ୱାର୍ଲଡ ସ୍କିଲସ ୨୦୨୪ ଉଦଯାପିତ: ଭାରତୀୟ ପ୍ରତିଯୋଗୀ ଦେଖାଇଲେ କମାଲ

ନୂଆଦିଲ୍ଲୀ: ସରିଲା ଦକ୍ଷତା ବିକାଶର ମହାକୁମ୍ଭ ୱାର୍ଲଡ ସ୍କିଲସ ୨୦୨୪ । ଫ୍ରାନ୍ସର ଲିୟୋନ ସହରରେ ଚାରି ଦିନ ଧରି ଚାଲିଥିବା ପ୍ରତିଯୋଗିତାରେ ଅନୁଭୂତି ସାଉଁଟିଲେ ଭାରତ ସମେତ ବହୁ ରାଷ୍ଟ୍ରର ପ୍ରତିନିଧି । ମ୍ୟାନୁଫାକ୍ଚରିଂ, ୱାଟର ଟେକ୍ନୋଲୋଜି ଠାରୁ ଆରମ୍ଭ କରି ହେଲଥ ଆଣ୍ଡ ସୋସିଆଲ କେୟାର, ବ୍ୟୁଟି ଥେରାପି, ହେୟାର ଡ୍ରେସିଂ ପରି କ୍ଷେତ୍ରରେ ଚମକିଛି ଭାରତ ।

ୱାର୍ଲଡ ସ୍କିଲସ ପ୍ରତିଯୋଗିତାର ଶେଷ ଦିନରେ ଜଲୱା ଦେଖାଇଥିଲେ ଭାରତୀୟ ପ୍ରତିଯୋଗୀ । ମ୍ୟାନୁଫାକ୍ଚରିଂ, ୱାଟର ଟେକ୍ନୋଲୋଜି, ରୋବୋଟିକ୍ସ ସିଷ୍ଟମ, ହେଲଥ ଆଣ୍ଡ ସୋସିଆଲ କେୟାର, ବ୍ୟୁଟି ଥେରାପି, ହେୟାର ଡ୍ରେସିଂ ପରି କ୍ଷେତ୍ରରେ ଚମକିଛି ଭାରତ ।

ଭାରତୀୟ ଚାହିଁଲେ ସାରା ଦୁନିଆକୁ ସୁନ୍ଦର କରି ପାରିବେ । ଏହି ସ୍ୱପ୍ନକୁ ବାସ୍ତବ ରୂପ ଦେଇଛନ୍ତି ପ୍ରତିଯୋଗୀ । ବିଦେଶୀ ଯୁବତୀଙ୍କୁ କେସ୍ ଷ୍ଟଡି ଭାବେ ନେଇ ନୂଆ ଲୁକ ଦେଉଛନ୍ତି ଭାରତୀୟ ବ୍ୟୁଟିସିଆନ । ପ୍ରେରଣା ସାଜିଛନ୍ତି ଆସାମର ପ୍ରୀତିଶା ବର୍ମନ । ପ୍ରତିଯୋଗିତା ସରିବା ପରେ ଭାରତ ମାତା କି ଜୟ ନାରାରେ କମ୍ପିଥିଲା ୱାର୍ଲଡ ସ୍କିଲସ ଆରେନା । ସେପଟେ ଜଣେ ନିମୋନିଆ ରୋଗୀଙ୍କୁ ନର୍ସିଂ ସେବା ଯୋଗାଇ ଖ୍ଯାତି ସାଉଁଟିଛନ୍ତି ସେଞ୍ଚୁରିଆନ ବିଶ୍ଵବିଦ୍ୟାଳୟର ମାଇକ୍ରୋ ବାୟୋଲୋଜି ଛାତ୍ରୀ ଦିଶା ଦର୍ଶିନୀ । ଜଣେ ଭାରତୀୟ ନର୍ସ କିପରି ବିଦେଶୀ ରୋଗୀଙ୍କ ଭାଷା ଓ ସଙ୍କେତ ବୁଝି ସେବା ଯୋଗାନ୍ତି ତାହାକୁ ପ୍ରତିଫଳିତ କରିଥିଲେ ଦିଶା ।

ଚଳିତ ଥର ବିଶ୍ୱର ୧୪୦୦ ପ୍ରତିଯୋଗୀ ୬୨ କ୍ଷେତ୍ରରେ ଅଂଶଗ୍ରହଣ କରିଥିଲେ । ଏଥିରୁ ୫୨ଟି କ୍ଷେତ୍ରରେ ଭାରତର ୬୦ ପ୍ରତିଯୋଗୀ ପ୍ରତିନିଧିତ୍ବ କରିଥିଲେ । ପ୍ରତି ଦୁଇ ବର୍ଷରେ ଅନୁଷ୍ଠିତ ହେଉଥିବା ୱାର୍ଲଡ ସ୍କିଲସ କୌଣସି ଅଲମ୍ପିକ୍ସ ଠାରୁ କମ ନୁହେଁ । ପ୍ରତି ସଂସ୍କରଣରେ ଏହାର ବେଞ୍ଚମାର୍କ ପରିବର୍ତ୍ତନ ହେବା ସହ ପ୍ରତିଯୋଗିତାର ମାନଦଣ୍ଡ ବୃଦ୍ଧି ପାଉଛି। ଚଳିତ ସଂସ୍କରଣରେ ସ୍ବର୍ଣ୍ଣ, ରୌପ୍ୟ, ବ୍ରୋଞ୍ଜ ସହ ମେଡାଲ ଅଫ ଏକସିଲେନ୍ସ ପାଇଁ କଡା ଟକ୍କର ଦେଖିବାକୁ ମିଳିଥିଲା । ୨୦୨୬ରେ ସାଙ୍ଘାଇରେ ହେବ ପରବର୍ତ୍ତୀ ମହାକୁମ୍ଭ ।