ନନ୍ଦିଘୋଷ ବ୍ୟୁରୋ: ଆଗାମୀ ଆୟରଲାଣ୍ଡ ଏବଂ ଇଂଲଣ୍ଡ ବିରୋଧରେ ଟି-୨୦ ସିରିଜ୍ ପାଇଁ ଶନିବାର ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ପକ୍ଷରୁ ଆନୁଷ୍ଠାନିକ ଭାବେ ଟିମ୍ ଇଣ୍ଡିଆର ଘୋଷଣା କରାଯାଇଛି। ମୁମ୍ବାଇସ୍ଥିତ ବିସିସିଆଇ ମୁଖ୍ୟାଳୟରେ ଅନୁଷ୍ଠିତ ଚୟନ କମିଟି ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏହି ଗସ୍ତ ପାଇଁ ଦଳର ଷ୍ଟାର ବ୍ୟାଟର ଶ୍ରେୟସ ଆୟରଙ୍କୁ ପ୍ରଦାନ କରାଯାଇଥିବା ବେଳେ ଯୁବ ଖେଳାଳି ତିଲକ ବର୍ମାଙ୍କୁ ଉପ-ଅଧିନାୟକ ଦାୟିତ୍ୱ ମିଳିଛି। ଟି-୨୦ ସିରିଜ୍ ସହ ଚୟନକର୍ତ୍ତାମାନେ ଆଗାମୀ ଏସୀୟ କ୍ରୀଡ଼ା (Asian Games) ପାଇଁ ମଧ୍ୟ ଭାରତୀୟ ସ୍କ୍ୱାଡ୍ ଘୋଷଣା କରିଛନ୍ତି।
ତେବେ ଉଭୟ ଟି-୨୦ ଏବଂ ଏସୀୟ କ୍ରୀଡ଼ାକୁ ମିଶାଇ ତିନୋଟି ଯାକ ସ୍କ୍ୱାଡରେ ଯୁବ ସେନସେସନ ବୈଭବ ସୂର୍ଯ୍ୟବଂଶୀଙ୍କୁ ସାମିଲ କରାଯାଇଛି।ତାରକା ଯଶପ୍ରୀତ ବୁମରା ଏସୀୟ କ୍ରୀଡ଼ାରେ ପ୍ରତିନିଧିତ୍ୱ କରିବେ। ସେ ମହମ୍ମଦ ସିରାଜଙ୍କ ସ୍ଥାନରେ ଦଳକୁ ଫେରିଛନ୍ତି। ଅନ୍ୟପଟେ, ମହମ୍ମଦ ସିରାଜଙ୍କୁ ଆୟରଲାଣ୍ଡ ଏବଂ ଇଂଲଣ୍ଡ ଗସ୍ତ ପାଇଁ ଟି-୨୦ ଦଳରେ ସୁଯୋଗ ଦିଆଯାଇଛି।
ବିସିସିଆଇ ଆପେକ୍ସ କାଉନସିଲ୍ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ, ଟି-୨୦ ରେ ସୂର୍ଯ୍ୟକୁମାର ଯାଦବଙ୍କୁ ଦଳରୁ ହଟାଇ ଦିଆଯାଇଛି, ଯାହାକୁ ଆଜି ଆନୁଷ୍ଠାନିକ ଭାବେ ସ୍ପଷ୍ଟ କରାଯାଇଛି।
ତେବେ ଏହି ଘୋଷିତ ଦଳରେ ଅନେକ ମ୍ୟାଚ୍ ୱିନରଙ୍କୁ ସ୍ଥାନ ମିଳିଛି। ଏହି ଦଳରେ ସଞ୍ଜୁ ସାମସନ, ଇଶାନ କିଶନ, ଅକ୍ଷର ପଟେଲ, ରବି ବିଷ୍ଣୋଇ, ଅଭିଷେକ ଶର୍ମା ଏବଂ ଶିବମ ଦୁବେଙ୍କ ଭଳି ତାରକା ଖେଳାଳି ରହିଛନ୍ତି। ଯୁବ ଓ ଅଭିଜ୍ଞ ଖେଳାଳିଙ୍କୁ ନେଇ ଗଠିତ ଏହି ଟିମ୍ ବିଦେଶ ମାଟିରେ ଶ୍ରେଷ୍ଠ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି।
ଆୟରଲାଣ୍ଡ ଗସ୍ତ: ଆସନ୍ତା ଜୁନ୍ ୨୬ରୁ ଆୟରଲାଣ୍ଡ ବିପକ୍ଷରେ ଟି-୨୦ ସିରିଜ୍ ଆରମ୍ଭ ହେବ।
ଇଂଲଣ୍ଡ ଗସ୍ତ: ଏହାପରେ ଜୁଲାଇ ୧ରୁ ଇଂଲଣ୍ଡ ବିପକ୍ଷରେ ଭାରତ ୫ଟି ଟି-୨୦ ଏବଂ ୩ଟି ଦିନିକିଆ (ODI) ମ୍ୟାଚ୍ର ସିରିଜ୍ ଖେଳିବ।

