spot_img

Latest Posts

ସରକାରୀ କର୍ମଚାରୀଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ମାଡ଼ ମାରିବା ଘଟଣା : ସିସିଟିଭି ଫୁଟେଜ ଯାଞ୍ଚ କରୁଛି ପୋଲିସ

ବାରିପଦା: ଦୁଇ ସରକାରୀ ଅଧିକାରୀଙ୍କୁ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ମାଡ଼ ମାରିବା ଘଟଣାର ତଦନ୍ତକୁ ପୋଲିସ ତ୍ୱରାନ୍ୱିତ କରିଛି । ମୟୂରଭଞ୍ଜ ଏସ୍‌ପି ଋଷିକେଶ ଖିଲାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚାଲିଛି ତଦନ୍ତ । ଅତିରିକ୍ତ ଏସ୍‌ପି ସୁରେଶ ପାତ୍ର ତଦନ୍ତର ସୁପରଭାଇଜ୍‌ କରୁଛନ୍ତି । କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟଡୁଙ୍କ କାର୍ଯ୍ୟାଳୟକୁ ଦୁଇ ଅଧିକାରୀ ଯିବା ଓ ଫେରିବା ସମୟର ସିସିଟିଭି ଫୁଟେଜ୍‌ ପୋଲିସ ସଂଗ୍ରହ କରିଛି । ଅଧିକାରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ମଧ୍ୟରେ ବାର୍ତ୍ତାଳାପର ରେକର୍ଡିଂ, ମେଡିକାଲ ରିପୋର୍ଟ ଓ ବିଭିନ୍ନ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ତଦନ୍ତ ଚାଲିଛି ।

ସୂଚନା ଯୋଗ୍ୟ ଯେ, କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ୨ ସରକାରୀ କର୍ମଚାରୀଙ୍କୁ ମାଡ଼ ମାରିଥିବା ନେଇ ବାରିପଦା ଟାଉନ ଥାନାରେ ମାମଲା ରୁଜୁ ହୋଇଛି । ମନ୍ତ୍ରୀଙ୍କ ବିରୋଧରେ ୫୦/୨୨ରେ ମାମଲା ରୁଜୁ ହେବା ସହ ୩୨୩, ୩୨୫, ୩୪୧, ୨୯୪ ଓ ୫୦୬ ଦଫା ଲଗାଇଛି ପୋଲିସ ।

କେନ୍ଦ୍ରମନ୍ତ୍ରୀଙ୍କ ମାଡ଼ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କେନ୍ଦ୍ରର ଦୁଇ ଅଧିକାରୀ ଗୁରୁତର ଆହତ ହୋଇଥିବା ଅଭିଯୋଗ ହୋଇଛି । ସେମାନେ ପିଆରଏମ ମେଡିକାଲରେ ଭର୍ତ୍ତି ହୋଇଥିଲେ । ଉପନିର୍ଦ୍ଦେଶକ ଅଶ୍ୱିନୀ କୁମାର ମଲ୍ଲିକ ଓ ସହକାରୀ ନିର୍ଦ୍ଦେଶକ ଦେବାଶିଷ ମହାପାତ୍ର ଗୁରୁତର ଆହତ ହୋଇଥିଲେ । ଦେବାଶିଷଙ୍କ ବାମ ହାତ ଭାଙ୍ଗି ଯାଇଥିବା ବେଳେ ତାଙ୍କୁ କଟକ ବଡ଼ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ । ବିଜେପି ପାର୍ଟି ଅଫିସ ମଧ୍ୟରେ କବାଟ ବନ୍ଦ କରି ଚେୟାରରେ ଆକ୍ରମଣ କରି ହାତ ଭାଙ୍ଗିବା ସହିତ ବିଶ୍ୱେଶ୍ୱର ପ୍ରବଳ ମାଡ଼ ମାରିଥିବା ଅଭିଯୋଗ ହୋଇଛି ।

ଏହି ଦୁଇ ଅଧିକାରୀଙ୍କୁ ବିଶ୍ୱେଶ୍ୱର ଟୁଡୁ ବାରିପଦା ସ୍ଥିତ ବିଜେପି ପାର୍ଟି ଅଫିସକୁ ଏମପି ଲାଡ୍ ସମ୍ପର୍କିତ ଫାଇଲ୍ ଧରି ଆସିବା ପାଇଁ କହିଥିଲେ । କିନ୍ତୁ କୋଡ୍ ଅଫ୍ କଣ୍ଡକ୍ଟ ଲାଗିଥିବାରୁ ପାର୍ଟି ଅଫିସକୁ ଯାଇପାରିବେନି ବୋଲି ଦୁଇ ଅଧିକାରୀ କହିଥିଲେ । କିନ୍ତୁ ଏହାପରେ ଦିଲ୍ଲୀ ଅଫିସରୁ ଫୋନ୍ ଆସିବାରୁ ଦୁଇ ଅଧିକାରୀ ପାର୍ଟି ଅଫିସକୁ ଯିବାକୁ ବାଧ୍ୟ ହୋଇଥିଲେ। ସେମାନଙ୍କୁ ମନ୍ତ୍ରୀଙ୍କ ପିଏ ଫୋନ କରି ଫାଇଲ ନନେଇ କେବଳ ଆଲୋଚନା ପାଇଁ ଆସିବାକୁ କହିଥିଲେ। ତେଣୁ ଏହି ଦୁଇ ଅଧିକାରୀ ପାର୍ଟି ଅଫିସକୁ ମନ୍ତ୍ରୀଙ୍କ ସହ ଆଲୋଚନା ପାଇଁ ଯାଇଥିଲେ। ପାର୍ଟି ଅଫିସ୍‌ରେ ପହଞ୍ଚିବା ମାତ୍ରେ ଏହି ଦୁଇ ଅଧିକାରୀଙ୍କୁ ମନ୍ତ୍ରୀ ପ୍ରଥମେ ଲୁହା ରଡରେ ଆକ୍ରମଣ କରିବାକୁ ଉଦ୍ୟତ ହୋଇଥିବା ଅଭିଯୋଗ ହୋଇଛି । ପରେ ପ୍ଲାଷ୍ଟିକ ଚେୟାରରେ ସହକାରୀ ନିର୍ଦ୍ଦେଶକଙ୍କୁ ଆକ୍ରମଣ କରିଥିଲେ।

Latest Posts

Don't Miss