IPLକୁ ଫେରିଲେ ଗୌତମ ଗମ୍ଭୀର

1 min read

ନୂଆଦିଲ୍ଲୀ: ଆସନ୍ତା ବର୍ଷ ପ୍ରଥମ ଥର ପାଇଁ ୧୦ଟି ଟିମକୁ ନେଇ ଖେଳାଯିବ ଆଇପିଏଲ । ଆଇପିଏଲ ସିଜିନ୍-୧୫ରେ ନୂଆ କରି ଲକ୍ଷ୍ନୌ ଓ ଅହମଦାବାଦ ଦୁଇଟି ଟିମ୍ ଯୋଡି ହୋଇଛି । ଆସନ୍ତା ବର୍ଷ ହେବାକୁ ଥିବା ଆଇପିଏଲ ପାଇଁ ଏବେଠାରୁ ଆରମ୍ଭ ହୋଇସାରିଛି ପ୍ରକ୍ରିୟା । ଆସନ୍ତା ବର୍ଷ ହେବାକୁ ଥିବା ଆଇପିଏଲ ପୂର୍ବରୁ ଜାନୁଆରୀରେ ହେବାକୁ ଯାଉଛି ମେଗା ନିଲାମ । ତେବେ ଆଇପିଏଲ ସିଜିନ୍-୧୫ ଆରମ୍ଭ ହେବା ପୂର୍ବରୁ ନୂଆ କରି ହୋଇଥିବା ଲକ୍ଷ୍ନୌ ଦଳ ପ୍ରଶିକ୍ଷକ ଓ ସପୋର୍ଟ ଷ୍ଟାଫଙ୍କୁ ଚୟନ କରୁଛନ୍ତି । ତେବେ ଆଇପିଏଲ ସିଜିନ-୧୫ରେ ଗୌତମ ଗମ୍ଭୀରଙ୍କୁ ମିଳିଛି ଗୁରୁ ଦାୟିତ୍ୱ ।

ଆଇପିଏଲରେ ପୁଣି ଥରେ ନଜର ଆସିବେ ଭାରତୀୟ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ ତଥା ବିଜେପି ସାଂସଦ ଗୌତମ ଗମ୍ଭୀର । କିନ୍ତୁ ଏଥର ଖେଳାଳି ଭାବରେ ନୁହେଁ ବରଂ ମେଣ୍ଟର ଭାବରେ ଦାୟିତ୍ୱ ତୁଲାଇବେ ଗମ୍ଭୀର । ଆଇପିଏଲ ସିଜିନ୍-୧୫ ପାଇଁ ଲକ୍ଷ୍ନୌ ଫ୍ରାଞ୍ଚାଇଜ୍ ଗମ୍ଭୀରଙ୍କୁ ଦେଇଛି ଏହି ଗୁରୁ ଦାୟିତ୍ୱ । ଏହା ପୂର୍ବରୁ ଗମ୍ଭୀର ଆଇପିଏଲରେ କୋଲକାତା ନାଇଟ ରାଇଡର୍ସର ଅଧିନାୟକତ୍ୱ କରି ଦୁଇ ଦୁଇ ଥର କେକେଆରକୁ ଟ୍ରଫି ଦେବାରେ ସଫଳ ହୋଇଥିଲେ ।  ଲକ୍ଷ୍ନୌ ଫ୍ରାଞ୍ଚାଇଜ୍ ଗୁରୁବାର ଜିମ୍ବାଓ୍ୱେର ପୂର୍ବତନ ଅଧିନାୟକ ଆଣ୍ଡି ଫ୍ଲାଓ୍ୱାରଙ୍କୁ କୋଚ ଭାବରେ ନିଯୁକ୍ତି ଦେଇଥିଲା । ଫ୍ଲାଓ୍ୱାରଙ୍କ ପରେ ଲକ୍ଷ୍ନୌ ଫ୍ରାଞ୍ଚାଇଜରେ ଗୌତମ ଗମ୍ଭୀରଙ୍କୁ ମେଣ୍ଟର ଭାବରେ ନିଯୁକ୍ତି କରିଛି ।

ଲକ୍ଷ୍ନୌ ଦଳର ମେଣ୍ଟର ଭାବରେ ନିଯୁକ୍ତି ହେବା ପରେ ଗମ୍ଭୀର କହିଛନ୍ତି କି ମୁଁ ଡ. ଗୋୟଙ୍କା ଓ RPSG ଗ୍ରୁପକୁ ଧନ୍ୟବାଦ ଜଣାଉଛି କି ସେ ମୋତେ ଏପରି ଏକ ଗୁରୁ ଦାୟିତ୍ୱ ଦେଇଛନ୍ତି । ଗମ୍ଭୀର ଆହୁରି କହିଛନ୍ତି କି ମୋ ମଧ୍ୟରେ ଜିତିବା ପାଇଁ  ଏବେ ବି ଢ଼େର ଜୋଶ ରହିଛି । କେବଳ ଏହି ଟିମକୁ ନୁହେଁ ପୂରା ଉତ୍ତରପ୍ରଦେଶ ଯୁବ କ୍ରିକେଟରଙ୍କୁ ଆଗକୁ ନେଇ ଯିବି ବୋଲି କହିଛନ୍ତି ଗୌତମ ଗମ୍ଭୀର ।

ଆଇପିଏଲ ଇତିହାସରେ ଜଣେ ସଫଳତମ ଅଧିନାୟକ ହେଉଛନ୍ତି ଗମ୍ଭୀର । ତାଙ୍କ ନେତୃତ୍ୱରେ କୋଲକାତା ନାଇଟ ରାଇଡର୍ସ ୨୦୧୨ ଓ ୨୦୧୪ରେ ଚମ୍ପିଆନ ହୋଇଥିଲା । ଏଥିସହ ଗମ୍ଭୀର ୨୦୦୭ ଟି-୨୦ ବିଶ୍ୱକପ ବିଜେତା ଓ ୨୦୧୧ ଦିନିକିଆ ବିଶ୍ୱକପ ବିଜେତା ଦଳର ସଦସ୍ୟ ଥିଲେ । ଆଇପିଏଲ ଇତିହାସରେ ଗମ୍ଭୀର ଦିଲ୍ଲୀ ଓ କୋଲକାତା ପକ୍ଷରୁ ୧୫୪ଟି ମ୍ୟାଚ ଖେଳି ୪ ହଜାର ୨୧୮ ରନ ସଂଗ୍ରହ କରିଛନ୍ତି ।

Leave a Reply