spot_img

Latest Posts

IPLର ଅଧିକାଂଶ ସଦସ୍ୟ କରୋନା ସଂକ୍ରମିତ, ସ୍ଥଗିତ ରହିପାରେ ଏପ୍ରିଲ୍‌ ୯ରେ ହେବାକୁ ଥିବା ମ୍ୟାଚ୍‌

ନୂଆଦିଲ୍ଲୀ: ଆସନ୍ତା ୯ ଏପ୍ରିଲରୁ ବାଜିବ ଆପିଏଲ୍‌ ବିଗୁଲ। ଆଉ ମାତ୍ର ଦୁଇ ଦିନ ରହିଛି IPL ସିଜିନ ଆରମ୍ଭକୁ। ଏତିକି ବେଳେ କରୋନା କାୟାରେ ରହିଛି ପୁରା ଆଇପିଏଲ୍‌ ।  ଆଇପିଏଲ୍ ୨୦୨୧ ର ଉଦଘାଟନୀ ମ୍ୟାଚ୍ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯିବ। ୧୪ ସିଜିନ ମ୍ୟାଚ୍‌ର ଟାଇଟଲ ହାତେଇବା ପାଇଁ ନେଟରେ ହେଉଛି ଜୋରଦାର ଅଭ୍ୟାସ।  ଆଇପିଏଲ୍ ଫ୍ରାଞ୍ଚାଇଜ୍ କ୍ରମାଗତ ଭାବରେ ସେମାନଙ୍କର ଅଫିସିଆଲ୍ ସୋସିଆଲ୍ ମିଡିଆ ଆକାଉଣ୍ଟ୍ ସହିତ ଖେଳାଳିଙ୍କ ଅଭ୍ୟାସର ଫଟୋ ଏବଂ ଭିଡିଓ ସେୟାର କରୁଛନ୍ତି। କିନ୍ତୁ ଏପ୍ରିଲ ୯ ତାରିଖରେ ଆଇପିଏଲ ସିଜିନ ୧୪ ହେବ ନା ସ୍ଥଗିତ ରହିବ ତାହା ଏପର୍ଯ୍ୟନ୍ତ ଆଶଙ୍କା ମଧ୍ୟରେ ରହିଛି। କାରଣ ଏବେ ପାଞ୍ଚଟି ଆଇପିଏଲ୍ ଦଳର ସଦସ୍ୟ କରୋନା ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ସମସ୍ତଙ୍କୁ ମିଶାଇ ମୋଟ ୧୪ ଜଣ ସଂକ୍ରମିତ ହୋଇଛନ୍ତି।

କରୋନା ଭାଇରସରେ ସଂକ୍ରମିତ ହୋଇଥିବା ଚଉଦ ଜଣ ସଦସ୍ୟଙ୍କ ମଧ୍ୟରେ ଜଣେ କ୍ୟାମେରାମ୍ୟାନ୍, ଡାଇରେକ୍ଟର, ପ୍ରଡ୍ୟୁସର, ଇଭିଏସ୍ ଅପରେଟର ଏବଂ ଭିଡିଓ ଏଡିଟର୍, ଅନେକ ଗ୍ରାଉଣ୍ଡ କର୍ମଚାରୀ, ଆସୋସିଏଟ ଷ୍ଟାଫ ମଧ୍ୟ କରୋନା ପଜିଟିଭ୍ ହୋଇଥିବା ଜଣାପଡ଼ିଛି। ପ୍ରସାରଣ ସଂସ୍ଥା ଷ୍ଟାର ଏବେ ତା କ୍ର୍ୟୁ ମାନଙ୍କୁ ନେଇ ଚିନ୍ତିତ ରହିଛି। ଯଦି ଆଇପିଏଲର ଗ୍ରାଉଣ୍ଡ-ଷ୍ଟାଫ୍ ଏବଂ ଇଭେଣ୍ଟ ମ୍ୟାନେଜମେଣ୍ଟ ଦଳ କରୋନାରେ ସଂକ୍ରମିତ ହେଉଛନ୍ତି ତେବେ ଷ୍ଟାର କ୍ର୍ୟୁ ମାନଙ୍କ ସହ ମଧ୍ୟ ସମାନ ଘଟଣା ଘଟିପାରେ। ଏଥିପାଇଁ ଷ୍ଟାର ବହୁତ ଚିନ୍ତିତ ବୋଲି ସୂଚନା ମିଳିଛି ।

ଉଦଘାଟନି ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଆରସିବି ମଧ୍ୟରେ ଘମୋଘୋଟ ଯୁଦ୍ଧ ହେବାକୁ ଯାଉଛି । ଏହି ମ୍ୟାଚ୍‌ ଚେନ୍ନାଇର ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ଶୁକ୍ରବାର ଖେଳାଯିବ। କିନ୍ତୁ ସବୁଠାରୁ ଚିନ୍ତାର କାରଣ ପାଲଟିଛି ଚେନ୍ନାଇର କରୋନା ସଂକ୍ରମଣ। ଚେନ୍ନାଇରେ ଏପ୍ରିଲ ୭ରେ ୩ ହଜାର ୬୪୫ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୫ ଜଣଙ୍କର ମୃତ୍ୟୁ ହୋଇଛି। ଏବଂ ଚେନ୍ନାଇରେ କରୋନା ସଂଖ୍ୟା ୨୫ ହଜାର ଛୁଇଁଛି। ହେଲେ ଯେହେତୁ ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ପ୍ରଥମ ଲିଗ୍‌ ୪ଟି ଦଳକୁ ନେଇ ହେଉଛି , ସେଥିପାଇଁ ତାମିଲନାଡୁ କ୍ରିକେଟ ଆସୋସିଏସନ ପୁରା ପ୍ରସ୍ତୁତ ରହିଛି।

ସେପଟେ ଦିଲ୍ଲୀରେ ମଧ୍ୟ କରୋନା ସଂକ୍ରମଣ ମାଡ଼ିଚାଲିଛି। ସେଥିପାଇଁ ୨୮ରେ ହେବାକୁ ଥିବା ମ୍ୟାଚ ପାଇଁ ଦିଲ୍ଲୀ କ୍ରିକେଟ ଆସୋସିଏସନ ଏପ୍ରିଲ ୧୦ରୁ ଷ୍ଟାଡିୟମକୁ ସଟଡାଉନ କରିବାକୁ ଯାଉଛି। ଷ୍ଟାଡିୟମର କର୍ମଚାରୀ ମାନେ କ୍ୱାରେଣ୍ଟାଇନରେ ରହିବା ସହ ସେମାନେ କେବଳ ଦିଲ୍ଲୀ କ୍ରିକେଟ ଆସୋସିଏସନର ଗାଡ଼ି ବ୍ୟବହାର କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି ।

Latest Posts

Don't Miss