ଦସୁନଙ୍କ ଦମଦାର ଶତକ ଉପରେ ଭାରି ପଡ଼ିଲା ବିରାଟଙ୍କ ସେଞ୍ଚୁରୀ, ୬୭ ରନରେ ଭାରତ ଜିତିଲା ପ୍ରଥମ ଦିନିକିଆ

1 min read

ଗୌହ୍ୱାଟୀ: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ଗୌହ୍ୱାଟୀରେ ଶେଷ ହୋଇଛି । ଏହି ମ୍ୟାଚ୍ ବାରତ ୬୭ ରନରେ ଜିତିନେଇଛି । ହେଲେ ଶ୍ରୀଲଙ୍କା ଅଧିନାୟକ ଦସୁନ ଶନାକା ଜବରଦସ୍ତ ବ୍ୟାଟିଂ କରିଥିଲେ । ତାଙ୍କର ଶତକୀୟ ପାରି ବେକାର ଯାଇଛି, କାରଣ ଯେତବେଳେ ଦଳକୁ ଭଲ ଆରମ୍ଭ ଆବଶ୍ୟକ ଥିଲା ସେତବେଳେ ଦଳ ଖରାପ ପ୍ରଦର୍ଶନ କରିଥିଲା । ଶେଷ ଭାଗରେ ଶନାକା ଶତକ ମାରିଥିଲେ ସତ ହେଲେ ସେତବେଳକୁ ଶ୍ରୀଲଙ୍କା ମ୍ୟାଚରୁ ବାହାର ହୋଇଯାଇଥିଲା ।

ଟିମ ଇଣ୍ଡିଆ ବିରୋଧରେ ଦସୁନ ଶନାକା ୧୦୮ ରନର ଦମଦାର ଇନିଂସ ଖେଳିଥିଲେ, କିନ୍ତୁ ତାଙ୍କ ଉପରେ ବିରାଟ କୋହଲିଙ୍କ ୧୧୩ରନର ଇନିଂସ ଭାରି ପଡ଼ିଥିଲା । ଶନାକା ୮୮ ଟି ବଲରେ ୧୦୮ ରନ୍ କରିଥିଲେ, ଯେତବେଳେ କି ବିରାଟ କୋହଲି ୮୭ ଟି ବଲରେ ୧୧୩ ରନ୍ କରିଥିଲେ । ପ୍ରଥମ ଦିନିକିଆ ମ୍ୟାଚରେ ଭାରତ ବିଜୟୀ ହେବା ସହ ୧-୦ରେ ସିରିଜରେ ଆଗୁଆ ରହିଛି । ଏହି ସିରିଜର ଦ୍ୱିତୀୟ ମ୍ୟାଚ କୋଲକାତାର ଇଡେନ ଗାର୍ଡେନରେ ଆସନ୍ତା ଗୁରୁବାର ଖେଳାଯିବ ।

ଆଜିର ମ୍ୟାଚରେ ଟସ୍ ଜିତି ଶ୍ରୀଲଙ୍କା ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା । ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ୍ ବିନିମୟରେ ୩୭୩ ରନ୍ ସଂଗ୍ରହ କରିଥିଲା । ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଏବଂ ଶୁଭମନ ଗିଲ୍ ଦମଦାର ପ୍ରଦର୍ଶନ କରିଥିଲେ । ପ୍ରାରମ୍ଭିକ ଦୁଇ ବ୍ୟାଟ୍ସମ୍ୟାନ ଅର୍ଦ୍ଧଶତକ କରିଥିବା ବେଳେ ବିରାଟ କୋହଲି ଶତକ ଲଗାଇଥିଲେ ।  ଦିନିକିଆରେ କୋହଲିଙ୍କର ଏହା ୪୫ତମ ଶତକ ଥିଲା । ସେହିପରି ଅନ୍ତର୍ଜାତୀୟ କ୍ରିକେଟରେ ୭୩ତମ ଶତକ। ଶ୍ରୀଲଙ୍କା ପାଇଁ କସୁନ ରଜିଥା ସବୁଠୁ ଅଧିକ ୩ଟି ୱିକେଟ୍ ଅକ୍ତିଆର କରିଥିଲେ ।

