ ମୂଲ୍ୟ ୭୫ ଲକ୍ଷ ରଖିଥିଲେ । ଯାହା ଫଳରେ ତାଙ୍କୁ କୌଣସି ଦଳ କିଣିନଥିଲେ । ତେଣୁ ଚଳିତ ମେଗା ନିଲାମରେ ସେ ତାଙ୍କ ମୂଲ୍ୟ କମ୍ କରିଛନ୍ତି ।

ଆଇପିଏଲ୍ ୨୦୧୩ରେ ଶ୍ରୀସନ୍ଥଙ୍କୁ ସ୍ପଟ ଫିକ୍ସିଂ ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ଯାହା ପରେ ତାଙ୍କୁ କ୍ରିକେଟରୁ ଆଜୀବନ ବ୍ୟାନ କରାଯାଇଥିଲା । ତେବେ ଏହି ମାମଲାରେ କେରଳ ହାଇକୋର୍ଟ ଏହି ପ୍ରତିବନ୍ଧକକୁ ହଟାଇ ଦେଇଛନ୍ତି । ଯାହା ଫଳରେ ୭ ବର୍ଷର କ୍ରିକେଟରୁ ଦୂରରେ ରହିବା ପରେ ସେ ୨୦୨୦ରେ ଘରୋଇ କ୍ରିକେଟକୁ ଫେରିଥିଲେ । ଆଗାମୀ ରଣଜୀ ଟ୍ରଫି ପାଇଁ ଦ୍ରୁତ ବୋଲର ଏସ ଶ୍ରୀସନ୍ଥଙ୍କୁ ୨୪ ଜଣିଆ କେରଳ ଦଳରେ ସାମିଲ କରାଯାଇଥିଲା ।

Leave a Reply