୧୬ରେ କୂଆଖାଇ କୂଳରେ ସୂର୍ଯ୍ୟକିରଣ ଶୋ’, ଦମ୍‌ ଦେଖାଇବ ବାୟୁସେନା

1 min read

ଭୁବନେଶ୍ବର: ଓଡିଶା ଆକାଶରେ ଉଡିବ ଯୁଦ୍ଧ ବିମାନ । ବାୟୁସେନା ଦେଖାଇବ ଦମ୍ । ଶୋ’ ପାଇଁ ପ୍ରସ୍ତୁତ ୯ ଲଢୁଆ ବିମାନ । ଦର୍ଶକ ଦେଖିବେ ୪୫  ମିନିଟର ଚିତ୍ତାକର୍ଷକ ଶୋ’ । ସୁରକ୍ଷା ନେଇ କମିଶନରେଟ ପୋଲିସର ସମରସଜ୍ଜା । ଆସନ୍ତା ୧୬ ରେ କୁଆଖାଇ ନଦୀକୂଳରେ ହେବାକୁ ଥିବା ସୂର୍ଯ୍ୟକିରଣ ସୋ ପାଇଁ ଆରମ୍ଭ ହେଲା ପ୍ରସ୍ତୁତି  ।

ଗ୍ରାଉଣ୍ଡରେ ସ୍ଥିତି ପରଖିଛନ୍ତି ପୋଲିସ କମିଶନର ଓ ଡିସିପି । ସୁରକ୍ଷା ବ୍ୟବସ୍ଥା ଓ ଟ୍ରାଫିକ ବ୍ୟବସ୍ଥା କିପରି ହେବ ସେନେଇ ସମୀକ୍ଷା କରାଯାଇଛି । ୪୫ ମିନିଟର ଏହି ସୋ ପାଇଁ ୧୦ ଟାରୁ ୧୧ ଏବଂ ୪ଟା ୧୫ରୁ ୫ଟା ୧୫ ଯାଏଁ ସମୟ ଧାର୍ଯ୍ୟ କରାଯାଇଛି । ଏୟାର ସୋ ରେ ୮୦ ରୁ ୯୦ ଜଣ ସଦସ୍ୟ ସାମିଲ ହେବେ । ପାଣିପାଗକୁ ଦୃଷ୍ଟିରେ ରଖି ଯେକୌଣସି ଗୋଟିଏ ସମୟରେ ଏହି ଏୟାର ସୋ କରାଯିବ । ଏଥିପାଇଁ ଏୟାର ଟ୍ରାଫିକ୍ କଣ୍ଟ୍ରୋଲର ଅନୁମତି ଦେବ । ଏୟାର ସୋ କୁ ଦେଖିବା ପାଇଁ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଯିବାର କାର୍ଯ୍ୟକ୍ରମ ରହିଛି ।

ହାଇଟେକ ଛକରୁ ଜରିପାଟଣା ରାସ୍ତାରେ କିଭିଳି ଜାମ ନ ହେବ ସେ ନେଇ ଟ୍ରାଫିକ ପୋଲିସ ନଜର ରଖିବ। କୁଆଖାଇ ନଦୀ ପଠା ଓ ଅପରେ ପଟେ ସୁରକ୍ଷା ଲାଗି ପୋଲିସ କର୍ମଚାରୀ ମୁତୟନ ହେବେ । ସେହିଭଳି ପୂର୍ତ୍ତ ବିଭାଗ ପକ୍ଷରୁ ମାଟି ପକାଇ ସମତୁଳ କରିବା ସହିତ ପ୍ରସ୍ତୁତି ଜାରିରଖିଛି  ।

ବାୟୁସେନାର ସୂର୍ଯ୍ୟକିରଣ ଏୟାର ସୋ ପାଇଁ ଆଜି ଭୁବନେଶ୍ୱରେ ଇଣ୍ଡକ୍ସନ ଟିମ ପହଞ୍ଚିବାର ଥିଲା । N32 ବିମାନରେ ଆସିବ ଇଣ୍ଡକ୍ସନ ଟିମ୍ । ୧୩ ତାରିଖରେ ସୋ’ରେ ଭାଗ ନେବାକୁ ଥିବା ୧୧ଟି ହକ ବିମାନ ଆସିବ । ସୋ’ରେ ୯ଟି ହକ୍ ବିମାନ ଅଂଶଗ୍ରହଣ କରିବ ଓ ୨ଟି ଷ୍ଟାଣ୍ଡବାଏ ରହିବ । ୧୫ ତାରିଖରେ ହେବ ଅଭ୍ୟାସ । ସେପଟେ ଭୁବନେଶ୍ବରରେ ପ୍ରଥମ ଥର ଏପରି ସୋ ହେଉଥିବାରୁ ଜରିପାଟଣା ଅଞ୍ଚଳରେ ଲୋକଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି  ।

ତେବେ ପୁରୀରେ ୧୮ ତାରିଖରେ ବେଳାଭୂମିରେ ଏହି ସୋ ହେବ । ଭୁବନେଶ୍ବର, ପୁରୀ ପରେ ଆସାମର ଗୌହାଟୀରେ ଏହି ସୋ ହେବ ।