ଆଇପିଏଲ ୨୦୨୨: ଆଜି ବାଙ୍ଗାଲୋର-କୋଲକାତା ଟକ୍କର, ପ୍ରଥମ ବିଜୟ ଲକ୍ଷ୍ୟରେ ଆରସିବି

1 min read

ମୁମ୍ବାଇ: ଆଜି ଇଣ୍ଡିଆନ ପ୍ରିମିୟର ଲିଗର ଷଷ୍ଠ ମ୍ୟାଚରେ ମୁହାଁମୁହିଁ ହେବେ କୋଲକାତା ନାଇଟ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଏହି ମ୍ୟାଚ ମୁମ୍ବାଇର ଡି ଓ୍ୱାଇ ପାଟିଲ୍ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ । ଆଇପିଏଲ ସିଜିନ୍-୧୫ର ପ୍ରଥମ ମ୍ୟାଚରେ ଡିଫେଣ୍ଡିଂ ଚମ୍ପିଆନ ଚେନ୍ନାଇକୁ ପରାସ୍ତ କରି ବିଜୟ ସ୍ୱାଦ ଚାଖିଛି । ଆଜିର ମ୍ୟାଚରେ ମଧ୍ୟ କେକେଆର ଏହି ବିଜୟ ଧାରା ଜାରି ରଖିବାକୁ ଚେଷ୍ଟା କରିବ । ଅନ୍ୟପକ୍ଷରେ ପ୍ରଥମ ମ୍ୟାଚରେ ପରାଜୟ ପରେ ଆଜିର ମ୍ୟାଚରେ ବିଜୟ ଲାଭ କରି ଟ୍ରାକକୁ ଫେରିବାକୁ ଚେଷ୍ଟା କରିବ ବାଙ୍ଗାଲୋର ।

ଆଜିର ମ୍ୟାଚରେ ଆଉ ଏକ ଅଲରାଉଣ୍ଡର ପ୍ରଦର୍ଶନ କରି ବିଜୟ ଧାରା ବଜାୟ ରଖିବାକୁ ପ୍ରୟାସ କରିବ କେକେଆର । କୋଲକାତା ନାଇଟ ରାଇଡର୍ସ କଥା ଯଦି କହିବା ତାହାଲେ କେକେଆରର ବୋଲିଂ ବିଭାଗ ବେଶ ସନ୍ତୁଳିତ ରହିଛି । ବିଶେଷ କରି ଦୁଇ ସ୍ପିନର ସୁନିଲ ନାରିନ ଓ ବରୁଣ ଚକ୍ରବର୍ତ୍ତୀ ଘାତକ ସାବ୍ୟସ୍ତ ହୋଇପାରନ୍ତି । ସେହିପରି ଚଳିତ ସିଜିନରେ ବ୍ୟାଟିଂ ବିଭାଗ ମଧ୍ୟ ଶକ୍ତିଶାଳୀ ରହିଛି । ମଧ୍ୟଭାଗରେ ଆନ୍ଦ୍ରେ ରସେଲ, ଶ୍ରେୟସ ଆୟରଙ୍କ ଭଳି ବିସ୍ଫୋରକ ବ୍ୟାଟ୍ସମ୍ୟାନ ରହିଛନ୍ତି । ତେବେ ଆଜିର ମ୍ୟାଚକୁ ନିଶ୍ଚିତ ଜିତିବା ଲକ୍ଷ୍ୟରେ ଫୁଲ ପ୍ରସ୍ତୁତ ରହିଛି କେକେଆର ।

ସେପଟେ ଆରସିବି କଥା ଯଦି କହିବା ତାହାଲେ ବାଙ୍ଗାଲୋର ପ୍ରଥମ ମ୍ୟାଚରେ ୨୦୫ ରନର ବିଶାଳ ସ୍କୋର କରିବା ପରେ ବି ପରାଜୟର ସ୍ୱାଦ ଚାଖିଥିଲା । ପଞ୍ଜାବଠାରୁ ୫ ୱିକେଟରେ ପରାସ୍ତ ହୋଇଥିଲା ଆରସିବି । ବୋଲିଂରେ ଖରାପ ପ୍ରଦର୍ଶନ ପାଇଁ ଆରସିବି ହାତରୁ ବିଜୟ ଛଡାଇ ନେଇଥିଲା ପଞ୍ଜାବ । ତେବେ ଆଜିର ମ୍ୟାଚରେ ପୂର୍ବ ତ୍ରୁଟିକୁ ସୁଧାରିବା ଦଳ ପାଇଁ ଅତ୍ୟନ୍ତ ଜରୁରୀ । ଆଜିର ମ୍ୟାଚରେ ବିଜୟ ଲାଭ କରି ଚଳିତ ସିଜିନରେ ପ୍ରଥମ ବିଜୟ ହାସଲ କରିବାକୁ ଚେଷ୍ଟା କରିବ ବାଙ୍ଗାଲୋର ।