ଭାଙ୍ଗିଲା ଇନ୍ଦ୍ରାବତି ମେଗା ଲିଫ୍ଟ କେନାଲ ବନ୍ଧ: ଶହ ଶହ ହେକ୍ଟର ଜମି ଜଳାର୍ଣ୍ଣବ
ଧର୍ମଗଡ଼: ଇନ୍ଦ୍ରାବତୀ ମେଗା ଲିଫ୍ଟ କେନାଲ ବନ୍ଧ ଭାଙ୍ଗିଲା । କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍ ଅନ୍ତର୍ଗତ ମାଝିଗୁଡ଼ା ନିକଟରେ ଭାଙ୍ଗି ଯାଇଛି କେନାଲ ବନ୍ଧ। ଫଳରେ ଏଠାରେ ପ୍ରାୟ ୧୦ ଫୁଟର ଘାଇ ସୃଷ୍ଟି ହୋଇଥିବା ବେଳେ ଶହ ଶହ ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଯାଇଛି । ଚଳିତ ବର୍ଷ ଠାରୁ ଇନ୍ଦ୍ରାବତୀରୁ ପ୍ରଥମ ଥର ପାଇଁ ଉଠା ଜଳସେଚନରେ କୋକସରା ଓ ଧର୍ମଗଡ଼ ବ୍ଲକର ଅଣଜଳସେଚିତ ଚାଷ ଜମିକୁ ପାଣି ଯୋଗାଇବା ପାଇଁ ପାଣି ଛଡ଼ା ଯାଇଥିଲା। ହେଲେ ପ୍ରଥମ ଜଳ ନିଷ୍କାସନରେ ହିଁ ଭାଙ୍ଗିଗଲା କେନାଲ ବନ୍ଧ । ଗତକାଲି ରାତିସାରା କେନାଲରେ ମାତ୍ରାଧିକ ଜଳ ଛଡ଼ା ଯିବା ଯୋଗୁଁ ତଥା ନିମ୍ନମାନର କାମ ଯୋଗୁ କେନାଲ ବନ୍ଧ ଭାଙ୍ଗି ଯାଇଥିବା ସ୍ଥାନୀୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ନିକଟସ୍ଥ ସମସ୍ତ ଚାଷ ଜମିରେ ଧାନ ବୁଣା ଓ ରୁଆ ସରିଥିବାରୁ ସମସ୍ତ ଚାଷୀ କ୍ଷତିଗ୍ରସ୍ତ ହୋଇଥିବା ସେମାନେ କହିଛନ୍ତି। ଚାଷୀମାନେ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି।