ନାବାଳିକା ଗଣଦୁଷ୍କର୍ମ ମାମଲା, ୧୪ ଦିନିଆ ବିଚାର ବିଭାଗୀୟ ହାଜତ ଗଲେ ୪ ଅଭିଯୁକ୍ତ

1 min read

ଭୁବନେଶ୍ୱର: ସାଢ଼େ ତିନିମାସର ଛକାପଞ୍ଛା । ଶେଷରେ ଅଭିଯୁକ୍ତଙ୍କୁ ଧରିଲା କ୍ରାଇମବ୍ରାଞ୍ଚ । ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲାରେ କ୍ରାଇମବ୍ରାଞ୍ଚ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୪ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ପରେ ସେମାନଙ୍କୁ ପକସୋ କୋର୍ଟରେ ହାଜର କରିଥିଲା କ୍ରାଇମବ୍ରାଞ୍ଚ । ପକସୋ କୋର୍ଟ ଜାମିନ୍ ନାମଞ୍ଜୁର କରିବା ସହ ୪ ଅଭିଯୁକ୍ତଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି ।

Infocity Minor Girl Rape Case, Pocso Court Rejected 4 Accused Bail Plea

ଝାରପଡ଼ା ଜେଲ୍ ହେଲା ୪ ଅଭିଯୁକ୍ତଙ୍କ ନୂଆ ଠିକଣା । ନାବାଳିକା ଗଣଦୁଷ୍କର୍ମ ମାମଲାରେ ବନ୍ଧା ହୋଇଥିବା ଓଟିଭି କର୍ମଚାରୀ ଅନିରୁଦ୍ଧ ପଣ୍ଡା, କୃଷ୍ଣ ବେହେରାଙ୍କ ସହ ଓଟିଭିରେ ନିୟୋଜିତ ଗ୍ରୁପ-୪ର ୨ ସିକ୍ୟୁରିଟି ଗାର୍ଡଙ୍କୁ ଝାରପଡ଼ା ଜେଲ୍ ପଠାଇ ଦିଆଯାଇଛି । ପକସୋ କୋର୍ଟରେ ଜାମିନ୍ ନାମଞ୍ଜୁର ପରେ ଓକଲି ପ୍ରତିକ୍ରିୟା ରଖିଛନ୍ତି । କ୍ରାଇମବ୍ରାଞ୍ଚର ପ୍ରାଥମିକ ତଦନ୍ତ ରିପୋର୍ଟରେ ଅଭିଯୁକ୍ତଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ମିଳିଥିବା ଓକିଲ ସୂଚନା ଦେଇଛନ୍ତି । ପ୍ରମାଣ ମିଳିବା ପରେ ଅଭିଯୁକ୍ତଙ୍କ ବିରୋଧରେ ୩୭୬ (ଡି), ୬ ପକସୋ ଆକ୍ଟ ପରି ସଙ୍ଗୀନ ଦଫା ଲଗାଇ କ୍ରାଇମବ୍ରାଞ୍ଚ ଗିରଫ କରିଛି । ମାମଲାରେ ୪ ଜଣ ଗିରଫ ହୋଇଥିବା ବେଳେ ଅନ୍ୟ ୩ ଜଣ ଅଭିଯୁକ୍ତ ଫେରାର୍ ଅଛନ୍ତି ।

Infocity Minor Girl Rape Case, Pocso Court Rejected 4 Accused Bail Plea

ଅଭିଯୁକ୍ତଙ୍କୁ ଜାମିନ୍ ଦେଲେ ମାମଲାକୁ ପ୍ରଭାବିତ କରିବାକୁ ଉଦ୍ୟମ କରିବେ । ତେଣୁ ଗିରଫ ଅଭିଯୁକ୍ତଙ୍କୁ ଜାମିନ୍ ନଦେବା ଲାଗି ପୀଡ଼ିତାଙ୍କ ଓକିଲ ସିତାଂଶୁ ମୋହନ ଦ୍ୱିବେଦୀ ଦାବି କରିଥିଲେ । ଅନ୍ୟପଟେ ମାମଲାରେ ସତ୍ୟତା ନାହିଁ ବରଂ ରାଜନୈତିକ ଅଭିସନ୍ଧି ରଖି ମାମଲା କରାଯାଇଥିବା ଅଭିଯୁକ୍ତଙ୍କ ଓକିଲ କହିଛନ୍ତି । ଦୁଷ୍କର୍ମ ମାମଲାରେ ଯାହା ସବୁ ପ୍ରମାଣ ରହିବା କଥା ନାହିଁ ବୋଲି କହିଛନ୍ତି ଅଭିଯୁକ୍ତଙ୍କ ଓକିଲ । ରବିବାର ବିଳମ୍ବିତ ରାତିରେ କ୍ରାଇମବ୍ରାଞ୍ଚ ଓଟିଭିର ୨ କର୍ମଚାରୀ ଓ ୨ ସିକ୍ୟୁରିଟି ଗାର୍ଡ ଏମିତି ୪ ଜଣଙ୍କୁ ଗିରଫ କରିଥିଲା । କ୍ୟାପିଟାଲ୍ ହସ୍ପିଟାଲରେ ଡାକ୍ତରୀ ମାଇନା ପରେ କ୍ରାଇମବ୍ରାଞ୍ଚ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିଲା । ପକସୋ କୋର୍ଟ ଜାମିନ୍ ଅଗ୍ରାହ୍ୟ କରି ଅଭିଯୁକ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି ।

Infocity Minor Girl Rape Case, Pocso Court Rejected 4 Accused Bail Plea
FILE

ଅନ୍ୟପଟେ ଏହି ମାମଲାରେ ବାରମ୍ବାର ନୋଟିସ୍ ସତ୍ତ୍ୱେ ଶିଶୁ ସୁରକ୍ଷା ଅଧିକାର ଆୟୋଗରେ ହାଜିରା ଦେଉନଥିବା ଓଟିଭି ଏମଡି ଜଗି ମଙ୍ଗତ ପଣ୍ଡା ଶେଷରେ ମୁଣ୍ଡ ନୂଆଁଇଛନ୍ତି । ଜଗି ବ୍ୟକ୍ତିଗତ ହାଜିରା ଦେଇନଥିଲେ ମଧ୍ୟ ଭିଡିଓ କନଫରେନ୍ସିଂ ମାଧ୍ୟମରେ ନିଜ ବୟାନ ରେକର୍ଡ କରିଛନ୍ତି । ପୂର୍ବରୁ ତାଙ୍କୁ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ପକ୍ଷରୁ ନୋଟିସ୍ ଜାରି କରାଯାଇଥିଲା  ବେଳେ ଆଜି ଓଟିଭି ଏମ୍‌ଡି ଭର୍ଚୁଆଲରେ ହାଜର ହୋଇଛନ୍ତି । ସେପଟେ କ୍ରାଇମବ୍ରାଞ୍ଚର ତଦନ୍ତକାରୀ ଅଧିକାରୀ ଓ ଅଭିଯୋକାରିଣୀଙ୍କୁ ମଧ୍ୟ ହାଜର ହେବା ପାଇଁ ନୋଟିସ୍ ଜାରି କରିଛନ୍ତି ଆୟୋଗ ।

Leave a Reply