IPL ୨୦୨୨: ଆଜି କୋଲକାତା ନାଇଟ ରାଇଡର୍ସକୁ ଭେଟିବ ପଞ୍ଜାବ କିଙ୍ଗ୍ସ

1 min read

ମୁମ୍ବାଇ: ଆଜି ଇଣ୍ଡିଆନ ପ୍ରିମିୟର ଲିଗର ଅଷ୍ଟମ ମ୍ୟାଚରେ ମୁହାଁମୁହିଁ ହେବେ କୋଲକାତା ନାଇଟ ରାଇଡର୍ସ ଓ ପଞ୍ଜାବ କିଙ୍ଗ୍ସ । ଏହି ମ୍ୟାଚ ଆଜି ସନ୍ଧ୍ୟା ୭.୩୦ରେ ମୁମ୍ବାଇର ଓ୍ୱାଙ୍ଖେଡ ଷ୍ଟାଡିୟମରେ ଖେଳାଯିବ । ଚଳିତ ସିଜିନରେ ପଞ୍ଜାବ କିଙ୍ଗ୍ସ ଗୋଟିଏ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ଖେଳି ଦମଦାର ବିଜୟ ହାସଲ କରିଥିଲା । ପଞ୍ଜାବ ଏହି ବିଜୟ ଯାତ୍ରା ଆଜିର ମ୍ୟାଚରେ ଜାରି ରଖିବାକୁ ଚେଷ୍ଟା କରିବ । ଅନ୍ୟପକ୍ଷରେ କୋଲକାତା ନାଇଟ ରାଇଡର୍ସ ପ୍ରଥମ ମ୍ୟାଚରେ ବିଜୟ ଲାଭ ପରେ ଦ୍ୱିତୀୟ ମ୍ୟାଚରେ ଆରସିବିଠାରୁ ପରାଜୟ ବରଣ କରିଥିଲା । ତେବେ ଆଜିର ମ୍ୟାଚରେ ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରି ପୁଣି ଥରେ ବିଜୟ ଟ୍ରାକକୁ ଫେରିବାକୁ ଲକ୍ଷ୍ୟ ରଖିଛି କେକେଆର ।

ଯଦି ପଞ୍ଜାବ କିଙ୍ଗ୍ସ କଥା କହିବା ତାହାଲେ ପଞ୍ଜାବ ରୟାଲ୍‌ ଚ୍ୟାଲେଞ୍ଜର୍ସ ବିପକ୍ଷରେ ପ୍ରଥମ ମ୍ୟାଚରେ ରୋମାଞ୍ଚକର ବିଜୟ ପରେ ମନୋବଳ ଦ୍ୱିଗୁଣିତ ରହିଛି । ନୂଆ ଅଧିନାୟକ ମୟଙ୍କ ଅଗ୍ରୱାଲଙ୍କ ନେତୃତ୍ୱରେ ପଞ୍ଜାବ କିଙ୍ଗସ ଦମଦାର ପ୍ରଦର୍ଶନ କରିଛି । ଆଜିର ମ୍ୟାଚ୍‌ରେ ମଧ୍ୟ ଦଳଠାରୁ ବିସ୍ପୋରକ ବ୍ୟାଟିଂ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି । ଯଦି ବୋଲିଂ କଥା କହିବା ତାହାଲେ ଆଜି ଦ୍ରୁତ ବୋଲର କାଗିସୋ ରାବାଡାଙ୍କ କ୍ୱାରେଣ୍ଟାଇନ ଶେଷ ହୋଇଛି । ଯାହା ଫଳରେ ଆଜି ସେ ଦଳକୁ ଫେରିବେ । ରାବାଡା ଯୋଗ ଦେବା ପରେ ବୋଲିଂ ଲାଇନ ଅଫ୍ ଆହୁରି ସୁଦୃଢ଼ ହେବ ।

ସେହିପରି କୋଲକାତା ନାଇଟ ରାଇଡର୍ସ ପ୍ରଥମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସକୁ ହରାଇଥିଲା । ପ୍ରଥମ ମ୍ୟାଚରେ ବିଜୟ ପରେ ଦ୍ୱିତୀୟ ମ୍ୟାଚରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ପରାଜୟର ସ୍ୱାଦ ଚାଖିଥିଲା । ତେବେ ଆଜିର ମ୍ୟାଚରେ କୋଲକାତା ସବୁ ତ୍ରଟି ସୁଧାରି ଶ୍ରେଷ୍ଠ ପ୍ରଦର୍ଶନ କରିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ । କେକେଆରର ବୋଲିଂ ବିଭାଗ ବେଶ ସୁଦୃଢ଼ ରହିଛି । ତେଣୁ ଆଜିର ମ୍ୟାଚରେ ଦମଦାର ପ୍ରଦର୍ଶନ କରି ପୁଣି ବିଜୟ ଟ୍ରାକକୁ ଫେରିବାକୁ ଚେଷ୍ଟା କରିବ କୋଲକାତା ।