ଟି-୨୦ ବିଶ୍ୱକପ୍: ବାଂଲାଦେଶକୁ ୫ ରନରେ ହରାଇଲା ଭାରତ

1 min read

ଆଡିଲେଡ୍: ସେମି ଟିକେଟ ପାଇଁ ଭାରତ ଓ ବାଂଲାଦେଶ ମଧ୍ୟରେ ଚାଲିଥିବା ମୁକାବିଲାରେ ଟିମ୍ ଇଣ୍ଡିଆକୁ ରୋମାଞ୍ଚକର ବିଜୟ ମିଳିଛି । ୫ ରନରେ ରୋହିତ ବାହିନୀ ଏହି ମ୍ୟାଚଟିକୁ ଜିତିନେଇଛି । ଏହି ବିଜୟ ସହ ଟି-୨୦ ବିଶ୍ୱକପରେ ଭାରତର ସେମି ଟିକେଟ୍ ଏକ ପ୍ରକାର ପକ୍କା ହୋଇଯାଇଛି । ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରି ୧୮୪ ରନ୍ କରିଥିଲା ।

୧୮୫ରନର ପିଛା କରି ବାଂଲାଦେଶ ବ୍ୟାଟିଂ କରୁଥିବା ବେଳେ ବର୍ଷା ବାଧକ ସାଜିଥିଲା । ଦଳୀୟ ସ୍କୋର ୬୬ ଥିବାବେଳେ ବର୍ଷା କାରଣରୁ ମ୍ୟାଚ୍ କିଛି ସମୟ ସ୍ଥଗିତ ରଖିବାକୁ ପଡ଼ିଥିଲା । ବାଂଲାଦେଶକୁ ୧୬ ଓଭରରେ ୧୫୧ରନର ରିଭାଇଜଡ ଟାର୍ଗେଟ ଦିଆଯାଇଥିଲା । ଆରମ୍ଭରୁ ୭ଓଭର ଖେଳି ୬୬ରନ କରିଥିଲା ବାଂଲାଦେଶ । ବାଂଲାଦେଶକୁ ୯ଓଭରରେ ୮୫ ରନର ଆବଶ୍ୟକ ଥିଲା । ବର୍ଷା ହେବା ପୂର୍ବରୁ ବାଂଲାଦେଶ ପକ୍ଷରୁ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଲିଟନ ଓ ନଜମୁଲ ୭ ଓଭରରେ ଦଳ ପାଇଁ ୬୬ ରନ୍ ପାର୍ଟନରସିପ୍ କରିଥିଲେ । ଭାରତ ପାଇଁ ମ୍ୟାଚଟି ମୁସ୍କିଲ ଲାଗୁଥିଲା । ହେଲେ ବର୍ଷା ପରେ ବାଂଲାଦେଶ ଟିମ୍ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ।

ଦଳୀୟ ସ୍କୋର ୬୮ ଥିବା ବେଳେ ବ୍ୟକ୍ତିଗତ ୬୦ ରନ କରିଥିବା ଲିଟନ୍ ଆଉଟ୍ ହୋଇଯାଇଥିଲେ । ଏହାପରେ ନଜମୁଲ ହୁସେନ ମଧ୍ୟ ୨୧ ରନ୍ କରି ପାଭେଲିଅନ୍ ଫେରିଯାଇଥିଲେ । ଶେଷ ବେଳକୁ ନୁରୁଲ ହସନ ୨୫ ରନ୍ ଏବଂ ତକ୍ସିନ ଅହମ୍ମଦ ୧୨ ରନ୍ କରି ଅପରାଜିତ ରହିଥିଲେ । ୧୬ ଓଭରରେ ୬ୱିକେଟ୍ ବିନିମୟରେ ୧୪୫ ରନ୍ କରି ବିଜୟଠୁ ମାତ୍ର ୫ ରନ୍ ଦୂରରେ ରହି ପରାଜିତ ହୋଇଛି ବାଂଲାଦେଶ । ଭାରତ ପକ୍ଷରୁ ଅର୍ଶଦୀପ ସିଂ ଓ ହାର୍ଦ୍ଦିକ ପାଣ୍ଡ୍ୟା ୨ଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଛନ୍ତି ସେହିପରି ମହମ୍ମଦ ସାମି ଗୋଟିଏ ୱିକେଟ୍ ହାସଲ କରିଛନ୍ତି ।

