୨୦୨୨ର ପ୍ରତିଶୋଧ ନେବ କି ଭାରତ ? ସେମିଫାଇନାଲରୁ ଇଂଲଣ୍ଡକୁ ବିଦା କରିବ କି ଟିମ୍ ଇଣ୍ଡିଆ ?

1 min read

ନନ୍ଦିଘୋଷ ବ୍ୟୁରୋ: ୨୦୨୨ର ପ୍ରତିଶୋଧ ନେବ କି ଭାରତ ? ସେମିରୁ ବିଦା କରିଥିବା ଇଂଲଣ୍ଡକୁ ଏଥର ବିଦା କରିବ କି ଟିମ୍ ଇଣ୍ଡିଆ। ଟି-ଟ୍ବେଣ୍ଟି ବିଶ୍ବକପ ଫାଇନାଲ ଟିକେଟ ପାଇଁ ଆଜି ହେବ ସେମି ଲଢେଇ । ଦ୍ବିତୀୟ ସେମିଫାଇନାଲରେ ଇଂଲଣ୍ଡ ସହିତ ହେବ ଭାରତର ମୁକାବିଲା । ଗାଏନା ପ୍ରୋଭିଡେନ୍ସ ଷ୍ଟାଡିୟମରେ ଭାରତୀୟ ରାତି ୮ଟାରେ ମ୍ଯାଚ୍ ଖେଳାଯିବ। ଚଳିତ ଟୁର୍ଣ୍ଣାମେଣ୍ଟରେ ଭାରତ ଏଯାଏଁ ପରାସ୍ତ ହୋଇନାହିଁ । ଦଳର ଖେଳାଳିମାନେ ଦମଦାର ଫର୍ମରେ ଥିବାବେଳେ ସବୁ ମ୍ଯାଚକୁ ଜିତିନେଇଛି ରୋହିତ ବାହିନୀ । ଅଷ୍ଟ୍ରେଲିଆ ବିପକ୍ଷରେ କ୍ଯାପଟେନ ରୋହିତ ଶର୍ମାଙ୍କ ଦମଦାର ବ୍ଯାଟିଂ ମଧ୍ଯ ଦଳର ମନୋବଳକୁ ବଢାଇଦେଇଛି । ଭାରତକୁ ଜବାବ ଦେବାକୁ ଇଂଲଣ୍ଡ ମଧ୍ଯ ପ୍ରସ୍ତୁତ ରହିଛି ।

ତେବେ ଖେଳ ହେବାକୁ ଥିବା ଗାଏନାରେ ଆଜି ୮୮ ପ୍ରତିଶତ ବର୍ଷା ହେବା ଆଶଙ୍କା ରହିଛି । ଏପରିକି ୧୮ ପ୍ରତିଶତ ପ୍ରବଳ ଘଡ଼ଘଡି ମାରିବା ସମ୍ଭାବନା ଅଛି । ତେଣୁ ଦ୍ବିତୀୟ ସେମିଫାଇନାଲ୍ ସୁରୁଖୁରୁରେ ଆୟୋଜନ ହେବା ନେଇ ଆଶଙ୍କା ଦେଖାଦେଇଛି । ପ୍ରଥମ ସେମିଫାଇନାଲ୍ ପରି ଦ୍ବିତୀୟ ସେମିଫାଇନାଲରେ କୌଣସି ସଂରକ୍ଷିତ ଦିବସ ରଖାଯାଇ ନାହିଁ । କିନ୍ତୁ ମ୍ୟାଚ୍ ଆୟୋଜନ ପାଇଁ ଆୟୋଜକଙ୍କ ପାଖରେ ଅତିରିକ୍ତ ୨୫୦ ମିନିଟ୍ ଦିଆଯାଇଛି। ଯଦି ମ୍ୟାଚ୍ ଆରମ୍ଭ କରାଇବାରେ ବର୍ଷା ବାଧା ଦିଏ, ତାହେଲେ ଅତିରିକ୍ତ ସମୟ ମଧ୍ୟରେ ଖେଳକୁ ଶେଷ କରିବାକୁ ଚେଷ୍ଟା କରାଯାଇପାରିବ । ଯଦି ବର୍ଷା ଦ୍ବାରା ସଂପୂର୍ଣ୍ଣ ଭାବେ ମ୍ୟାଚ୍ ଧୋଇ ହୋଇଯାଏ, ତାହେଲେ ଭାରତ ସିଧାସଳଖ ଫାଇନାଲରେ ପ୍ରବେଶ କରିବ । କାରଣ  ସୁପର-୮ରେ ଭାରତର ସବୁଠୁ ଭଲ ପ୍ରଦର୍ଶନ ରହିଛି । ଭାରତ ଏହି ପର୍ଯ୍ୟାୟରେ ସମସ୍ତ ୩ ମ୍ୟାଚରେ ବିଜୟୀ ହୋଇଥିଲା । କିନ୍ତୁ ଇଂଲଣ୍ଡ ଗ୍ରୁପ୍-୧ରେ ଦ୍ବିତୀୟ ସ୍ଥାନରେ ରହି ସେମିଫାଇନାଲକୁ ଆସିଥିଲା ।

୨୦୨୨ ଆଇସିସି ଟି-୨୦ ବିଶ୍ୱକପରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ସେମିଫାଇନାଲ ମୁକାବିଲା ହୋଇଥିଲା । ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରି ୬ ୱିକେଟ ହରାଇ ୧୬୮ ରନ କରିଥିଲା । ଏହାକୁ ପିଛା କରି ଇଂଲଣ୍ଡ ସହଜରେ ବିଜୟ ହାସଲ କରିଥିଲା । ଫଳରେ ଭାରତର ବିଶ୍ବକପ ସ୍ବପ୍ନ ସେମିଫାଇନାଲରେ ହିଁ ଭାଙ୍ଗିଯାଇଥିଲା । ୨ ବର୍ଷ ପରେ ଏଥର ଉଭୟ ଟିମ୍ ପୁଣି ଥରେ ସେମିଫାଇନାଲ ଖେଳୁଥିବାରୁ ମ୍ୟାଚ ବେଶ ରୋମାଞ୍ଚକର ହେବା ଆଶା କରାଯାଉଛି ।