ଡାଲମିଆ ସିମେଣ୍ଟ କାରଖାନାରେ ତଦନ୍ତକାରୀ ଟିମ୍, ଖୋଜୁଛନ୍ତି ଦୁର୍ଘଟଣାର କାରଣ
ରାଜଗାଙ୍ଗପୁର: ଡାଲମିଆ ସିମେଣ୍ଟ କାରଖାନାରେ ଘଟି ଯାଇଥିବା ଦୁର୍ଘଟଣାରେ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନର ଚେତା ପଶିଛି । ଆଗକୁ ଯେପରି ଏମିତି ଘଟଣାର ପୁନରାବୃତ୍ତି ନ ଘଟେ ସେ ନେଇ ସଜାଗ ରହିବାକୁ କଡା ତାଗିଦ କରିଛି ଜିଲ୍ଲା ପ୍ରଶାସନ। ଆଜି ଜିଲ୍ଲପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ସମସ୍ତ ଖଣି ଏବଂ କାରଖାନା କର୍ତୁପକ୍ଷଙ୍କୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ନିଜ କର୍ମଚାରୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେବାକୁ ଖଣି ମାଲିକଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।
ସେହିପରି ଦୁର୍ଘଟଣାରେ ୩ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି । ୬ ଜଣିଆ ତଦନ୍ତକାରୀ ଟିମ ଘଟଣାର ତଦନ୍ତ କରୁଛନ୍ତି । କାରଖାନା ଓ ବଏଲର ବିଭାଗର ଦୁଇ ଜଣ ଡେପୁଟି ଡାଇରେକ୍ଟର, ତିନି ଜଣ ଆସିଷ୍ଟାଣ୍ଟ ଡାଇରେକ୍ଟର ଓ ସେଫ୍ଟି ବିଭାଗର ଜଣେ ଡେପୁଟି ଡାଇରେକ୍ଟର ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ସେପଟେ ଜିଲ୍ଲାପାଳଙ୍କ ସମେତ ଜିଲ୍ଲାର ସମସ୍ତ ବରିଷ୍ଠ ଅଧିକାରୀ, ଜିଲ୍ଲାର ସମସ୍ତ ଖଣି ଓ କାରଖାନାର ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ଆଲୋଚନା ଓ ପର୍ଯ୍ୟାଲୋଚନା ଚାଲିଛି । ଯେମିତି ଏଭଳି ଦୁର୍ଘଟଣାର ପୁନରାବୃତି ନହୁଏ ସେଥିପାଇଁ କଡା ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲପାଳ ଏବଂ ଏସପି ।
ଦାୟିତ୍ୱରେ ଅବହେଳା କରିଥିବା କମ୍ପାନୀ ଅଧିକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲପାଳ ଏବଂ ଏସପି କହିଛନ୍ତି । ବୈଠକରେ କେବଳ ଚର୍ଚ୍ଚା ଓ ଆଲୋଚନା ହୋଇ ନାହିଁ ବରଂ ଜିଲ୍ଲପାଳ ଏବଂ ଏସପି ଏପରି ଘଟଣାକୁ ଗୁରୁତର ସହ ନେଇଥିବା କହିଛନ୍ତି । ଏପରି ଘଟଣା ଆଗକୁ ଘଟିଲେ ବିପର୍ଯ୍ୟୟ ପରିଚାଳନା ଆଇନ ଅନୁସାରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉଭୟ ଚେତାବନୀ ଦେଇଛନ୍ତି ।
ବୈଠକରେ ଭାଗ ନେଇଥିବା କମ୍ପାନୀ କର୍ତ୍ତୃପକ୍ଷ ଏହାକୁ ସ୍ୱାଗତ କରିବା ସହ ନିୟମିତ ବ୍ୟବଧାନରେ ଏପରି ବୈଠକ ଆୟୋଜନ ହେବା କଥା ବୋଲି କହିଛନ୍ତି ।