ରୋମାଞ୍ଚକର ସ୍ଥିତିରେ କାନପୁର ଟେଷ୍ଟ, ମ୍ଯାଚ ଜିତିବା ଲକ୍ଷ୍ଯରେ ଟିମ୍ ଇଣ୍ଡିଆ

1 min read

ନନ୍ଦିଘୋଷ ବ୍ୟୁରୋ :   ରୋମାଞ୍ଚକର ସ୍ଥିତିରେ କାନପୁର ଟେଷ୍ଟ । ଆଜି ଭାରତ-ବାଂଲାଦେଶ ଶେଷ ଟେଷ୍ଟର ଶେଷ ଦିନ । ମ୍ଯାଚ ଜିତିବା ଲକ୍ଷ୍ଯରେ ରହିଛି ଟିମ୍ ଇଣ୍ଡିଆ । ଆଜି ବାଂଲାଦେଶକୁ ଶୀଘ୍ର ଆଉଟ୍ କରି ବିସ୍ଫୋରକ ବ୍ଯାଟିଂ ବଳରେ ବିଜୟ ପାଇଁ ରଣନୀତି କରିଛି ଭାରତ । ମ୍ଯାଚ ଜିତିବା ପାଇଁ ଆଜି ରୋହିତ ବାହିନୀ ପୂରା ଦମ୍ ଲଗାଇଦେବ ।  ଗତକାଲି ଚତୁର୍ଥ ଦିନରେ ଦେଖିବାକୁ ମିଳିଥିଲା ରନ ବର୍ଷା । ଟେଷ୍ଟରେ ଟି-ଟ୍ବେଣ୍ଟି ଧମାକା ଦେଖାଇଥିଲେ ଟିମ ଇଣ୍ଡିଆ ପ୍ଲେୟାର । ବର୍ଷା ଯୋଗୁଁ ତୃତୀୟ ଦିନ ଖେଳ ବାତିଲ ହେବାରୁ ସେହି ସମୟ ଭରଣା କରିବାକୁ ଚତୁର୍ଥ ବିସ୍ଫୋରକ ବ୍ୟାଟିଂ କରିଥିଲା ଭାରତ। ପ୍ରଥମ ଇଂନିସରେ ମାତ୍ର ୩୪.୪ ଓଭରରେ ୯ ୱିକେଟ ହରାଇ ୨୮୫ ରନ କରି ପାଳି ଘୋଷଣା କରିଛି । ଜୟସ୍ଵାଲ ୫୧ ବଲରୁ ଧୂଆଁଧାର ୭୨ ରନ କରିଥିବା ବେଳେ କୋହଲି ୩୫ ବଲରୁ ୪୭, ରାହୁଲ ୪୩ ବଲରୁ ୬୮ ରନ କରିଛନ୍ତି। କାନପୁର ଟେଷ୍ଟରେ ଟିମ୍ ଇଣ୍ଡିଆ କରିଛି ଏକାଧିକ ରେକର୍ଡ । ଟେଷ୍ଟରେ ୩ ଓଭରରୁ ୫୦ ରନ୍ ହାସଲ କରିବାରେ ପ୍ରଥମ ଦଳ ହୋଇଛି ଭାରତ । ସେହିପରି ଟେଷ୍ଟରେ ଦ୍ରୁତ ୧୦୦ ଓ ୨୦୦ ରନ୍ ହାସଲ କରିଛି । ୧୦.୧ ଓଭରରୁ ୧୦୦ ଓ ୨୪.୨ ଓଭରରୁ ୨୦୦ ରନ୍ ହାସଲ କରିଛି ଭାରତ । ୧୯ ବଲରୁ ଦୃତ ୫୦ ରନର ଭାଗିଦାରୀ ବି ହୋଇଛି । ଗୋଟିଏ ଇନିଂସରେ ୮.୨ ହାରରେ ରନ୍ ସଂଗ୍ରହ ମଧ୍ଯ କରିଛି ଟିମ୍ ଇଣ୍ଡିଆ । ଟେଷ୍ଟରେ ପ୍ରଥମ ଥର ଜଣେ ଓପନର ପ୍ରଥମ ଦୁଇ ବଲକୁ ଛକା ମାରିଛନ୍ତି । କ୍ଯାପଟେନ ରୋହିତ ରୋହିତ ଶର୍ମା ଖେଳିଥିବା ପ୍ରଥମ ଦୁଇ ବଲକୁ ଛକା ମାରି ରେକର୍ଡ କରିଛନ୍ତି । ଗୋଟିଏ ବର୍ଷରେ ସର୍ବାଧିକ ୯୬ଟି ଛକା ମାରିବାର ରେକର୍ଡ କରିଛନ୍ତି । ଗତକାଲି ଖେଳ ଶେଷ ସୁଦ୍ଧା ବାଂଲାଦେଶ ୧୧ ଓଭରରେ ୨ ୱିକେଟ ହରାଇ ୨୬ ରନ କରିଛି । ଏବେ ବି ଟିମ୍ ୨୬ ରନରେ ପଛୁଆ ଅଛି।