ଜାନୁୟାରୀ ୭ ଯାଏ ଇଂଲଣ୍ଡକୁ ବିମାନ ଚଳାଚଳ ମନା

1 min read

ନୂଆଦିଲ୍ଲୀ: ବ୍ରିଟେନରେ ଦେଖାଦେଇଥିବା ରୂପ ବଦଳାଉଥିବା କରୋନା ଭୁତାଣୁ ସଂକ୍ରମଣକୁ ରୋକିବା ଲାଗି ଭାରତ ସରକାର ଆଜି ବିମାନ ଚଳାଚଳ ଉପରେ ଲାଗିଥିବା କଟକଣାକୁ ବୃଦ୍ଧି କରିଛନ୍ତି । ଏହିକ୍ରମରେ ଆସନ୍ତା ୭ ତାରିଖ ଯାଏ ବ୍ରିଟେନରୁ ଭାରତକୁ କୌଣସି ଉଡ଼ାଣ ହେବ ନାହିଁ । ସେହିପରି ଭାରତରୁ ମଧ୍ୟ ବ୍ରିଟେନକୁ ଯାଉଥିବା ସମସ୍ତ ଉଡ଼ାଣକୁ ବାତିଲ୍ କରାଯାଇଛି । ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ।

କରୋନା ଭୁତାଣୁର ଏକ ନୂଆ ରୂପ ଯାହା ସାର୍ସ କୋଭ୍-୨ ଭାବେ ବୖଜ୍ଞାନିକଙ୍କ ପାଖରେ ପରିଚିତ ତାହା ବିସ୍ତାର ହେଉଥିବା ବିଷୟ ବ୍ରିଟେନ୍ ସରକାରଙ୍କ ପକ୍ଷରୁ ବିଶ୍ୱସ୍ୱାସ୍ଥ୍ୟ ସଂଗଠନକୁ ସୂଚନା ଦିଆଯାଇଥିଲା । ଏହା ପୂର୍ବ କରୋନା ଭୁତାଣୁ ଅପେକ୍ଷା ଶୀଘ୍ର ସଂକ୍ରମଣଶୀଳ ବୋଲି ଜଣାପଡ଼ିବା ପରେ ସାରା ବିଶ୍ୱ ଆତଙ୍କିତ ହୋଇଥିଲା । ଭାରତକୁ ଏହି ସମସ୍ୟାରୁ ମୁକ୍ତ କରିବା ଲାଗି ସରକାରଙ୍କ ପକ୍ଷରୁ ଡିସେମ୍ବର ୨୩ ତାରିଖରେ ବ୍ରିଟେନ୍ ଉଡ଼ାଣ ଉପରେ କଟକଣା ଜାରି କରାଯାଇଥିଲା । ୩୧ ତାରିଖ ଯାଏ ଏହି କଟକଣା ଲାଗିଥିଲା । ଏବେ ପରିସ୍ଥିତି ବିପଦ ମୁକ୍ତ ହେଇ ନଥିବାରୁ ସରକାର ଜାନୁୟାରୀ ୭ ତାରିଖ ଯାଏ ଉଡ଼ାଣ ବାତିଲ କରିଛନ୍ତି ।

ଏ ଭିତରେ ଭାରତକୁ ଆସିଥିବା ୨୦ ଜଣ ବ୍ରିଟେନ୍ ଫେରନ୍ତା ନୂଆ କରୋନା ଭୁତାଣୁ ଆକ୍ରାନ୍ତ ହୋଇଥିବା ଭାରତ ସରକାରଙ୍କ ପକ୍ଷରୁ କୁହାଯାଇଛି ।

Leave a Reply