ଆକ୍ସନ ମୁଡରେ ବୋଲର: ସେକେଣ୍ଡ ଡେ’ରେ ୧୪ ଓ୍ବିକେଟ ଝଡିଲା

ବେଙ୍ଗାଲୁରୁ: ଭାରତ, ଶ୍ରୀଲଙ୍କା ମଧ୍ୟରେ ବେଙ୍ଗାଲୁରୁରେ ଖେଳାଯାଉଥିବା ଦ୍ବିତୀୟ ଟେଷ୍ଟର ଦ୍ବିତୀୟ ଦିନରେ ମଧ୍ୟ ବୋଲରଙ୍କ ଦବଦବା ଦେଖିବାକୁ ମିଳିଛି । ପ୍ରଥମ ଦିନରେ ୧୬ ଓ୍ବିକେଟ୍ ପଡିଥିବା ବେଳେ ଦ୍ବିତୀୟ ଦିନରେ ୧୪ ଓ୍ବିକେଟ ଝଡିଛି । ଏହାସହ ୩୦୩ ରନରେ ଭାରତ ଦ୍ବିତୀୟ ପାଳି ଘୋଷଣା କରିଛି । ଶ୍ରୀଲଙ୍କା ଗୋଟିଏ ଓ୍ବିକେଟ୍ ହରାଇ ୭ ଓଭରରେ ୨୮ ରନ କରିଛି । ବିଜୟ ପାଇଁ ଶ୍ରୀଲଙ୍କାକୁ ୪୧୯ ରନ୍ ଦରକାର ହେଉଥିବା ବେଳେ ଆଜି ଟାର୍ଗେଟକୁ ଚେଜ୍ କରିବାକୁ ପଡିଆକୁ ଓହ୍ଲାଇବ ଦଳ ।

ଗତକାଲି ଦ୍ବିତୀୟ ଦିନରେ ଖେଳ ଆରମ୍ଭ କରି ମାତ୍ର ୨୩ ରନ ଯୋଡ଼ିବାକୁ ସକ୍ଷମ ହୋଇ ଥିଲା ଶ୍ରୀଲଙ୍କା । ଦଳ ମାତ୍ର ୧୦୯ ରନରେ ଅଲଆଉଟ୍ ହୋଇଯାଇଥିଲା । ପରେ ଦ୍ବିତୀୟ ଇନିଂସରେ ଦମଦାର ପ୍ରଦର୍ଶନ କରି ୬୮.୫ ଓଭରରେ ୯ ଓ୍ବିକେଟ ହରାଇ ୩୦୩ ରନରେ ପାଳି ଘୋଷଣା କରିଥିଲା ଭାରତ । ଦ୍ବିତୀୟ ପାଳିରେ ଶ୍ରେୟସ ଆୟାର ସର୍ବାଧିକ ୬୭ ରନ୍ କରିଥିବାବେଳେ ରିଷବ ପନ୍ତ ଖେଳିଥିଲେ ଧୁଆଁଧାର ଇନିଂସ । ୩୧ ବଲରେ ୭ ଚୌକା ଓ ୨ ଛକା ମାରି ୫୦ରନ୍ ସଂଗ୍ରହ କରିଥିଲେ ରିଷଭ । ଅଧିନାୟକ ରୋହିତ ଶର୍ମା ୪୬ରନ୍ କରିଥିବାବେଳେ ବିରାଟ କୋହଲି ମାତ୍ର ୧୩ରନ୍ କରି ପାଭିଲିୟନ ଫେରିଥିଲେ ।