ନୌସେନାରେ ସାମିଲ ହେବ INS ବିକ୍ରାନ୍ତ, ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

1 min read

ନୂଆଦିଲ୍ଲୀ: ଶକ୍ତିଶାଳୀ ହେବ ଭାରତୀୟ ନୌସେନା । ଶୁକ୍ରବାର ଉଦଘାଟିତ ହେବ ଆଇଏନଏସ ବିକ୍ରାନ୍ତ । ସ୍ବଦେଶୀ କାରିଗରିରେ ନିର୍ମିତ ଦେଶର ସର୍ବବୃହତ ମହାଶକ୍ତିଶାଳୀ ଯୁଦ୍ଧ ଜାହାଜ ଆଇଏନଏସ ବିକ୍ରାନ୍ତ । କେରଳ କୋଚି ସିପୟାର୍ଡରୁ ବିକ୍ରାନ୍ତକୁ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତୀୟ ନୌସେନାର ଓ୍ବାରସିପ ଡିଜାଇନ ବ୍ୟୁରୋ ଦ୍ବାରା ନିର୍ମିତ ଏୟାରକ୍ରାଫ୍ଟ କ୍ୟାରିୟର ଉତ୍ସର୍ଗ ପରେ ଦେଶର ସାମୁଦ୍ରିକ ପ୍ରତିରକ୍ଷା କ୍ଷେତ୍ରରେ ଯୋଡ଼ାହେବ ନୂଆ ଇତିହାସ ।

ଭାରତୀୟ ମହାସାଗରରେ ରାଜ୍ କରିବା କ୍ଷେତ୍ରରେ ଆଇଏନଏସ ବିକ୍ରାନ୍ତ ପ୍ରମୁଖ ଭୂମିକା ଗ୍ରହଣ କରିବ । ୨୬୨ ମିଟର ଦୈର୍ଘ୍ୟ ଆଇଏନଏସ ବିକ୍ରାନ୍ତରେ ରହିବାକୁ ଥିବା ପ୍ରାୟ ୩୦ଟି ବିମାନ ଲାଗି ଭାରତ ନିକଟରେ ପ୍ରସ୍ତାବ ଦେଇଛନ୍ତି ଫ୍ରାନ୍ସର ଡାସଲଟ ଓ ବୋଇଂ । ଆଇଏନଏସ ବିକ୍ରାନ୍ତରେ ୧୭୦୦ରୁ ଅଧିକ ଯାତ୍ରୀ ବା ସୈନିକ ଯାଇପାରିବେ । ଏଥିରେ ୨୩୦୦ କମ୍ପାର୍ଟମେଣ୍ଟ ରହିଛି ।

ଆଇଏନଏସ ବିକ୍ରାନ୍ତ  ଏକାଥରକେ ୭ହଜାର ୫୦୦ ନଟିକାଲ ମାଇଲ ଗତିକରିପାରିବ । ଏଥିରେ ମିଗ-୨୯ ବିମାନ ରହିପାରିବ । ଏହାର ଉଚ୍ଚତା ୫୯ ମିଟର ହୋଇଥିବାବେଳେ ଫାଇଟର ଜେଟ ଓ ହେଲିକପ୍ଟର ପରିବହନ କରାଯାଇପାରିବ । ବିକ୍ରାନ୍ତର ୭୫ ପ୍ରତିଶତ କମ୍ପାର୍ଟମେଣ୍ଟ ସ୍ବଦେଶୀ କାରିଗରିରେ ନିର୍ମିତ । ପ୍ରତିରକ୍ଷା କ୍ଷେତ୍ର ପାଇଁ ଏକ ପ୍ରକାର କବଚ ସାଜିବ ଆଇଏନଏସ ବିକ୍ରାନ୍ତ  । ତେଣୁ ଏଭଳି ବିଶାଳ ଜାହାଜର ଉଦଘାଟନ ଉତ୍ସବକୁ ଦେଖିବା ପାଇଁ ଉତ୍ସୁକତାର ସହ ଚାହିଁ ରହିଛନ୍ତି କେରଳବାସୀ  ।