ଦିଲଶାନ ମଦୁଶଙ୍କା, ଚମିକା କରୁଣାରତ୍ନେ, ଦାସୁନ ଶନକା ଏବଂ ଧନଞ୍ଜୟ ଡିସିଲଭା ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ । ରୋହିତ ଶର୍ମା ଏବଂ ଶୁଭମନ ଗିଲ୍ ପ୍ରଥମ ୱିକେଟ୍ ପାଇଁ ୧୪୩ରନର ପାର୍ଟନରସିପ୍ କରିଥିଲେ । ରୋହିତ ୬୭ ବଲରେ ୮୩ ରନ୍ କରିଥିବା ବେଲେ ଗିଲ୍ ୬୦ ବଲରେ ୭୦ ରନ୍ କରିଥିଲେ । ଦୁଇ ବ୍ୟାଟ୍ସମ୍ୟାନ ଆଉଟ୍ ହେବା ପରେ ଦଳୀୟ ସ୍ଥିତି ବିରାଟ କୋହଲି ସମ୍ଭାଳିଥିଲେ । କୋହଲି ଶ୍ରେୟସ ଆୟର (୨୪ ବଲରେ ୨୮ରନ୍)ଙ୍କ ସହ ତୃତୀୟ ୱିକେଟ୍ ପାଇଁ ୪୦ ଏହଂ କେଏଲ ରାହୁଲଙ୍କ ସାଙ୍ଗରେ ଚତୁର୍ଥ ୱିକେଟ୍ ପାଇଁ ୯୦ ରନର ପାର୍ଟନରସିପ୍ କରିଥିଲେ ।

ରାହୁଲ ୨୯ ବଲରେ ୩୯ ରନ୍ କରି ଆଉଟ୍ ହୋଇଯାଇଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା (୧୨ ବଲରେ ୧୪ ରନ୍) ଏବଂ ଅକ୍ଷର ପଟେଲ (୯ବଲରେ ୯ ରନ୍) କିଛି ଖାସ୍ କମାଲ ଦେଖାଇ ପାରିନଥିଲେ । ବିରାଟ କୋହଲି ୪୯ ତମ ଓଭର ଚାଲିଥିବା ବେଳେ ୮୭ ଟି ବଲରେ ୧୧୩ ରନ୍ କରି ରଜିଥାଙ୍କ ବଲରେ କ୍ୟାଚଆଉଟ୍ ହୋଇଯାଇଥିଲେ । ମହମ୍ମଦ ଶାମୀ ୩ ରନ୍ ଏବଂ ମହମ୍ମଦ ସିରାଜ ୭ ରନ୍ କରି ଅପରାଜିତ ରହିଥିଲେ । ୩୭୪ରନର ଟାର୍ଗେଟକୁ ପିଛା କରି ପଥୁମ ନିଶାଙ୍କ ଏବଂ ଅଭିଷ୍କା ଫର୍ଣ୍ଣାଣ୍ଡୋ ପଡ଼ିଆକୁ ଓହ୍ଲାଇଥିଲେ ।

ହେଲେ ଅଭିଷ୍କା ମାତ୍ର ୫ ରନ୍ କରି ପାଭେଲିଅନ୍ ଫେରିଯାଇଥିଲେ । ନିଶାଙ୍କ କିନ୍ତୁ ଅର୍ଦ୍ଧଶତକୀୟ ପାରି ଖେଳିଥିଲେ । ୮୦ ଟି ବଲରେ ସେ ୭୨ ରନ୍ ସଂଗ୍ରହ କରିଥିଲେ । ଅନ୍ୟ ବ୍ୟାଟ୍ସମ୍ୟାନ୍ ମାନେ ଭଲ ପ୍ରଦର୍ଶନ କରିପାରିନଥିଲେ । ଅନ୍ୟମାନଙ୍କ ମଧ୍ୟରେ ଧନଞ୍ଜୟ ଡିସିଲଭା ୪୭ ରନ୍ କରିଥିଲେ । ଶେଷ ବେଳକୁ ଦସୁନ ଶନାକା ୮୮ ଟି ବଲରେ ୧୦୮ ରନ୍ କରି ଅପରାଜିତ ରହିଥିଲେ । ନିର୍ଦ୍ଧାରିତ ୫୦ ଓଭରରେ ଦଳ ୮ ୱିକେଟ୍ ବିନିମୟରେ ୩୦୬ ରନ୍ ସଂଗ୍ରହ କରି ମ୍ୟାଚଟି ହାରି ଯାଇଥିଲା । ଭାରତ ପକ୍ଷରୁ ଉମରାନ ମଲିକ ସର୍ବାଧିକ ୩ଟି ୱିକେଟ୍ ଅକ୍ତିଆର କରିଥିବା ବେଳେ ମହମ୍ମଦ ସିରାଜ ୨ଟି ୱିକେଟ୍ ଏବଂ ମହମ୍ମଦ ଶାମୀ, ହାର୍ଦ୍ଦିକ ପାଣ୍ଡ୍ୟା ଓ ଯୁଜବେନ୍ଦ୍ର ଚହଲ ଗୋଟିଏ ଲେଖାଏଁ ୱିକେଟ୍ ହାସଲ କରିଥିଲେ ।