T-20 ବିଶ୍ବକପ ଜିତିଲା ଭାରତ, ଟିମ୍ ଇଣ୍ଡିଆର ରୋମାଞ୍ଚକର ବିଜୟ

1 min read

ନନ୍ଦିଘୋଷ ବ୍ୟୁରୋ: ୧୭ ବର୍ଷ ଅପେକ୍ଷାର ଅନ୍ତ । ୧୭ ବର୍ଷ ପରେ T-20 ବିଶ୍ବକପ ଜିତିଲା ଭାରତ । ଆଇସିସି ଟ୍ରଫି ମରୁଡ଼ିର ଅନ୍ତ ଘଟାଇ ଟି-ଟ୍ବେଣ୍ଟି ବିଶ୍ବକପ ଟାଇଟଲ ହାତେଇଛି ଟିମ୍ ଇଣ୍ଡିଆ। ଫାଇନାଲ ମ୍ଯାଚରେ ରୋମାଞ୍ଚକ ଭାବେ ମ୍ଯାଚ ଜିତି ନେଇଛି ରୋହିତ ବାହିନୀ । ୧୭୭ ରନର ବିଜୟ ଟାର୍ଗେଟକୁ ପିଛା କରୁଥିବା ଦକ୍ଷିଣ ଆଫ୍ରିକାକୁ ୧୬୯ ରନରେ ଅଟକାଇ ଦେଲା ଭାରତ । ଶେଷ ଓଭରରେ ଚମତ୍କାର ବ୍ଯାଟିଂ ସହ ଦୁଇ ୱିକେଟ ନେଇ ଭାରତକୁ ବିଶ୍ବବିଜୟୀ କଲେ ଉପଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ଯା ।

ଏହାସହ ବିଶ୍ବକପ ଜିତି କୋଚ୍ ରାହୁଲ ଦ୍ରାବିଡ଼ଙ୍କୁ ବିଦାୟକାଳୀନ ଭେଟି ଦେଇଛି ଭାରତ । ଟସ ଜିତି ପ୍ରଥମେ ବ୍ଯାଟିଂ ଆରମ୍ଭ କରିଥିଲା ଭାରତ । ପ୍ରଥମ ଓଭରରେ ଭାରତ ଭଲ ପ୍ରଦର୍ଶନ କରିଥିବା ବେଳେ ଦ୍ବିତୀୟ ଓଭରରେ ମାତ୍ର ୯ ରନ କରି କ୍ଯାପଟେନ ରୋହିତ ଶର୍ମା ଆଉଟ୍ ହୋଇଥିଲେ । ସମାନ ଓଭରରେ ଶୂନ ରନରେ ପାଭିଲିଅନ ଫେରିଥିଲେ ରିଷଭ ପନ୍ତ । ପରବର୍ତ୍ତୀ ସମୟରେ ସୂର୍ଯ୍ଯକୁମାର ୟାଦବ ୩ ରନ କରି ଆଉଟ ହୋଇଥିଲେ । ପରେ ବିରାଟ କୋହଲି ଏବଂ ଅକ୍ଷର ପଟେଲ ଭାରତର ବ୍ଯାଟିଂ ଲାଇନକୁ ସମ୍ଭାଳିଥିଲେ । ଉଭୟ ଦୀର୍ଘ ସମୟ ଧରି ଦମଦାର ବ୍ଯାଟିଂ କରିଥିଲେ । ଦଳୀୟ ସ୍କୋରକୁ ୧୦୦ ରନ ପାର କରିବା ପରେ ୧୩ ଓଭର ୩ଟି ବଲରେ ଅକ୍ଷର ପାଭିଲିଅନ ଫେରିଥିଲେ । ୩୧ ବଲରେ ୪୭ ରନ କରି ଆଉଟ ହୋଇଥିଲେ ଅକ୍ଷର ।

ଏହାପରେ ଶିବମ ଦୁବେ ଓ ବିରାଟ ମଧ୍ଯ ଭଲ ବ୍ଯାଟିଂ କରିଥିଲେ । ବିରାଟ ୫୯ ବଲରେ ୨ ଛକା ଓ ୬ଟି ଚୌକା ମାରି ୭୬ ରନ କରି ଆଉଟ ହୋଇଥିଲେ । ଶେଷ ଆଡକୁ ଦୁବେଙ୍କ ବିସ୍ଫୋରକ ବ୍ଯାଟିଂ ଦେଖିବାକୁ ମିଳିଥିଲା । ଦୁବେ ୧୬ ବଲରେ ୨୭ ରନ କରି ଆଉଟ ହୋଇଥିବା ବେଳେ ହାର୍ଦ୍ଦିକ ପାଣ୍ଡିଆ ଅପରାଜିତ ୨ ବଲରେ ୫ରନ ଏବଂ ଜାଡେଜା ୨ଟି ବଲରେ ୨ ରନ କରିଥିଲେ । ନିର୍ଦ୍ଧାରିତ ଓଭରରେ ଭାରତ ୭ ୱିକେଟ ହରାଇ ୧୭୬ ରନ କରିଥିଲା । ୧୭୭ ରନର ଟାର୍ଗେଟ ନେଇ ପଡ଼ିଆକୁ ଓହ୍ଲାଇଥିବା ଦକ୍ଷିଣ ଆଫ୍ରିକାକୁ ଭାରତ ଦ୍ବିତୀୟ ଓଭରରେ ଝଟକା ଦେଇଥିଲା । ୫ ବଲରେ ୪ ରନ କରିଥିବା ହେଣ୍ଡ୍ରିକ୍ସଙ୍କୁ ବୁମରା ପାଭିଲିଅନ ଫେରାଇଥିଲେ । ପରେ ତୃତୀୟ ଓଭରରେ ମାରକ୍ରମଙ୍କୁ ୪ ରନରେ ଆଉଟ କରିଥିଲେ ଅର୍ଶଦୀପ । ଶେଷ ସମୟରେ ମ୍ଯାଚ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଥିଲା ।

ଶେଷ ଓଭରରେ ଦକ୍ଷିଣ ଆଫ୍ରିକାକୁ ବିଜୟ ପାଇଁ ୬ ବଲରେ ୧୬ ରନ ଆବଶ୍ଯକ ଥିଲା । ହାର୍ଦ୍ଦିକ ପାଣ୍ଡ୍ଯା ବୋଲିଂ କରିବାକୁ ଆସିଥିବା ବେଳେ ୨ ୱିକେଟ ନେଇ ଭାରତକୁ ରୋମାଞ୍ଚକର ବିଜୟ ଭେଟି ଦେଇଥିଲେ । ବିରାଟ କୋହଲି ମ୍ୟାନ ଅଫ ଦ ମ୍ୟାଚ ହୋଇଥିବା ବେଳେ, ଜଶପ୍ରୀତ ବୁମରାଙ୍କୁ ମ୍ୟାନ ଅଫ ଦି ସିରିଜ୍ ଘୋଷଣା କରାଯାଇଥିଲା।

ଭାରତ ଟି-୨୦ ବିଶ୍ୱକପ୍‌ ଜିତିବା ପରେ ବିଭିନ୍ନ ମହଲରୁ ଟିମ୍‌ ଇଣ୍ଡିଆକୁ ଶୁଭେଚ୍ଛାର ସୁଅ ଛୁଟିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ନବୀନ ପଟ୍ଟନାୟକ  ଭାରତୀୟ କ୍ରିକେଟ୍‌ ଟିମ୍‌କୁ ଶୁଭେଚ୍ଛା ଜଣାଇଛନ୍ତି।

ନଜର ପକାନ୍ତୁ