ବ୍ରିଟେନର ନୂଆ ଗୃହ ମନ୍ତ୍ରୀ ହେଲେ ଭାରତୀୟ ବଂଶୋଦ୍ଭବ ସୁଏଲା ବ୍ରେଭରମ୍ୟାନ

1 min read

ଲଣ୍ଡନ: ବ୍ରିଟେନର ନୂଆ ଗୃହ ମନ୍ତ୍ରୀ ହେଲେ ଭାରତୀୟ ବଂଶୋଦ୍ଭବ ବାରିଷ୍ଟର ସୁଏଲା ବ୍ରେଭରମ୍ୟାନ । ଗୃହମନ୍ତ୍ରୀ ଭାବେ ସୁଏଲାଙ୍କ ନାମ ଘୋଷଣା କରିଛନ୍ତି ନବନିଯୁକ୍ତ ପ୍ରଧାନମନ୍ତ୍ରୀ ଲିଜ୍ ଟ୍ରସ୍ । ପୂର୍ବରୁ ଏହି ପଦବୀରେ ଥିଲେ ଅନ୍ୟତମ ଭାରତୀୟ ବଂଶୋଦ୍ଭବ ପ୍ରୀତି ପଟେଲ । ଦକ୍ଷିଣ-ପୂର୍ବ ବ୍ରିଟେନର ଫେୟାରହାମରୁ କଞ୍ଜରଭେଟିଭ ଦଳର ପ୍ରତିନିଧିତ୍ୱ କରୁଛନ୍ତି ୪୨ ବର୍ଷ ବୟସ୍କା ସୁଏଲା । ବୋରିସ ଜନସନ୍ ସରକାରରେ ସୁଏଲା ଥିଲେ ଆଟର୍ଣ୍ଣି ଜେନେରାଲ ।

ସୁଏଲାଙ୍କ ମାତା ଉମା ତାମିଲନାଡୁର ହୋଇଥିବାବେଳେ ପିତା କ୍ରିଷ୍ଟି ଫର୍ଣ୍ଣାଣ୍ଡିଜ ଗୋଆର । ସୁଏଲା ଜଣେ ବୌଦ୍ଧ ଧର୍ମାବଲମ୍ବୀ । ୧୯୬୦ ଦଶକରେ ଉମା ମରିସସରୁ ବ୍ରିଟେନ ଯାଇଥିବାବେଳେ ପିତା କେନିଆରୁ ବ୍ରିଟେନ ଯାଇଥିଲେ । ଗୃହ ମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ଶୁଳ୍କ ହ୍ରାସ, ମାନବାଧିକାର, ଶରଣାର୍ଥୀ ଓ ଅନ୍ୟାନ୍ୟ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେବେ ବୋଲି କହିଛନ୍ତି ସୁଏଲା । ଦେଶ କଠିନ ସମୟ ଦେଇ ଗତି କରୁଥିବାବେଳେ ପ୍ରଧାନମନ୍ତ୍ରୀ ଲିଜ୍ ଟ୍ରସ୍ ଉପଯୁକ୍ତ ନେତୃତ୍ୱ ନେଇପାରିବେ ବୋଲି ସୁଏଲା କହିଛନ୍ତି ।