ଆଡିଲେଡରେ ହୋଇଥିବା ଏହି ହାଇଭୋଲ୍ଟେଜ ମ୍ୟାଚରେ ବାଂଲାଦେଶ ଟସ୍ ବୋଲିଂ ନିଷ୍ପତ୍ତି ନେଇଥିଲା । ଆହ୍ୱାନ କ୍ରମେ ଭାରତ ବ୍ୟାଟିଂ କରିଥିଲା । ନିର୍ଦ୍ଧାରିତ ୨୦ ଓଭରରେ ଭାରତ ନିଜର ୬ ୱିକେଟ୍ ବିନିମୟରେ ୧୮୪ ରନ୍ ସଂଗ୍ରହ କରିଥିଲା । ଭାରତୀୟ ପାଳିରେ କେଏଲ ରାହୁଲ ଓ ବିରାଟ କୋହଲି ଅର୍ଦ୍ଧଶତକୀୟ ପାରି ଖେଳିଥିଲେ । ଲଗାତର ଫ୍ଲପ ସାବ୍ୟସ୍ତ ହେଉଥିବା ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ କେଏଲ ରାହୁଲ ଆଜି ଭଲ ପ୍ରଦର୍ଶନ କରିଥିଲେ । ରୋହିତ ଶର୍ମା ଓ କେଏଲ ରାହୁଲ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଭାବେ କ୍ରିଜକୁ ଓହ୍ଲାଇଥିଲେ । ୮ ଟି ବଲ୍ ଖେଳି ମାତ୍ର ୨ ରନ୍ କରି ରୋହିତ ପାଭେଲିଅନ୍ ଫେରିଯାଇଥିଲେ । ତାଙ୍କ ସ୍ଥାନ ପୂରଣ କରିବା ପାଇଁ ବିରାଟ କୋହଲି ଆସିଥିଲେ ।

ବିରାଟ ଓ କେଏଲ ରାହୁଲଙ୍କ ମଧ୍ୟରେ ଭଲ ପାର୍ଟନରସିପ୍ ଦେଖିବାକୁ ମିଳିଥିଲା । ହେଲେ ରାହୁଲ ଦଳୀୟ ସ୍କୋର ୭୮ ଥିବା ବେଳେ ବ୍ୟକ୍ତିଗତ ୩୨ ଟି ବଲ୍ ଖେଳି ୫୦ ରନ୍ କରି ଶାକିବଙ୍କ ଓଭରରେ କ୍ୟାଚ୍ ଆଉଟ୍ ହୋଇଯାଇଥିଲେ । ଏହାପରେ ସୂର୍ଯ୍ୟକୁମାର ଯାଦବ କିଛି ସମୟ ପାଇଁ ବିରାଟଙ୍କ ସାଥ୍ ଦେଇଥିଲେ । ୧୬ ଟି ବଲ୍ ଖେଳି ଦ୍ରୁତତାର ସହ ୩୦ ରନ୍ ସଂଗ୍ରହ କରି ଆଉଟ୍ ହୋଇଯାଇଥିଲେ ।

ଏହାପରେ ଅନ୍ୟ ବ୍ୟାଟ୍ସମ୍ୟାନମାନେ ଜଣେ ପରେ ଜଣେ ଆଉଟ୍ ହୋଇଥିଲେ । ବାରିଟ କୋହଲି କିନ୍ତୁ ଏକାକୀ ଦଳକୁ ସମ୍ଭାଳିଥିଲେ । ଭାରତୀୟ ପାଳି ଶେଷ ହେଲାଯାଏଁ ବିରାଟ ୪୧ଟି ବଲ୍ ଖେଳି ୬୪ ରନ୍ କରି ଅପରାଜିତ ରହିଥିଲେ । ଅଶ୍ୱିନୀ ୬ ଟି ବଲରେ ୧୩ ରନ୍ କରି ଅପରାଜିତ ରହିଥିଲେ । ବାଂଲାଦେଶ ପକ୍ଷରୁ ହସନ ମହମ୍ମଦ ୩ ଟି ୱିକେଟ୍ ଅକ୍ତିଆର କରିଥିବା ବେଳେ ଶକିବ ଅଲ ହସନ ୨ ଟି ୱିକେଟ୍ ଅକ୍ତିଆର କରିଥିଲେ ।

ଆଜିର ବିଜୟ ସହ ଭାରତ ସୁପର-୧୨ ଗ୍ରୁପ୨ରେ ଶୀର୍ଷ ସ୍ଥାନକୁ ଉତ୍ତିର୍ଣ୍ଣ ହୋଇଛି । ୪ ଟି ମ୍ୟାଚରୁ ୩ ଟିରେ ବିଜୟ ସହ ଭାରତର ମୋଟ୍ ପଏଣ୍ଟ ଏବେ ୬ ରହିଛି । ଭାରତ ପଛକୁ ୫ପଏଣ୍ଟ ସହ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ସ୍ଥାନରେ ରହିଛି । ଆଜିର ମ୍ୟାଚ୍ ଯଦି ଭାରତ ହାରିଥାନ୍ତା ତେବେ ସେମିଫାଇନାଲ୍ ଆଶା କ୍ଷୀଣ ହୋଇଯାଇଥାନ୍ତା । ମ୍ୟାଚ୍ ବିଜୟ ଭାରତ ସେମି ଦୌଡ଼ ପାଇଁ ସ୍ଥିତି ସୁଦୃଢ କରିଛି । ଅନ୍ୟପକ୍ଷରେ ପାକିସ୍ତାନ ଆସନ୍ତାକାଲି ଦକ୍ଷିଣ ଆଫ୍ରିକାକୁ ଭେଟିବ । ଯଦି ଏହି ମ୍ୟାଚରେ ପାକିସ୍ତାନ ପରାଜିତ ହେଉଛି ତେବେ ସେମିଫାଇନାଲ୍ ଦୌଡ଼ରୁ ବାଦ୍ ପଡ଼ିବ ।