ନବଜାତକକୁ ବୋରୱେଲରେ କିଏ ଫୋପାଡିଥିଲା? ନିଜ ଆଡୁ ମାମଲା ରୁଜୁ କଲା ପୋଲିସ, ଖୋଳତାଡ଼ ଆରମ୍ଭ

1 min read

ରେଙ୍ଗାଲୀ: କିଏ ସେ ନିର୍ଦ୍ଦୟୀ, କିଏ ସେ ନୃଶଂସ ? ନବଜାତକକୁ କିଏ ବୋରଓ୍ବେଲରେ ଫିଙ୍ଗିଥିଲା ତାକୁ ନେଇ ଆରମ୍ଭ ହୋଇଛି ତନାଘନା । ଶିଶୁ କନ୍ୟାକୁ ହତ୍ୟା ଉଦ୍ୟମ କରିଥିବା ଅଜଣା ଅଭିଯୁକ୍ତ ବିରୋଧରେ ରେଙ୍ଗାଲୀ ଥାନାରେ ନିଜ ଆଡୁ ମାମଲା ରୁଜୁ କରିଛି ପୋଲିସ । IPC 307 ଦଫାରେ ପୋଲିସ ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଗାଁ ଲୋକଙ୍କୁ ପଚରାଉଚରା ପରେ ଛାନଭିନ ଆରମ୍ଭ ହେବ ବୋଲି ସମ୍ବଲପୁର ଅତିରିକ୍ତ ଏସପି ସୂଚନା ଦେଇଛନ୍ତି । ସମ୍ବଲପୁର ଏସପିଙ୍କ ନିର୍ଦ୍ଦେଶରେ ଚାଲିଛି ଖୋଳତାଡ । ଏଭଳି ଘଟଣାକୁ ଯେତେ ସମାଲୋଚନା, ନିନ୍ଦା କଲେ ବି କମ୍ ପଡ଼ିଯିବ । ଶିଶୁଟି କନ୍ୟା ହୋଇଥିବା ବେଳେ ଶିଶୁଟିର ବାପାମାଆଙ୍କ ପରିଚୟ ମିଳିପାରିନି । କିଏ ଏଭଳି ପଶୁ ଭଳି କାମ କରିଛି ତାହା ମଧ୍ୟ ଅସ୍ପଷ୍ଟ ରହିଛି ।

ଅଧିକ ପଢନ୍ତୁ:- କିଭଳି ରହିଛି ବୋରୱେଲରୁ ଉଦ୍ଧାର ନବଜାତ ଶିଶୁ କନ୍ୟାର ସ୍ୱାସ୍ଥ୍ୟବସ୍ଥା, ଜାଣନ୍ତୁ…

୫୦ ବର୍ଷ ତଳେ ଖୋଳା ଯାଇଥିଲା ବୋରଓ୍ବେଲ । ୨୫ ବର୍ଷ ହେଲା ପରିତ୍ୟକ୍ତ ଅବସ୍ଥାରେ ଥିଲା ବୋରଓ୍ବେଲ । ରେଙ୍ଗାଲି ଅଞ୍ଚଳର ଶ୍ରୀରାମ ଅଗ୍ରୱାଲ କାଜୁ ଫିଲ୍ଡ ପାଇଁ ଖୋଲିଥିଲେ ବୋରଓ୍ବେଲ । ଅବୈଧ ସମ୍ପର୍କରୁ ଶିଶୁକନ୍ୟା ଜନ୍ମ ହେବା ପରେ ଶିଶୁ କନ୍ୟାକୁ ମାରିବା ପାଇଁ କେହି ବୋରଓ୍ବେଲ ପାଇପ ଭିତରେ ପକାଇ ଦେଇଥିବା ସନ୍ଦେହ କରାଯାଉଛି । କେହି ଜାଣିଦେବା ଭୟରେ ବୋରଓ୍ବେଲ ଉପରେ ପଥରକୁ ଘୋଡାଇ ଦିଆଯାଇଥିଲା । ହେଲେ ଶିଶୁ କନ୍ୟାଟି କାନ୍ଦିବା ପରେ ଆରମ୍ଭ ହୋଇଥିଲା ଉଦ୍ଧାର କାର୍ଯ୍ୟ ।

ଖବର ପାଇବା କ୍ଷଣି ପୋଲିସ, ବ୍ଲକ ପ୍ରଶାସନ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ରେସ୍କ୍ୟୁ ଅପରେସନ ଆରମ୍ଭ କରିଥିଲେ । ୩ଟି ଜେସିବି ସହାୟତାରେ ସମାନ୍ତରାଳ ଗାତ ଖୋଳିବା ଆରମ୍ଭ ହୋଇଥିଲା । ଡାକ୍ତରୀ ଦଳ ପହଞ୍ଚି ନବଜାତକର ପାଖକୁ ଅକ୍ସିଜେନ ପାଇପ ପଠାଇଥିଲେ । ତୁରନ୍ତ ଝାରସୁଗୁଡ଼ାରୁ ଓଡ୍ରାଫ ଟିମ୍ ଯାଇ ରେସ୍କ୍ୟୁ ଅପରେସନରେ ସାମିଲ ହୋଇଥିଲା । ଗାତ ଖୋଳି ପାଇପ ନିକଟରେ ପହଞ୍ଚିଥିଲା ଉଦ୍ଧାରକାରୀ ଦଳ। ପରେ ଭୁବନେଶ୍ବରରୁ ବିମାନ ଯୋଗେ ଭିକ୍ଟିମ ଲୋକେସନ କ୍ୟାମେରା ପଠାଯାଇଥିଲା। ଶିଶୁଟି ଉପରେ ନଜର ରଖିଥିଲେ ସ୍ବାସ୍ଥ୍ୟ ବିଶେଷଜ୍ଞ। ଏଡିଏମ, ଉପଜିଲ୍ଲାପାଳ, ଏସପିଙ୍କ ସହ ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ଉପସ୍ଥିତ ରହି ରେସ୍କ୍ୟୁ ଅପରେସନର ତଦାରଖ କରିଥିଲେ। ଶେଷରେ ୮ ଘଣ୍ଟାର ମାରାଥନ ଅପରେସନ ପରେ ସଫଳତା ମିଳିବା ସହ ଶିଶୁକନ୍ୟାଟିକୁ ଜୀବନ୍ତ ଭାବେ ଉଦ୍ଧାର କରାଯାଇଥିଲା ।