ବିଜେପିର ଗୁଣ୍ଡାରାଜ: ନିଜ ଦଳର ମନ୍ତ୍ରୀଙ୍କ କାର୍ଯ୍ୟକ୍ରମ କରାଇ ଦେଲେନି

ସୋନପୁର: ସୁବର୍ଣ୍ଣପୁର ଜିଳ୍ଲାରେ ବିଜେପି କର୍ମୀଙ୍କ ଗୁଣ୍ଡାରାଜ । ଉଦଘାଟନୀ କାର୍ଡରେ ବିଜେପି ବିଧାୟକ ଓ ସାଂସଦଙ୍କ ନାଁ ନଥିବାରୁ ବିଜେପି ସମର୍ଥକଙ୍କ ହଙ୍ଗାମା । ନିଜ ଦଳର ମନ୍ତ୍ରୀ ଉଦଘାଟନ କରିବାର କାର୍ଯ୍ୟକ୍ରମ ଥିଲେ ବି କାର୍ଯ୍ୟକ୍ରମକୁ ଚଳାଇ ଦେଲେନି ବିଜେପି କର୍ମୀ । ଯାହା ବିଜେପିର ଗୋଷ୍ଠୀ କନ୍ଦଳକୁ ପଦାରେ ପକାଇଛି ।

ଖବର ଅନୁସାରେ, ଗତକାଲି କଳାପଥରରେ ହେବାକୁ ଥିବା ଓମଫେଡ଼ର ଦୁଗ୍ଧ ଉତ୍ପାଦନ କାରଖାନା ଉଦଘାଟନ ସମାରୋହକୁ ବିଜେପି ସମର୍ଥକ ବନ୍ଦ କରିଥିଲେ । ଏହି ସରକାରୀ କାର୍ଯ୍ୟକ୍ରମରେ ରାଜ୍ୟ ପଶୁ ସମ୍ପଦ ଓ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗ ଦେଇ ଉଦଘାଟନ କରିବାର କାର୍ଯ୍ୟକ୍ରମ ଥିଲା । ହେଲେ କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ବିଜେପି କର୍ମୀଙ୍କ ଗୁଣ୍ଡାଗର୍ଦ୍ଦି ଯୋଗୁଁ କାର୍ଯ୍ୟକ୍ରମକୁ ବାତିଲ କରିଥିଲା ଜିଲ୍ଲା ପ୍ରଶାସନ ।

କାରଣ ଉଦଘାଟନୀ କାର୍ଯ୍ୟକ୍ରମରେ ବିଧାୟକ ରଘୁନାଥ ଜଗଦଲା ଓ ବଲାଙ୍ଗୀର ସାଂସଦ ସଙ୍ଗୀତା ସିଂଦେଓଙ୍କ ନାଁ ନଥିବାରୁ ବିଜେପି ସମର୍ଥକମାନେ କ୍ଷୋଭ ପ୍ରକାଶ କରିବା ସହ କାର୍ଯ୍ୟକ୍ରମକୁ ବନ୍ଦ କରିବାକୁ ଦାବି କରି ହଙ୍ଗାମା କରିଥିଲେ ।

ସୋନପୁରର ବିଜେଡ଼ି ବିଧାୟକ ନିରଞ୍ଜନ ପୂଜାରୀଙ୍କ ନାଁ ଥିବାବେଳେ ରଘୁନାଥଙ୍କ ନାଁ କାହିଁକି ରଖାଇଯାଇ ନାହିଁ ବୋଲି ବିଜେପି କର୍ମୀ ପ୍ରଶ୍ନ କରିଥିଲେ ସେମାନେ । ନେତାଙ୍କ ନାଁକୁ ନେଇ ଏକ ସରକାରୀ କାର୍ଯ୍ୟକ୍ରମକୁ ବାତିଲ କରି ଦିଆଯିବା ଘଟଣା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି । ବିଜେପି କର୍ମୀଙ୍କ ଏତାଦୃଶ୍ୟ କାର୍ଯ୍ୟକୁ ବୁଦ୍ଧିଜୀବୀ ମହଲରେ ନାପସନ୍ଦ କରାଯାଇଛି ।