କମନଓ୍ବେଲଥ ଗେମ୍ସ: ହାପ୍ ସେଞ୍ଚୁରୀ ମେଡାଲ ଆଡ଼କୁ ଭାରତ

1 min read

ବର୍ମିହାମ: କମନଓ୍ବେଲଥ ଗେମ୍ସରେ ୫୦ ମେଡାଲ ଆଡକୁ ଯାଉଛି ଭାରତ । ବର୍ତ୍ତମାନ ସୁଦ୍ଧା ଦେଶ ୪୭ ପଦକ ଜିତି ସାରିଥିବା ବେଳେ ୭ରୁ ୮ଟିର ଫାଇନାଲ ଇଭେଣ୍ଟ ବାକି ଅଛି । ଏଥିରେ ଭାରତ ପଦକ ପକ୍କା କରି ସାରିଥିବା ବେଳେ କେବଳ ପଦକର ରଙ୍ଗ କ’ଣ ହେବ ତାକୁ ଅପେକ୍ଷା କରାଯାଇଛି ।

୧୦ ଦିନ ଖେଳ ଆରମ୍ଭ ହେବା ପରଠାରୁ ଭାରତୀୟ ଖେଳାଳିଙ୍କ ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । ବିଶେଷ କରି ଟ୍ରିପଲ୍ ଜମ୍ପରେ ଭାରତକୁ ଡବଲ ଖୁସି ମିଳିଛି । ଭାରତର ଦୁଇ ଆଥଲେଟ୍ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ଦେଶ ପାଇଁ ହାସଲ କରିଛନ୍ତି । ଏହି ଇଭେଣ୍ଟରେ ଏଲଡୋସ ପାଉଲ ୧୭.୦୩ ମିଟର ଜମ୍ପ ମାରି ଗୋଲ୍ଡ ପଦକ କବଜା କରିଥିବା ବେଳେ ସହ ଖେଳାଳି ଅବଦୁଲ୍ଲ ଅବୁବକର ୧୭.୦୨ ମିଟର ଡେଇଁ ସିଲଭର ମେଡାଲ ଜିତିଛନ୍ତି ।

୧୦ କିମି ଚାଲି ଓ ଜାଭଲିନରେ ବ୍ରୋଞ୍ଜ

ସେହିପରି ୧୦ କିମି ଚାଲିରେ ଭାରତର ସନ୍ଦୀପ କୁମାର ତୃତୀୟ ସ୍ଥାନ ହାସଲ କରିବା ସହ ବ୍ରୋଞ୍ଜ ପଦକ ନିଜ ନାଁରେ କରିଛନ୍ତି । ଏହି ଦୂରତାକୁ ୩୮ ମିନିଟ ୪୯.୨୧ ସେକେଣ୍ଡ ସମୟରେ ସେ ଅତିକ୍ରମ କରିଥିଲେ । ଜାଭଲିନରେ ଅନୁରାଣୀ ମଧ୍ୟ ଦେଶ ପାଇଁ ଗୌରବ ଆଣିଛନ୍ତି । ୬୦ ମିଟର ଭଲ୍ଲା ଫିଙ୍ଗି ଅନୁ ବ୍ରୋଞ୍ଜ ପଦକ ଜିତିଛନ୍ତି ।

ଏହାପୂର୍ବରୁ ଭାରତ ବକ୍ସିଂରେ ଦୁଇଟି ସ୍ବର୍ଣ୍ଣ ଜିତିଥିଲା । ୪୮ କେଜି ବର୍ଗରେ ବକ୍ସର ନିତୁ ଘନଘାସ ଏବଂ ୪୮-୫୧ କେଜି ବର୍ଗରେ ଅମିତ ପଙ୍ଘଲ ସ୍ବର୍ଣ୍ଣ ଜିତିଥିବା ବେଳେ ମହିଳା ହକି ଟିମ ସୁଟ ଆଉଟରେ ନ୍ୟୁଜଲାଣ୍ଡକୁ ହରାଇ ବ୍ରୋଞ୍ଜ ପଦକ ଜିତିଥିଲେ ।

ବର୍ତ୍ତମାନ ସୁଦ୍ଧା ଭାରତ ୧୬ ଗୋଲ୍ଡ, ୧୨ ସିଲଭର ଓ ୧୯ ସିଲଭର ସହ ୪୭ ପଦକ ଜିତି ୫ମ ସ୍ଥାନରେ ରହିଛି ।