ଭାରତ ଓ ଅଷ୍ଟ୍ରେଲିଆ ୩ୟ ଟେଷ୍ଟ, ବାଜି ପଲଟାଇଲା ଅଶ୍ୱିନୀ ଓ ହନୁମାଙ୍କ ପାର୍ଟନରସିପ୍

ସିଡନୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଜାରି ସିଡନୀ ଟେଷ୍ଟ ଡ୍ର ହୋଇଛି। ଭାରତୀୟ ବ୍ୟାଟ୍ସ ମ୍ୟାନଙ୍କ ଧୂଆଁଧାର ବ୍ୟାଟିଂ ବଳରେ ନିଶ୍ଚିତ ପରାଜୟରୁ ବର୍ତ୍ତିଛି ଭାରତ। ପ୍ରଥମେ ପୂଜାରା ଓ ପନ୍ତ ଏବଂ ପରେ ଅଶ୍ୱିନୀ ଓ ହନୁମା ବିହାରୀଙ୍କ ପାର୍ଟନରସିପ୍ ବାଜି ପଲଟାଇ ଦେଇଥିଲା। ଏହି ଖେଳାଳିଙ୍କ ଗୁରୁତ୍ୱପୂର୍ଣ୍ଣ ପାର୍ଟନରସିପ୍ ବଳରେ ଭାରତ ସିଡନୀ ଟେଷ୍ଟକୁ ଡ୍ର କରିପାରିଛି ।

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସିଡନୀରେ ଖେଳାଯାଇଥିବା ଦ୍ୱିତୀୟ ଇନିଂସରେ ଭାରତ ଆଗରେ ୪୦୭ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା ଅଷ୍ଟ୍ରେଲିଆ ଦଳ। ହେଲେ ଆରମ୍ଭରୁ ଭାରତର ଦୁଇ ପ୍ରାରମ୍ଭିକ ବ୍ୟାଟ୍ସ ମ୍ୟାନ ରୋହିତ ଶର୍ମା ଓ ଶୁବମନ ଗିଲ୍ ଭଲ ଆରମ୍ଭ କରିଥିଲେ ମଧ୍ୟ ଅଧିକ ସମୟ ପର୍ଯ୍ୟନ୍ତ ପଡ଼ିଆରେ ତିଷ୍ଠି ପାରିନଥିଲେ ।

ଏହାପରେ ଅଧିନାୟକ ରାହାଣେ ମାତ୍ର ୪ ରନ କରି ଆଉଟ୍ ହେବାପରେ ଅଷ୍ଟ୍ରେଲିଆ ବୋଲରଙ୍କ ଆଗରେ ଭାରତ ହାର ମାନିଯିବ ବୋଲି ଚର୍ଚ୍ଚା ହେଉଥିଲା । ହେଲେ ପୂଜାରା ଓ ରିଷଭ ପନ୍ତଙ୍କ ଆକର୍ଷଣୀୟ ଇନିଂସ ମ୍ୟାଚର ମୋଡ ବଦଳାଇବାରେ ସଫଳ ହୋଇଥିଲା । ଗୋଟିଏ ସମୟରେ ଲାଗୁଥିଲା ଭାରତ ସହଜରେ ଏହି ମ୍ୟାଚରେ ବିଜୟୀ ହେବ ବୋଲି। କିନ୍ତୁ ରିଷଭ ପନ୍ତ ୯୭ ରନ୍ ଓ  ୭୭ ରନରେ ପୂଜାରା ଆଉଟ୍ ହୋଇଥିଲେ । ଯାହା ପରେ ଏହି ଆଶା ପୁଣି ମଉଳିବାରେ ଲାଗିଥିଲା ।

ଭାରତୀୟ ଦଳର ସ୍ଥିତି ବିଗୁଡୁଥିବା ବେଳେ ପଡ଼ିଆରେ ଜମିକି ରହିଥିଲେ ହନୁମା ବିହାରୀ ଓ ରବି ଚନ୍ଦ୍ରନ ଅଶ୍ୱିନୀ । ହନୁମା ବିହାରୀ ଓ ଅଶ୍ୱିନୀ ଉଭୟ ଆହତ ଅବସ୍ଥାରେ ଖେଳୁଥିବାର ଆଜି ନଜର ଆସିଥିଲେ । ରନ ନେବାକୁ ମଧ୍ୟ ଅସମର୍ଥ ଥିବା ଏହି ଦୁଇ ବ୍ୟାଟ୍ସ ମ୍ୟାନ୍ ଭାରତକୁ ପରାଜୟରୁ ରକ୍ଷା କରିବାକୁ ଲାଗି ପଡିଥିଲେ । ଆଉ ପଡ଼ିଆରେ ଅଷ୍ଟ୍ରେଲିଆ ବୋଲରଙ୍କୁ ସାମ୍ନା କରିଥିଲେ।

ଏହି ମ୍ୟାଚରେ ଅଷ୍ଟ୍ରେଲିଆ ପ୍ରଥମ ବ୍ୟାଟିଂ କରି ପ୍ରଥମ ଇଂନିସରେ ୩୩୮ ରନ କରିଥିଲା । ଜବାବରେ ଭାରତ ୨୪୪ ରନରେ ଅଲଆଉଟ୍ ହୋଇ ଯାଇଥିଲା । ଏହା ପରେ ଦ୍ୱିତୀୟ ଇଂନିସରେ ଅଷ୍ଟ୍ରେଲିଆ ୩୧୨ ରନ କରି ଭାରତ ଆଗରେ ବିଶାଳ ୪୦୭ ରନର ଟାର୍ଗେଟ ଦେଇଥିଲା । ତେବେ ଦ୍ୱିତୀୟ ଇଂନିସରେ ଭାରତ ୫ ୱିକେଟ ହରାଇ ୩୩୪ ରନ କରି ମ୍ୟାଚକୁ ଡ୍ର କରିବାରେ ସକ୍ଷମ ହୋଇଥିଲା ।

Leave a Reply