ଆହୁରି ଶକ୍ତିଶାଳୀ ହେବ ନୌସେନା: ଆସନ୍ତାକାଲି ସାମିଲ ହେବ ନୂଆ ରକ୍ଷକ ଆଇଏନ୍‌ଏସ୍ ବିଶାଖାପାଟନମ୍

ମୁମ୍ୱାଇ: ସମୁଦ୍ରକୁ ଓହ୍ଲାଇବ ଦେଶର ନୂଆ ରକ୍ଷକ । ହିନ୍ଦ ଓ ପ୍ରଶାନ୍ତ ମହାସାଗରରେ ବଢ଼ିବ ଭାରତର ଶକ୍ତି । କାଲି ନୌସେନାରେ ସାମିଲ ହେବ ଆଇଏନଏସ୍ ବିଶାଖାପଟନମ । ସ୍ବଦେଶ ଜ୍ଞାନ କୌଶଳରେ ନିର୍ମିତ ଆଇଏନଏସ୍ ବିଶାଖାପଟନମକୁ କାଲି ନୌସେନାରେ ସାମିଲ କରାଇବେ ରକ୍ଷା ମନ୍ତ୍ରୀ ରାଜନାଥ ସିଂ । ବିଧ୍ବଂସୀ ହତିଆର, ମିସାଇଲ୍ ଲେସରେ ନିର୍ମାଣ ହୋଇଛି ଆଇଏନଏସ୍ ବିଶାଖାପଟନମ ।

ବାୟୁସେନାର ଆକ୍ରମଣରୁ ବର୍ତ୍ତିବା ପାଇଁ ୩୨ ବାରାକ୍ ମିସାଇଲ୍ ଖଞ୍ଜା ହୋଇଛି । ଏଥିସହ ୭୬ ଏମଏମ ସୁପରର ଗନ୍ ମଧ୍ୟ ରହିଛି । ସମୁଦ୍ରତଟରେ ସମ୍ମୁଖରୁ ଆସୁଥିବା ସମସ୍ତ ଶତ୍ରୁକୁ ଧ୍ବଂସ କରିବାର କ୍ଷମତା ରଖିଛି ଆଇଏନଏସ୍ ବିଶାଖାପଟନମ । ଏହାର ଓଜନ ୭ ହଜାର ୪୦୦ ଟନ୍ ହୋଇଥିବାବେଳେ ଏହାର ଲମ୍ବ ହେଉଛି ୧୬୩ ମିଟର ଓ ଚଉଡା ହେଉଛି ୧୭ ମିଟର । ଘଣ୍ଟାକୁ ୫୫.୫୬ କିଲୋମିଟର ବେଗରେ ଦୌଡିବ ଆଇଏନଏସ୍ ବିଶାଖାପଟନମ । ଭାରତ ଓ ଇସ୍ରାଏଲ ଏକ ହୋଇ ଏହାକୁ ନିର୍ମାଣ କରିଥିବାବେଳେ ଭାରତର ୭୫ ପ୍ରତିଶତ ସ୍ବଦେଶୀ ଜ୍ଞାନ କୌଶଳ ଏଥିରେ ସ୍ଥାନ ପାଇଛି । ନୌସେନାରେ ଆଇଏନଏସ୍ ବିଶାଖାପଟନମ ସାମିଲ ହେବା ପରେ ସମୁଦ୍ରରେ ଆହୁରି ଶକ୍ତିଶାଳୀ ହେବ ଭାରତ ।

ଏଥିସହିତ ପଢ଼ନ୍ତୁ: କେଉଁ ରାସ୍ତାରେ କେତେ ବେଗରେ ଚଳାଇବେ ଗାଡ଼ି ?

Leave a Reply