ଭାରତ-ଇଂଲଣ୍ଡ ଟେଷ୍ଟ ମ୍ୟାଚର ୩ୟ ଦିନ; ୨୮୪ ରନରେ ଇଂଲଣ୍ଡ ଅଲଆଉଟ୍

1 min read

ବର୍ମିଂହାମ: ଭାରତ-ଇଂଲଣ୍ଡ ମଧ୍ୟରେ ଏଜବାଷ୍ଟନରେ ଚାଲିଥିବା ୫ମ ଟେଷ୍ଟ ମ୍ୟାଚ ଜିତିବା ଦିଗରେ ଭାରତୀୟ ଦଳ । ତୃତୀୟ ଦିନ ଖେଳ ଚାଲିଥିବା ବେଳେ ଇଂଲଣ୍ଡର ପ୍ରଥମ ଇଂନିସ ଶେଷ ହୋଇଛି । ମାତ୍ର ୨୮୪ ରନ୍ କରି ଅଲଆଉଟ୍ ହୋଇଛି ଇଂଲଣ୍ଡ ଦଳ  । ୧୩୨ ରନ୍ ଲିଡରେ ରହିଛି ଭାରତୀୟ ଦଳ  । ଭାରତୀୟ ଦଳ ପ୍ରଥମ ଇଂନିସରେ ସମସ୍ତ ୱିକେଟ ହରାଇ ୪୧୬ ରନ୍ କରିଥିଲା । ଋଷଭ ପନ୍ତ ୧୪୬ ରନ୍ ଏବଂ ରବୀନ୍ଦ୍ର ଜାଡେଜା ୧୦୬ ରନ୍ କରିଥିଲେ । ବୁମରାହ ମଧ୍ୟ ୧୬ ଟି ବଲରେ ୩୧ରନର ଧୂଆଁଧାର ଇନିଂସ ଖେଳିଥିଲେ । ଇଂଲଣ୍ଡ ଦଳ ତୃତୀୟ ଦିନରେ ସମସ୍ତ ୱିକେଟ ହରାଇ ୨୮୪ ରନରେ ସୀମିତ ରହିଛି  । ଇଂଲଣ୍ଡ ଦଳ ଦ୍ୱିତୀୟ ଦିନ ଶେଷ ବେଳକୁ ଧରାଶାୟୀ ସ୍ଥିତିରେ ରହିଥିଲା  । ମାତ୍ର ୮୪ ରନରେ ୫ ୱିକେଟ ହରାଇଥିଲା  ।

କିନ୍ତୁ ତୃତୀୟ ଦିନରେ ଜନି ବେୟାରଷ୍ଟୋ’ ଙ୍କ ଦମଦାର ଶତକ ବଳରେ ଦଳୀୟ ସ୍ଥିତି ସାମାନ୍ୟ ମଜବୁତ ସ୍ଥିତିକୁ ଫେରିଥିଲା । ଜନିଙ୍କ ବ୍ୟତୀତ ଅନ୍ୟ ଖେଳାଳି ଦଳକୁ ଭଲ ସ୍କୋର ଦେବାରେ ସକ୍ଷମ ହୋଇନାହାନ୍ତି । ଭାରତୀୟ ଦଳ ପକ୍ଷରୁ ମହମ୍ମଦ ସିରାଜ ସର୍ବାଧିକ ୪ ୱିକେଟ ନେବାରେ ସଫଳ ହୋଇଛନ୍ତି  । ଗତକାଲି ବିସ୍ଫୋରକ ବ୍ୟାଟିଂ କରିଥିଲା ଅଧିନାୟକ ଜଶପ୍ରୀତ ବୁମରାହ ମଧ୍ୟ ଭଲ ବୋଲିଂ ପ୍ରଦର୍ଶନ କରିଛନ୍ତି । ୧୯ ଓଭର ବୋଲିଂ କରି ମାତ୍ର ୬୮ ରନ୍ ଦେଇ ୩ ୱିକେଟ ନେବାରେ ସଫଳ ହୋଇଛନ୍ତି  । ଭାରତ ନିଜ ଦ୍ୱିତୀୟ ଇଂନିସରେ ଯଦି ୩୦୦ ରନ୍ ରୁ ଅଧିକ କରୁଛି ତେବେ ଇଂଲଣ୍ଡ ଦଳ ପରାଜୟର ସାମ୍ନା କରିବ ବୋଲି କ୍ରିକେଟ ଏକ୍ସପର୍ଟ ମତବ୍ୟକ୍ତ କରିଛନ୍ତି  ।