ରାଜ୍ୟଗୋଷ୍ଠୀ କ୍ରୀଡ଼ା ବକ୍ସିଂରେ ଭାରତକୁ ଆଉ ଏକ ପଦକ: ସ୍ୱର୍ଣ୍ଣ ଜିତିଲେ ମୁଷ୍ଟିଯୋଦ୍ଧା ଜରୀନ

1 min read

ବର୍ମିଂହାମ: ବର୍ମିଂହାମ ୨୨ତମ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତର ପଦକ ବିଜୟ ଧାରା ଜାରି ରହିଛି । ୧୦ମ ଦିନରେ ଭାରତର ପଦକ ବର୍ଷା ହୋଇଛି । ବକ୍ସିଂରେ ଆଜି ତିନୋଟି ସ୍ୱର୍ଣ୍ଣ ପଦକ ମିଳିଛି । ବିଶ୍ୱ ବିଜୟୀ ନିଖତ ଜରୀନ ୫୦ କେଜି ବର୍ଗରେ ସ୍ୱର୍ଣ୍ଣ ଜିତି ଇତିହାସ ରଚିଛନ୍ତି । ନର୍ଦ୍ଦନ ଆୟରଲାଣ୍ଡର କାର୍ଲି ମେକନାଲଙ୍କୁ ୫-୦ରେ ହରାଇ ଏହି ସଫଳତା ସେ ହାସଲ କରିଛନ୍ତି ।

ଭାରତର ଷ୍ଟାର ମୁଷ୍ଟିଯୋଦ୍ଧା ଏବଂ ବିଶ୍ୱ ଚାମ୍ପିଅନ ନିଖତ ଶନିବାର ଖେଳାଯାଇଥିବା ସେମିଫାଇନାଲ ମ୍ୟାଚରେ ଇଂଲଣ୍ଡର ବକ୍ସର ସବନ୍ନା ଅଲ୍ଫିୟାଙ୍କୁ ୫-୦ରେ ପରାଜିତ କରିଥିଲେ । ତେବେ ନିଖତ ପ୍ରଥମଥର ପାଇଁ ରାଜ୍ୟଗୋଷ୍ଟୀରେ ପଦକ ବିଜୟୀ ହୋଇଛନ୍ତି । ଏହା ପୂର୍ବରୁ ନୀତି ଘଂଘାସ ୪୮ କେଜି ମହିଳା ବର୍ଗରେ ଏବଂ ଅମିତ ପଙ୍ଘାଲ ୫୧ କେଜି ପୁରୁଷ ବର୍ଗରେ ସ୍ୱର୍ଣ୍ଣ ଜିତିଥିଲେ । ଭାରତର ମୋଟ ସ୍ୱର୍ଣ୍ଣ ପଦକ ସଂଖ୍ୟା ୧୭ରେ ପହଞ୍ଚିଛି । ଭାରତର ମୋଟ ପଦକ ସଂଖ୍ୟା ୪୮କୁ ବୃଦ୍ଧି ପାଇଛି । ସେହିପରି ୧୨ ରୌପ୍ୟ ଓ ୧୯ କାଂସ୍ୟ ପଦକ ରହିଛି । ଏବେ ଭାରତ ମେଡାଲ ଟାଲିର ୫ମ ସ୍ଥାନରୁ ୪ର୍ଥ ସ୍ଥାନକୁ ଉଠିଛି ।