ବାଂଲାଦେଶ ବିପକ୍ଷ ଶେଷ ଦିନିକିଆରେ ଇଶାନ କିଶାନଙ୍କ ଦମଦାର ଦ୍ୱିଶତକ, ଚତୁର୍ଥ ଭାରତୀୟ ଭାବେ ହାସଲ କଲେ ଏହି ସଫଳତା

ଚିତ୍ତୋଗ୍ରାମ: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଆଜି ତୃତୀୟ ତଥା ଶେଷ ଦିନିକିଆ ମ୍ୟାଚ୍ ଖେଳାଯାଉଛି । ପ୍ରଥମେ ଟସ୍ ଜିତି ବାଂଲାଦେଶ ବୋଲିଂ କରୁଛି । ସେହିପରି ଆହ୍ୱାନକ୍ରମେ ବ୍ୟାଟିଂ କରୁଛି ଭାରତ । ଇଶାନ କିଶାନ ଆଜିର ମ୍ୟାଚରେ ଇତିହାସ ରଚିଛନ୍ତି । କ୍ୟାରିଅରର ପ୍ରଥମ ଦ୍ୱିଶତକ ହାସଲ କରିଛନ୍ତି ଇଶାନ । ବାଂଲାଦେଶ ବିପକ୍ଷ ଏହି ମ୍ୟାଚରେ ଦ୍ୱିଶତକ ମାରିଛନ୍ତି ଇଶାନ । ୧୨୬ଟି ବଲରେ ୨୩ ଚୌକା ଏବଂ ୯ ଛକା ବଳରେ ଇଶାନ ଏହି ସଫଳତା ହାସଲ କରିଛନ୍ତି ।

ଶତକ ମାରିବାର କିଛି ସମୟ ପରେ ଇଶାନ କ୍ୟାଚ ଆଉଟ୍ ହୋଇ ପାଭେଲିଅନ ଫେରିଯାଇଛନ୍ତି । ୧୩୧ଟି ବଲରେ ୨୧୦ ରନ୍ କରି ଆଉଟ୍ ହୋଇଛନ୍ତି ଇଶାନ । ଇଶାନ କିଶାନ ଦ୍ୱିଶତକ ମାରିବାରେ ଚତୁର୍ଥ ଭାରତୀୟ ବ୍ୟାଟ୍ସମ୍ୟାନ ଅଟନ୍ତି । ଏହା ପୂର୍ବରୁ ରୋହିତ ଶର୍ମା ୩ଟି ଦିଶ୍ୱତକ, ସଚିନ ତେନ୍ଦୁଲକର ଏବଂ ବୀରେନ୍ଦ୍ର ସେହବାଗ ଗୋଟିଏ ଲେଖାଏଁ ଦ୍ୱିଶତକ ମାରିଛନ୍ତି । ଆଜିର ମ୍ୟାଚରେ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଭାବେ ଇଶାନ କିଶାନ ଓ ଶିଖର ଧୱନ କ୍ରିଜକୁ ଓହ୍ଲାଇଥିଲେ । ଦଳୀୟ ସ୍କୋର ୧୫ ଥିବା ବେଳେ ମାତ୍ର ୩ ରନ୍ କରି ଆଉଟ୍ ହୋଇଯାଇଥିଲେ ଧୱନ ।

ଏହାପରେ ବିରାଟ କୋହଲି ଏବଂ ଇଶାନଙ୍କ ମଧ୍ୟରେ ଭଲ ପାର୍ଟନରସିପ୍ ଦେଖିବାକୁ ମିଳିଥିଲା । ଗୋଟିଏ ପଟେ ଇଶାନ ଧୂଆଁଧାର ବ୍ୟାଟିଂ କରୁଥିବା ବେଳେ ଅନ୍ୟପଟେ ବିରାଟ ତାଙ୍କୁ ସାଥ୍ ଦେଉଥିଲେ । ଇଶାନ ଆଉଟ୍ ହେବା ପରେ ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ଶ୍ରେୟସ ଆୟର ମାତ୍ର ୩ ରନ୍ କରି ଆଉଟ୍ ହୋଇଯାଇଛନ୍ତି । ଅନ୍ୟପକ୍ଷରେ ରନ୍ ମେସିନ ଭାବେ ଜଣାଯାଉଥିବା ବିରାଟ କୋହଲି ମଧ୍ୟ ଶତକ ଲଗାଇଛନ୍ତି ।

ଏହି ଶତକ ସହ ତାଙ୍କର ୭୨ଟି ଅନ୍ୟର୍ଜାତୀୟ ଶତକ ପୂରଣ ହୋଇଛି । ସେହିପରି ୪୪ ଦିନିକିଆ ଶତକ ପୂରା କରିଛନ୍ତି । ଏହି ଶତକ ସହ ବିରାଟ ଅନେକ ରେକର୍ଡ ଭାଙ୍ଗିଛନ୍ତି । ସବୁଠୁ ଅଧିକ ଅନ୍ତର୍ଜାତୀୟ ଶତକ ମାମଲାରେ ରିକି ପଏଣ୍ଟିଂଙ୍କୁ ପଛରେ ପକାଇ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି କୋହଲି । ରିକି ପଏଣ୍ଟିଂ ୭୧ ଶତକ ସହ ଦ୍ୱିତୀୟ ସ୍ଥାନରେ ଥିଲେ । ୧୦୦ ଶତକ ସହ ସଚିନ ତେନ୍ଦୁଲକର ପ୍ରଥମ ସ୍ଥାନରେ ରହିଛନ୍ତି । ଏବେ ୭୨ ଶତକ ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି କୋହଲି ।