ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତକୁ ବଡ଼ ସଫଳତା: ଲନ ବଲ୍ସରେ ସ୍ୱର୍ଣ୍ଣ ଜିତିଲା ଭାରତୀୟ ମହିଳା ଦଳ

1 min read

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ମହିଳା ଦଳ ରଚିଲା ନୂଆ ଇତିହାସ । ଲନ ବଲ୍ସରେ ମହିଳା ଟିମ ଜିତିଲା ସ୍ୱର୍ଣ୍ଣ ପଦକ । ଦକ୍ଷିଣ ଆଫ୍ରିକାକୁ ୧୭-୧୦ ପଏଣ୍ଟରେ ପରାଜିତ କରି ଇତିହାସ ରଚିଛି । ୯୨ ବର୍ଷ ଇତିହାସରେ ପ୍ରଥମଥର ପାଇଁ ଭାରତ ସ୍ୱର୍ଣ୍ଣ ପଦକ ଜିତିଛି । ମହିଳା ଟିମର ଏହି ଇଭେଣ୍ଟରେ ଭାରତୀୟ ଦଳରେ ଲଭଲି ଚୌବେ, ପିଙ୍କି, ନୟାନମୋନି ସାଇକିୟା, ରୁପା ରାଣୀ ସାମିଲ ଅଛନ୍ତି ।

ଏମାନେ ପ୍ରାରମ୍ଭରୁ ଭଲ ପ୍ରଦର୍ଶନ କରିଥିଲେ । ଗତ ସେମିଫାଇନାଲ ମ୍ୟାଚରେ ନିଉଜିଲାଣ୍ଡକୁ ହରାଇ ଭାରତ ମେଡାଲ ପକ୍କା କରିଥିଲା । ଆଜିର ମ୍ୟାଚ ପ୍ରାୟ ଅଢ଼େଇ ଘଣ୍ଟା ଚାଲିଥିଲା । ମ୍ୟାଚର ପ୍ରଥମ ଭାଗରେ ଭାରତୀୟ ଦଳ ଭଲ ପ୍ରଦର୍ଶନ କରିଥିଲା ହେଲେ ମଧ୍ୟଭାଗରେ ଦକ୍ଷିଣ ଆଫ୍ରିକା ପ୍ରତ୍ୟାବର୍ତ୍ତନ କରି ଭାରତ ପାଇଁ ସମସ୍ୟା ସୃଷ୍ଟି କରିଥିଲା ।

ହେଲେ ଭାରତୀୟ ମହିଳା ଶେଷରେ ଶ୍ରେଷ୍ଠ ପ୍ରଦର୍ଶନ କରି ୧୭-୧୦ରେ ମ୍ୟାଚଟିକୁ ଜିତି ଭାରତ ପାଇଁ ସ୍ୱର୍ଣ୍ଣ ଦେଇଛନ୍ତି । ଭାରତର ମୋଟ ମେଡାଲ ସଂଖ୍ୟା ଏବେ ୧୦କୁ ବୃଦ୍ଧି ପାଇଛି । ଏଥିରେ ୪ଟି ସ୍ୱର୍ଣ୍ଣ, ୩ଟି ରୌପ୍ୟ ଏବଂ ୩ଟି କାଂସ୍ୟ ପଦକ ସାମିଲ ରହିଛି । ଭାରତକୁ ଭାରତ୍ତୋଳନରେ ୭ଟି ପଦକ ମିଳିଥିବା ବେଳେ ଜୁଡୋରେ ଦୁଇଟି ପଦକ ଓ ଲନ ବଲରେ ଗୋଟିଏ ପଦକ ମିଳିଛି ।