ଝାରପଡା ଜେଲ କର୍ତ୍ତୃପକ୍ଷଙ୍କ ଭିନ୍ନ ପ୍ରୟାସ, ଧନ୍ଦାମୂଳକ କାର୍ଯ୍ୟର ପ୍ରଶିକ୍ଷଣ ନେବେ କଏଦୀ

ଭୁବନେଶ୍ୱର: ଝାରପଡା ଜେଲ କର୍ତ୍ତୃପକ୍ଷଙ୍କ ଭିନ୍ନ ପ୍ରୟାସ । ଜେଲ ଅନ୍ତେବାସୀ ମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ଲାଗି ପ୍ରୟାସ ଆରମ୍ଭ କରିଛନ୍ତି ଝାରପଡା ଜେଲ କର୍ତ୍ତୃପକ୍ଷ । ବିଭିନ୍ନ ଧନ୍ଦାମୂଳକ କାର୍ଯ୍ୟର ପ୍ରଶିକ୍ଷଣ ଦେବା ସହ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀକୁ ମାର୍କେଟିଂ କରିବା ଲାଗି ବ୍ୟବସ୍ଥା କରିଛନ୍ତି ଜେଲ କର୍ତ୍ତୃପକ୍ଷ । ଜେଲର ମହିଳା କଏଦୀଙ୍କ ଦ୍ଵାରା ପ୍ରସ୍ତୁତ ସାମଗ୍ରୀ ବିକ୍ରି କରିବା ଲାଗି ଏକ ଆଉଟଲେଟକୁ ଉଦଘାଟନ କରିଛନ୍ତି ଜେଲ ଡିଜି ସନ୍ତୋଷ ଉପାଧ୍ୟକ୍ଷ ।

ଏହି ଆଉଟଲେଟରେ ପ୍ରାଥମିକ ଭାବେ କଏଦୀଙ୍କ ଦ୍ଵାରା ପ୍ରସ୍ତୁତ ହୋଇଥିବା ହଳଦୀ, ଅଟା, ବେସନ ଓ ମୁଢି ବିକ୍ରୀ ଲାଗି ଉପଲବ୍ଧ କରାଯାଇଛି । ଆସନ୍ତା ମାସରେ କଏଦୀଙ୍କ ଦ୍ଵାରା ପ୍ରସ୍ତୁତ ହୋଇଥିବା ସୋରିଷ ତେଲକୁ ବିକ୍ରି ଲାଗି ଉପଦବ୍ଧ କରାଯିବ । ଏହି ସାମଗ୍ରୀ ବଜାର ଦରଠାରୁ ଅପେକ୍ଷାକୃତ କମ୍ ଓ ଅପମିଶ୍ରଣ ଭୟ ନଥିବା ଜେଲ କର୍ତ୍ତୁପକ୍ଷ ସୂଚନା ଦେଇଛନ୍ତି ।

ସେହିପରି ନୂଆ ଜେଲ ମ୍ୟାନୁଆଲ ଅନୁଯାୟୀ ବଦଳିବ ଝାରପଡା ଜେଲ କଏଦୀଙ୍କ ମୁଲାକାତ ବ୍ୟବସ୍ଥା । ଟ୍ରାନ୍ସପ୍ୟାରେନ୍ସ କୋଚ ଗ୍ଲାସ୍ ସାଙ୍ଗକୁ ହେବ ଇଣ୍ଟରକମ ଫୋନ ବ୍ୟବସ୍ଥା । ପ୍ରଥମ ପର୍ଯ୍ୟାୟରେ 16 ଯୋଡ଼ା ଇଣ୍ଟରକମ ବ୍ୟବସ୍ଥା କରାଯିବାସହ କଏଦୀ ସେମାନଙ୍କ ସମ୍ପର୍କୀୟ ଓ ଓକିଲଙ୍କ ସହିତ ବିନା ବାଧାରେ ଆଲୋଚନା କରିପାରିବେ । ଏହାଛଡା ସଜା କାଟୁଥିବା କଏଦୀଙ୍କ ଦୈନିକ ବେତନ 100 ଟଙ୍କା ବୃଦ୍ଧି କରିବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛି ଜେଲ ବିଭାଗ ।

Leave a Reply