ପାର୍କରେ ଯୁବତୀଙ୍କୁ ପିଛା କରି ମାଗୁଥିଲା ସୋସିଆଲ ମିଡ଼ିଆ ଆକାଉଣ୍ଟ ଓ ଫୋନ ନମ୍ବର

ଭୁବନେଶ୍ୱର : ସାଇନ୍ସପାର୍କରେ ରୋଡ଼ ରୋମିଓଙ୍କ ଉତ୍ପାତ । ପାର୍କରେ ଯୁବତୀଙ୍କୁ ପିଛା କରିବା ସହ ମାଗୁଥିଲା ସୋସିଆଲ ମିଡ଼ିଆ ଆକାଉଣ୍ଟ ଓ ଫୋନ ନମ୍ବର । ନମ୍ବର ନ ଦେବାରୁ ପିଛା କରି ଭଡା ଅଟୋ ଆଗରେ କାର ରଖି ଦେଉଥିଲେ ଧମକ  । ଏନେଇ ଅଭିଯୋଗପରେ ରୋଡ଼ ରୋମିଓ ମାନସ ନାୟକଙ୍କୁ ବାନ୍ଧିଲା ଚନ୍ଦ୍ରଶେଖରପୁର ଥାନା ପୋଲିସ । ପୋଲିସର ସୂଚନା ଅନୁସାରେ ଯୁବତୀ ଜଣକ ଭୁବନେଶ୍ବରର  ଏକ ନାମୀ ବିଶ୍ବବିଦ୍ୟାଳୟରେ ଫିଲ୍ମ ଆଣ୍ଡ ମିଡିଆ ବିଭାଗରେ ପାଠ ପଢନ୍ତି । ଗତ କାଲି  ଯୁବତୀ ଜଣକ ଦୁଇ ଜଣ ସାଙ୍ଗଙ୍କ  ସହିତ ମିଶି ଆଚାର୍ଯ୍ୟ ବିହାର ଠାରେ ଥିବା ସାଇନ୍ସପାର୍କ ବୁଲିବାକୁ ଯାଇଥିଲେ।Science Park, Bhubaneswar, Odisha – odishadairy

ଏହି ସମୟରେ ଅଭିଯୁକ୍ତ ଜଣକ ସେମାନଙ୍କର ପିଛା କରିବା ସହ ସେମାନଙ୍କୁ ସୋସିଆଲ ମିଡ଼ିଆ ଆଇଡି ଏବଂ ଠିକଣା ଦେବା ନିମନ୍ତେ ଚାପ ପକାଇଥିଲେ । 3 ଜଣ ଯୁବତୀ ଅଭିଯୁକ୍ତଙ୍କ କଥାକୁ ଅଣଦେଖା କରି ଭିତରେ ବୁଲାବୁଲି କରୁଥିବା ବେଳେ ପିଛା କରୁଥିଲେ । ପାର୍କରୁ ବାହାରି ଅଟୋରେ ରୁମକୁ ଯିବା ବେଳେ  ଅଭିଯୁକ୍ତ ମାନସ ଏକ କାର ଯୋଗେ ସେମାନଙ୍କର ପିଛା କରି ଅଟୋକୁ ଜୋର ଜବରଦସ୍ତ ଅଟକାଇଥିଲେ। ଅଭିଯୋଗକାରିଣୀ ଜଣକ ଭୟଭୀତ ହୋଇ ପୁଲିସକୁ ସୂଚନା ଦେଇଥିଲେ । ସୂଚନା ପାଇ ପିସିଆର ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି  ଅଭିଯୁକ୍ତଙ୍କ କବଳରୁ ଅଭିଯୋଗକାରିଣୀ ଏବଂ ତାଙ୍କର ଦୁଇ ସାଙ୍ଗକୁ ଉଦ୍ଧାର କରିଥିଲେ ।  ପରେ ଅଭିଯୋଗକାରିଣୀଙ୍କ ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରିବା ସହିତ ଅଭିଯୁକ୍ତ ମାନସ ନାୟକକୁ ଗିରଫ କରିଥିଲେ ।