ଦିଲ୍ଲୀ କ୍ୟାପିଟାଲ୍ସକୁ ଝଟକା: ଷ୍ଟାର୍ ବୋଲର କରୋନା ସଂକ୍ରମିତ

ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାପିଟାଲ୍ସ ଟିମକୁ ଲାଗିଲା ଏକ ବଡ଼ ଝଟକା। ଦଳର ପ୍ରମୁଖ ଫାଷ୍ଟ ବୋଲର ଆନରିଚ୍ ନର୍ଜେ କରୋନାରେ ସଂକ୍ରମିତ ହୋଇଛନ୍ତି। ତାଙ୍କ ପୂର୍ବରୁ ଟିମର ଅଲରାଉଣ୍ଡର ଅକ୍ଷର ପଟେଲ ମଧ୍ୟ ସଂକ୍ରମିତ ହୋଇଛନ୍ତି। ଆସନ୍ତାକାଲି ଟିମର ମ୍ୟାଚ୍ ଥିବାବେଳେ ଦଳର ପ୍ରମୁଖ ବୋଲର ଏବେ ଦଳରୁ ବାଦ ପଡ଼ିଛନ୍ତି ।
ସୂଚନା ଅନୁଯାୟୀ ନର୍ଜେ ନେଗେଟିଭ ରିପୋର୍ଟ ସହ ଭାରତ ଆସିଥିଲେ। ଆସିବା ପରେ ସେ ୭ ଦିନ ପର୍ଯ୍ୟନ୍ତ କ୍ୱାରେଣ୍ଟାଇନରେ ରହିଥିଲେ। ହେଲେ କ୍ୱାରେଣ୍ଟାଇନ୍ ପିରିୟଡ୍ ବେଳେ ତାଙ୍କର ପୁଣିଥରେ ଟେଷ୍ଟ କରାଯିବାବେଳକୁ ସେ କରୋନାରେ ସଂକ୍ରମିତ ହୋଇଯାଇଥିଲେ।
ଆସନ୍ତାକାଲି ଦିଲ୍ଲୀ କ୍ୟାପିଟାଲ୍ସ ଓ ରାଜସ୍ଥାନରୟାଲ୍ସ ମଧ୍ୟରେ ମ୍ୟାଚ୍ ହେବାକୁ ଅଛି । ହେଲେ ଏଭଳି ସମୟରେ ଏହି ଖବର ଫ୍ୟାନମାନଙ୍କୁ ନିରାଶ କରିଛି । ଦଳ ସମେତ ଫ୍ୟାନମାନେ ବି ଆଶା କରିଥିଲେ ଯେ କାଗିସୋ ରବାଡ଼ା ଓ ଆନରିଚ୍ ନର୍ଜେଙ୍କ କ୍ୱାରେଣ୍ଟାଇନ ପିରିୟଡ ସରିଯାଇଛି ଓ ସେମାନେ ଆଗାମୀ ମ୍ୟାଚରେ ନିହାତି ସାମିଲ ହେବେ। ଯାହା କି ଦିଲ୍ଲୀ କ୍ୟାପିଟାଲ୍ ଟିମକୁ ଆହୁରି ମଜଭୁତ କରିଦେବ ଏବଂ ବିଜୟ ଆଡ଼କୁ ନେଇଯିବ। ହେଲେ ବର୍ତ୍ତମାନ ନର୍ଜେ କରୋନା ଯୋଗୁ ଦଳରୁ ବାଦ ପଡ଼ିଛନ୍ତି ।
ଶ୍ରେୟସ ଆୟର ଆହତ ହେବା ପରେ ବର୍ତ୍ତମାନ ଋଷଭ ପନ୍ଥ ଦଳର ଅଧିନାୟକର ଦାୟିତ୍ୱ ତୁଲାଉଛନ୍ତି । ଦଳର ନିୟମିତ କ୍ୟାପ୍ଟେନ ନଥିବାବେଳେ ବର୍ତ୍ତମାନ ଦଳର ୨ ଜଣ ପ୍ରମୁଖ ଖେଳାଳି ବି ଦଳରୁ ବାହାରେ ରହିବା ବାସ୍ତବରେ ଫ୍ରାଞ୍ଚାଇଜି ପାଇଁ ଏକ ବଡ଼ ଝଟକା।
ସୂଚନାଯୋଗ୍ୟ, ଗତ ସିଜିନରେ କ୍ରିସ୍ ୱକ୍ସଙ୍କ ରିପ୍ଲେସମେଣ୍ଟ ଭାବେ ନର୍ଜେ ଦଳରେ ସାମିଲ ହୋଇଥିଲେ। ସେ ୧୬ ଟି ମ୍ୟାଚରେ ୨୨ ୱିକେଟ୍ ନେଇ ଦଳକୁ ଫାଇନାଲରେ ପହଞ୍ଚାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଆସନ୍ତାକାଲିର ମ୍ୟାଚରେ ଦର୍ଶକ ରବାଡ଼ାଙ୍କ ସହ ନର୍ଜେଙ୍କ ବୋଲିଂ ଦେଖିବାକୁ ବେଶ୍ ଉତ୍ସାହିତ ଥିଲେ।