IPL ୨୦୨୨: ଆଜି କୋଲକାତାକୁ ଭେଟିବ ମୁମ୍ବାଇ, ପ୍ରଥମ ବିଜୟ ଲକ୍ଷ୍ୟରେ ରୋହିତ ବ୍ରିଗେଡ

1 min read

ମୁମ୍ବାଇ: ଆଜି ଇଣ୍ଡିଆନ ପ୍ରିମିୟର ଲିଗର ୧୪ ତମ ଲିଗ୍‌ ମ୍ୟାଚରେ ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ ରାଇଡର୍ସ । ଏହି ମ୍ୟାଚ ଭାରତୀୟ ସମୟ ସନ୍ଧ୍ୟା ୭.୩୦ରେ ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଖେଳାଯିବ । ଏହି ମ୍ୟାଚ ପୂର୍ବରୁ ଉଭୟ ଦଳ ଜୋରଦାର ପ୍ରସ୍ତୁତି କରିଛନ୍ତି । ପ୍ରଥମ ୨ଟି ମ୍ୟାଚରେ ପରାଜିତ ହୋଇଥିବା ମୁମ୍ବାଇ ଇଣ୍ଡିଆନ୍ସ ଆଜିର ମ୍ୟାଚରେ ବିଜୟ ଲାଭ କରି ପଏଣ୍ଟ ଟେବୁଲରେ ଖାତା ଖୋଲିବାକୁ ଚେଷ୍ଟା କରିବ । ଅନ୍ୟପକ୍ଷରେ କେକେଆର ଆଜିର ମ୍ୟାଚରେ ବିଜୟ ଲାଭ କରି ବିଜୟ ଅଭିଯାନ ଜାରି ରଖିବାକୁ ଚେଷ୍ଟା କରିବ ।

ଯଦି ମୁମ୍ବାଇ ଇଣ୍ଡିଆନ୍ସ କଥା କହିବା ତାହାଲେ ମୁମ୍ବାଇ ପ୍ରଥମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ଦ୍ୱିତୀୟ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଠାରୁ ପରାଜିତ ହୋଇଥିଲା । ପ୍ରଥମ ମ୍ୟାଚରେ ଡେଥ୍‌ ବୋଲିଂରେ ତ୍ରୁଟି ଯୋଗୁଁ ମୁମ୍ବାଇ ଇଣ୍ଡିଆନ୍ସ ବିଜୟ ହାତଛଡ଼ା କରିଥିଲା । ଦ୍ୱିତୀୟ ମ୍ୟାଚରେ ଇଶାନ କିଷନ ଓ ତିଳକ ବର୍ମା ଅର୍ଦ୍ଧଶତକ ଅର୍ଜନ କରି ବିଜୟ ଆଶା ସଂଚାର କରିଥିଲେ । କିନ୍ତୁ ଏହି ଦୁଇ ବ୍ୟାଟ୍ସମ୍ୟାନ ଆଉଟ ହେବା ପରେ ମୁମ୍ବାଇ ଇଣ୍ଡିଆନ୍ସ ଧରାଶାୟୀ ହୋଇଥିଲା । ତେବେ ଆଜିର ମ୍ୟାଚରେ ମୁମ୍ବାଇ ପକ୍ଷରୁ ସୂର୍ଯ୍ୟ କୁମାର ଯାଦବ ଦଳକୁ ଫେରିବେ । ଯାହା ଫଳରେ ବ୍ୟାଟିଂ ଲାଇନ ଅଫ ସୁଦୃଢ଼ ହେବ ।

ଯଦି କୋଲକାତା ନାଇଟ ରାଇର୍ଡସ କଥା କହିବା ତାହାଲେ କେକେଆର ଏପର୍ଯ୍ୟନ୍ତ ତିନୋଟି ମ୍ୟାଚ କେଳି ଦୁଇଟିରେ ବିଜୟ ଲାଭ କରିଛି । ସବୁ ବିଭାଗରେ ଦଳର ପ୍ରଦର୍ଶନ ମଧ୍ୟ ଉନ୍ନତ ରହିଛି । ଆଜିର ମ୍ୟାଚରେ କୋଲକାତା ପକ୍ଷରୁ ପ୍ୟାଟ୍‌ କମିନ୍ସ ଖେଳିବା ସମ୍ଭାବନା ରହିଛି । ଫଳରେ ନାଇଟ୍‌ ରାଇଡର୍ସର ବୋଲିଂ ବିଭାଗର ଶକ୍ତି ଦ୍ୱିଗୁଣିତ ହେବ ।ଆଇପିଏଲ ଇତିହାସରେ ଉଭୟ ଦଳ ୨୯ ଥର ମୁହାଁମୁହିଁ ହୋଇଛନ୍ତି । ୨୯ ଥର ମଧ୍ୟରୁ ମୁମ୍ବୁଇ ଇଣ୍ଡିଆନ୍ସ ୨୨ଟି ମ୍ୟାଚରେ ବିଜୟ ଲାଭ କରିଥିବାବେଳେ କୋଲକାତା ନାଇଟ ରାଇର୍ଡସ ମାତ୍ର ୭ଟି ମ୍ୟାଚରେ ବିଜୟ ଲାଭ କରିଛି । ତେବେ ଆଜିର ମ୍ୟାଚରେ ଉଭୟ ଦଳ ବିଜୟ ଲାଭ କରି ପଏଣ୍ଟ ଟେବୁଲରେ ଦୁଇ ପଏଣ୍ଟ ନିଜ ନାମରେ କରିବାକୁ ଚେଷ୍ଟା କରିବେ ।