ପୁଣି ଅଡ଼ୁଆରେ ଶ୍ରୀଲଙ୍କା ରାଷ୍ଟ୍ରପତି, ସରକାର ଉପରୁ ସମର୍ଥନ ପ୍ରତ୍ୟାହାର କଲେ ୩ ସାଂସଦ

କଲମ୍ବୋ: ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷଙ୍କୁ ପୁଣି ଝଟକା । ତାଙ୍କ ଉପରୁ ସମର୍ଥନ ପ୍ରତ୍ୟାହାର କରିଛନ୍ତି ୩ ଜଣ ସାଂସଦ । ୨୨୫ ସଦସ୍ୟ ବିଶିଷ୍ଟ ସଂସଦରେ ଗୋଟାବାୟାଙ୍କ ସମର୍ଥନରେ ଥିଲେ ୧୫୬ ସାଂସଦ । ଦୁଇ ସପ୍ତାହ ତଳେ ସେମାନଙ୍କ ମଧ୍ୟରୁ ୩୯ ସାଂସଦ ଗୋଟାବାୟାଙ୍କ ଉପରୁ ସମର୍ଥନ ପ୍ରତ୍ୟାହାର କରିଥିଲେ । ଏବେ ଶ୍ରୀଲଙ୍କା ମୁସଲିମ କାଉନସିଲର ୩ ଜଣ ସାଂସଦଙ୍କ ସମର୍ଥନ ପ୍ରତ୍ୟାହାର ସରକାରଙ୍କୁ ଅଧିକ ସଙ୍କଟକୁ ଟାଣି ନେଇଛି ।

ଏହି ୩ ଜଣ ସାଂସଦ ବିରୋଧୀ ଦଳ ସହ ହାତ ମିଳାଇଛନ୍ତି । ୨୦୨୦ରୁ ଏହି ସାଂସଦମାନେ ଗୋଟାବାୟାଙ୍କ ସମର୍ଥନରେ ଥିଲେ ଏବଂ ରାଷ୍ଟ୍ରପତିଙ୍କ ହାତରେ ନିରଙ୍କୁଶ କ୍ଷମତା ପ୍ରଦାନ ଲାଗି ହୋଇଥିବା ଭୋଟରେ ସେମାନେ ସମର୍ଥନ କରିଥିଲେ । ସେପଟେ ରାଜପକ୍ଷ ସରକାର ବିରୋଧରେ ଜାରି ରହିଥିବା ଆନ୍ଦୋଳନ ଥମିବାର ନାଁ ନେଉନି । ବିଭିନ୍ନ ସ୍ଥାନରେ ଅସନ୍ତୁଷ୍ଟ ଜନତା ବିକ୍ଷୋଭ ଜାରି ରଖିଛନ୍ତି । ଦରବୃଦ୍ଧି, ତୈଳ ସଙ୍କଟ, ଖାଦ୍ୟାଭାବ ଭିତରେ ଘୋର ଅସ୍ଥିରତା ବଳୟ ଭିତରକୁ ଚାଲିଗଲାଣି ଦେଶ । ସେପଟେ ପୋଲିସ ଗୁଳିରେ ଜଣଙ୍କର ମତ୍ୟୁ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷ । ରମ୍ବୁକାନ୍ନାରେ ହୋଇଥିବା ଗୁଳିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଆହତ ହୋଇଥିଲେ ।