ଆରମ୍ଭ ହେବ ଫଟାଫଟ୍ କ୍ରିକେଟ୍ IPL: ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ MI ଓ RCB

ସବୁ ଅପେକ୍ଷାର ଅନ୍ତ । ଆଜିଠୁ ଆରମ୍ଭ ହେବ ଫଟାଫଟ୍ କ୍ରିକେଟ୍ ଆଇପିଏଲ । ବିନା ଦର୍ଶକରେ ହେବ ଆଇପିଏଲର ୧୪ ତମ ସଂସ୍କରଣ । ଏ ନେଇ ମୈଦାନ ପ୍ରସ୍ତୁତ ଥିବାବେଳେ ତୟାର ଅଛନ୍ତି ଖେଳାଳୀ । ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଚେନ୍ନାଇରେ ଖେଳାଯିବ ଏହି ହାଇଭୋଲଟେଜ୍ ଟକ୍କର । କରୋନା କଟକଣା ମଧ୍ୟରେ ହେବାକୁ ଯାଉଛି ଚଳିତବର୍ଷ ଆଇପିଏଲ୍ ଫାଇଟ୍ ।

କରୋନା..କଟକଣା…କ୍ରିକେଟ୍ । ଆଜିଠାରୁ ଆରମ୍ଭ ହେବ କ୍ରିକେଟ୍ ମହାସମର । ମୈଦାନରେ ହେବ ଛକା, ଚୌକାର ବର୍ଷା । ବୋଲରଙ୍କ ହୋସ୍ ଉଡାଇବେ ବ୍ୟାଟସମ୍ୟାନ୍ । ବାଜିସାରିଛି ଆଇପିଏଲ ବିଗୁଲ । ଶୁକ୍ରବାର ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ଦୁଇ ବଡ ଟିମ୍ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ହାର୍ଡ ହିଟର ରୋହିତ ଓ କ୍ୟାପଟେନ୍ କୋହଲିଙ୍କ ମଧ୍ୟରେ ହେବ କଡା ମୁକାବିଲା । ଦେଶ ଓ ଦେଶ ବାହାରର ଖେଳାଳୀଙ୍କୁ ନେଇ ମୈଦାନକୁ ଓହ୍ଲାଇବେ ଉଭୟ ଟିମ୍ । ଉଦଘାଚନୀ ମ୍ୟାଚରେ ୫ଥର ଆଇପିଏଲ୍ ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ଓ ବିରାଟ କୋହଲିଙ୍କ ଟିମ ଆରସିବି ମଧ୍ୟରେ ଖେଳାଯିବ ।

ଆଇପିଏଲରେ ଆରସିବି ଓ ମୁମ୍ବାଇ ଇଂଡିଆନ୍ସ ମଧ୍ୟରେ ଏବେ ସୁଦ୍ଧା ଖେଳାଯାଇଥିବା ୨୯ ମ୍ୟାଚ୍ ମଧ୍ୟରୁ ମୁମ୍ବାଇ ଇଣ୍ଡିଆନ୍ସ ୧୯ ଥର ବାଜି ମାରିଥିବାବେଳେ ଆରସିବି ୧୦ଟି ମ୍ୟାଚ୍ ଜିତିବାରେ ସଫଳ ହୋଇଛି । ଶୁକ୍ରବାର ଭାରତୀୟ ସମୟ ସନ୍ଧ୍ୟା ୭ଟାରେ ଆରମ୍ଭ ହେବ ମ୍ୟାଚ୍ । କରୋନା କଟକଣା ଭିତରେ ଦେଶର ୬ଟି ଷ୍ଟାଡିୟମରେ ଚଳିତବର୍ଷ ଖେଳାଯିବ ଆଇପିଏଲ । ଏଥର ଆଇପିଏଲ୍ ମ୍ୟାଚ୍ ଚେନ୍ନାଇ, ମୁମ୍ବାଇ, ଅହମ୍ମଦାବାଦ, ବେଙ୍ଗାଲୁରୁ, କୋଲକାତା ଓ ଦିଲ୍ଲୀରେ ଖେଳାଯିବ । ଆଇପିଏଲ୍ ପ୍ରଶଂସକ ମୋବାଇଲ ଓ ଟିଭିରେ ମ୍ୟାଚ ଦେଖିପାରିବେ । ଏ ନେଇ ଉତ୍କଣ୍ଠା ବଢିବାରେ ଲାଗିଛି ।

Leave a Reply