ଟି-ଟ୍ବେଣ୍ଟିରେ ଦିନିକିଆ ବିଶ୍ବକପର ପ୍ରତିଶୋଧ ନେଲା ଭାରତ

1 min read

ସେଣ୍ଟ ଲୁସିଆ: ଅଷ୍ଟ୍ରେଲିଆ ଉପରେ ଦିନିକିଆ ବିଶ୍ବକପ ଓ ଟେଷ୍ଟ ଚାମ୍ପିଅନସିପ ଫାଇନାଲ ପରାଜୟର ପ୍ରତିଶୋଧ ନେଇ ଟି-ଟ୍ବେଣ୍ଟି ବିଶ୍ବକପର ସେମିଫାଇନାଲରେ ପ୍ରବେଶ କରିଛି ଭାରତ। ସୁପର ଏଇଟ ମୁକାବିଲାରେ ଅଷ୍ଟ୍ରେଲିଆକୁ ୨୪ ରନରେ ପରାସ୍ତ କରିଛି ଟିମ୍ ଇଣ୍ଡିଆ। ରୋହିତ ଶର୍ମାଙ୍କ ଧୂଆଁଦାର ବ୍ୟାଟିଂ ପରେ ବୋଲରଙ୍କ ଜବରଦସ୍ତ ବୋଲିଂ ବଳରେ ବିଜୟୀ ହୋଇଛି ମେନ୍ ଇନ୍ ବ୍ଲୁ।

ପ୍ରଥମେ ବ୍ୟାଟିଂ କରିଥିବା ଭାରତ ନିର୍ଦ୍ଧାରିତ ଓଭରରେ ୫ ଓ୍ବିକେଟ ହରାଇ ୨୦୬ ରନ କରିଥିଲା। ଦଳ ପକ୍ଷରୁ ରୋହିତ ଶର୍ମା ଜବରଦସ୍ତ ବ୍ୟାଟିଂ କରିଥିଲେ। ମ୍ୟାଚ ଆରମ୍ଭରୁ ନିଜର ବ୍ୟାଟିଂର କମାଲ ଦେଖାଇଥିଲେ ରୋହିତ। ରୋହିତ ୪୧ ବଲରୁ ୯୨ ରନ ସଂଗ୍ରହ କରିଥିଲେ। ସେହିପରି ସୂର୍ଯ୍ୟକୁମାର ଯାଦବ ୩୧, ଶିବମ ଦୁବେ ୨୮, ହାର୍ଦ୍ଦିକ ପାଣ୍ଡ୍ୟା ୨୭ ରନ କରିଥିଲେ। ଜବାବରେ ୨୦୬ ରନର ବିଜୟ ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇଥିଲା ଅଷ୍ଟ୍ରେଲିଆ।

୬ ରନରେ ଡେଭିଡ ଓ୍ବାର୍ଣ୍ଣର ଆଉଟ ହେବା ପରେ ଟ୍ରାଭିସ ହେଡ୍ ଓ ଅଧିନାୟକ ମିଚେଲ ମାର୍ସ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ଧମାକାଦାର ବ୍ୟାଟିଂ କରୁଥିବା ହେଡ୍ ୭୬ ରନରେ ଆଉଟ୍ ହୋଇଥିଲେ। ପରେ ପରେ ଅନ୍ୟ ବ୍ୟାଟସମ୍ୟାନ ବି ବଡ ରନ କରିପାରିନଥିଲେ। ଫଳରେ ଦଳ ୭ ଓ୍ବିକେଟ ହରାଇ ୧୮୧ ରନ କରିବାକୁ ସକ୍ଷମ ହୋଇଥିଲା। ଭାରତ ପକ୍ଷରୁ ଅର୍ଶଦୀପ ୩ ଓ୍ବିକେଟ ଅକ୍ତିଆର କରିଥିବା ବେଳେ, କୁଲଦୀପ ଯାଦବ ୨, ବୁମରା ଓ ଅକ୍ଷର ପଟେଲ ଗୋଟିଏ ଲେଖାଏଁ ଓ୍ବିକେଟ ହାସଲ କରିଥିଲେ।