ବାରପଦା: ରିଲ୍ସ ହେଲା କାଳ। ଗୋଡ଼ ଖସିଯିବାରୁ ପାଣି ସ୍ରୋତରେ ଭାସିଗଲା ନାବାଳକ। ଦୀର୍ଘ ସମୟ ଧରି ଅଗ୍ନିଶମ ବାହିନୀର ଉଦ୍ଧାର କାର୍ଯ୍ୟ ପରେ ମିଳିଲା ନାବାଳକର ମୃତଦେହ। ମୃତକ ନାବାଳକ ହେଲେ ଚାନ୍ଦୁଆ ଥାନା ଅନ୍ତର୍ଗତ ମାରାଙ୍ଗତାଣ୍ଡି ପଞ୍ଚାୟତ ଝିନେଇ ଗାଁର ମଣି ସିଂଙ୍କ ୧୪ ବର୍ଷୀୟ ପୁଅ ରିତୁରାଜ ସିଂ। ଜନ୍ମାଷ୍ଟମୀ ପାଇଁ ସ୍କୁଲ ଛୁଟି ଥିବାରୁ ଗତକାଲି ସନ୍ଧ୍ୟା ସମୟରେ ସୁବର୍ଣ୍ଣରେଖା ମୁଖ୍ୟ କେନାଲର କେଉଟୁଣୀ ମାରୀ ଠାରେ ରିଲ୍ସ୍ କରିବାକୁ ସାଙ୍ଗମାନଙ୍କ ସହ କେନାଲକୁ ଯାଇଥିଲେ। ଗୋଡ଼ ଖସିଯିବାରୁ ପାଣିର ପ୍ରଖର ସ୍ରୋତରେ ଭାସି ଯାଇଥିଲା। ସେପଟେ ସାଙ୍ଗ ମାନେ ଭୟରେ ବଞ୍ଚାଇବାକୁ ମଧ୍ଯ ସାହସ କରି ପାରିନଥିଲେ। ଘଟଣା ସମ୍ପର୍କରେ ନାବାଳକର ପରିବାର ଲୋକଙ୍କୁ ଖବର ଦେଇଥିଲେ ସାଙ୍ଗମାନେ। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଜଳସେଚନ ବିଭାଗର ଅଧିକାରୀଙ୍କୁ ଅବଗତ ପରେ ପାଣି ବନ୍ଦ କରି ଚାଲିଥିଲା ଉଦ୍ଧାର କାର୍ଯ୍ୟ। ଦୀର୍ଘ ସମୟ ପରେ ନାବାଳକର ମୃତଦେହ ଉଦ୍ଧାର କରିଥିଲା ଅଗ୍ନିଶମ ବିଭାଗ। ଘଟଣାସ୍ଥଳରେ ଚାନ୍ଦୁଆ ପୋଲିସ ପହଞ୍ଚି ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ବାରିପଦା ସ୍ଥିତ ପଣ୍ଡିତ ରଘନାଥ ମୁର୍ମୁ ମେଡିକାଲକୁ ପଠାଇଥିଲା।

