ସୁସ୍ଥ ଓଡ଼ିଶା ଗଠନ ପାଇଁ ଡାକ୍ତରଙ୍କ ଅଭିନବ ପ୍ରୟାସ

ରାଉରକେଲା : ସ୍ବାସ୍ଥ୍ଯର ଯତ୍ନନେଲେ ଦୂରେଇ ହେବ ରୋଗ । ହସ୍ପିଟାଲ ଖର୍ଚ୍ଚରୁ ବଞ୍ଚିବାକୁ ନିଜେ ସଚେତନ ହେବା ଆବଶ୍ଯକ । ସ୍ବାସ୍ଥ୍ଯ ଟୁଙ୍ଗିରେ ମିଳୁଛି ସ୍ବାସ୍ଥ୍ଯ ସମ୍ପର୍କିତ ପରାମର୍ଶ । ଆଉ ଏହି ପରାମର୍ଶ ଦେଉଛନ୍ତି ନିଜେ ଡାକ୍ତର । ରାଉରକେଲା ସହରର ଛେଣ୍ଡ କଲୋନୀରେ ଡାକ୍ତର ବିଶ୍ବଜିତ ମହାପାତ୍ର ପ୍ରତିଷ୍ଠା କରିଛନ୍ତି ସ୍ବାସ୍ଥ୍ୟ ଟୁଙ୍ଗି । ଔଷଧୀୟ ଯୋଗ, ଥେରାପ୍ଯୁଟିକ ଜୀବନ ପରିବର୍ତ୍ତନ, ମାନିସକ ସ୍ବାସ୍ଥ୍ୟ, ଖାଦ୍ୟ ଓ ପୋଷଣ, ରୋଗ ରିଭର୍ସାଲ, ଧ୍ୟାନ ଓ ସ୍ବୟଂ ସ୍ବାସ୍ଥ୍ୟଶିକ୍ଷା ଗ୍ରହଣ କଲେ ଔଷଧର ଆବଶ୍ଯତା ନାହି ବୋଲି କହିଛନ୍ତି ଡାକ୍ତର । ଡାକ୍ତର ବିଶ୍ବଜିତ ମହାପାତ୍ର ନୋ ପ୍ରେସକ୍ରିପସନ ପଏଣ୍ଟ ପ୍ରତିଷ୍ଠା କରି ଲୋକଙ୍କୁ କରୁଛନ୍ତି ସଚେତନ । ସ୍ବାସ୍ଥ୍ୟର ଯତ୍ନ ନେଵା ସହ ସଠିକ ପୋଷଣଯୁକ୍ତ ଖାଦ୍ୟ ଖାଇବାକୁ ପରାମର୍ଶ ଦେଉଛନ୍ତି ।

ଆଜିର ସମୟରେ ରୋଗ ମଣିଷର ବଡ଼ ଶତ୍ରୁ । ଦିନକୁ ଦିନ ନୂଆ ନୂଆ ରୋଗ ମଣିଷକୁ ଆକ୍ରାନ୍ତ କରୁଛି । ଆଉ ଔଷଧ ଓ ହସପିଟାଲ ଖର୍ଚ୍ଚ ଲୋକଙ୍କୁ କାଙ୍ଗାଳ କରିଦେଉଛି । ତେଣୁ ଏଥିରୁ ମୁକ୍ତି ପାଇବାକୁ ନିଜ ଶରୀରକୁ ନିଜେ ଧ୍ୟାନ ଦେଵା ଓ ନିଜ ଶରୀରକୁ ଜାଣିବା ଜରୁରୀ । ଖାଦ୍ୟ ପାନୀୟର ଯତ୍ନ ନେଵା ସହ ବ୍ୟାୟାମ, ଯୋଗ ଧ୍ୟାନ କଲେ ଆମେ ନିଜକୁ ନିରୋଗୀ ଓ ସୁସ୍ଥ ରଖିପାରିବା । ଏନେଇ ସ୍ବାସ୍ଥ୍ଯ ଟୁଙ୍ଗିରେ ବିଭିନ୍ନ ଉପଦେଶ ଦେଉଛନ୍ତି ଡାକ୍ତର । ଖାଲି ସେତିକି ନୁହେଁ ବରିଷ୍ଠ ନାଗରିକମାନେ ରୋଗ ପ୍ରତିରୋଧକ ପାଇଁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରି ସଫଳ ହେଉଥିବା ମଧ୍ଯ କହିଛନ୍ତି । ନୋ ପ୍ରେସକ୍ରିପସନ ପଏଣ୍ଟରେ ଡାକ୍ତରୀ ଦଳ ରୋଗୀଙ୍କୁ ଦେଉଛନ୍ତି ସୁସ୍ଥ ରହିବାର ବିଭିନ୍ନ ଟିପ୍ସ ।