ଦୁଇ ପୁଅଙ୍କ ପାଳି କଳିରେ ବଳି ପଡ଼ିଲା ମାଆ, ଯୋଡ଼ା ମାସ ପଡ଼ିବାରୁ ଛିଣ୍ଡିଲାନି ଭାଗ

ଗଞ୍ଜାମ: ମାଆ ପାଇଁ ମରିଗଲା ମମତା । ମାସ ପୁରିଯିବାରୁ ଘରେ ରଖିଲାନି ପୁଅ । ମାସ ପୁରିବା ପରେ ମାଆକୁ କିଏ ରଖିବ । ଯୋଡ଼ା ଆଶ୍ୱିନ ଯୋଗୁ ଛିଣ୍ଡିଲାନି ଭାଗବଣ୍ଟା । ଆଉ ଏଥିପାଇଁ ଜନ୍ମ କଲା ମାଆକୁ  ଜୀବନର ଅପରାହ୍ନରେ ସାହା ହେଲେନି ପୁଅ । ଘରୁ ବାହାର କରିଦେବା ପରେ ରାସ୍ତାରେ ରାତି କାଟିଲେ ୮୦ ବର୍ଷୀୟ ବୃଦ୍ଧା । ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ତୁମ୍ବା ଗାଁରେ ।

ନିସ୍ତେଜ ଆଖି ନରମିଲା ସ୍ୱର । କଥା କହିବାକୁ ଜୁ ବି ନାହିଁ । ରାସ୍ତା ମଝିରେ ଅସହାୟ ଅବସ୍ଥାରେ ବସିଥିବା ଏହି ବୁଢ଼ୀମାଆଙ୍କ ବୟସ ୮୦ । ଭଗବାନଙ୍କୁ ପ୍ରାର୍ଥନା କରି ଚାରି ପୁଅଙ୍କୁ ପାଇଥିଲା ମାଆ । ଦିନେ ପୁଅଙ୍କୁ ମଣିଷ କରିବାକୁ ଏ ମାଆ ଭୋକରେ ରହୁଥିଲା । ନିଜ ପେଟରେ ଓଦାକନା ପକାଇ ପୁଅ ମାନଙ୍କ ପେଟ ଭରୁଥିଲା । ହେଲେ ଆଜି ପୁଅ ମାନେ ଛାଡ଼ି ଦେଇଛନ୍ତି ଭୋକିଲା । ମାସ ପୁରିଗଲା, ହେଲେ ପାଳି ଛିଣ୍ଡିଲାନି । ଯୋଡା ଆଶ୍ୱିନ ମାସ ପଡିଥିବାରୁ ଘରୁ କାଢ଼ି ଦେଲେ । ଫଳରେ ଉପାୟ ନପାଇ ରାସ୍ତାରେ ରାତି କାଟିଲେ ବୁଢ଼ୀ ମାଆ ।

ଚାରି ପୁଅ ମଧ୍ୟରୁ ଦୁଇ ପୁଅଙ୍କ ମୃତ୍ୟୁ ହୋଇଥିବା ବେଳେ, ଜୀବିତ ଦୁଇ ପୁଅ ପାଳି କରି ମାଆଙ୍କୁ ଖାଇବାକୁ ଦେଉଥିଲେ । ତେବେ ଚଳିତବର୍ଷ ଯୋଡ଼ା ଆଶ୍ୱିନ ପଡିଥିବାରୁ ପୁଅ ମାନଙ୍କ ମଧ୍ୟରେ ପାଳି ଛିଣ୍ଡିନଥିଲା । ଶେଷରେ ରାସ୍ତାକଡ଼ରେ ରାତି କଟାଇଥିଲେ ଅସହାୟ ବୃଦ୍ଧା ଜଣକ । ଘଟଣାର ଭିଡିଓ ଭାଇରାଲ ହେବା ପରେ ଜରଡା ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଦୁଇପୁଅଙ୍କୁ ବୁଝାସୁଝା କରିବା ପରେ ବୃଦ୍ଧାଙ୍କୁ ସାନପୁଅ ପାଖକୁ ନେଇଛି । ତେବେ ଘଟଣାକୁ ସବୁମଲରେ ନିନ୍ଦା କରାଯାଇଛି  । କାହିଁକି ମରିଯାଉଛି ମାଆ ପାଇଁ ମମତା । ଦିନେ ପୁଅଙ୍କୁ ଜନ୍ମ କରି ଗର୍ବିତ ହେଉଥିବା ମାଆ କେମିତି ହେଉଛି ନିର୍ଯାତିତା । ଏହାକଣ ନୁହେଁ କି ଅବକ୍ଷୟମୁଖୀ ସାମାଜିକ ଚରିତ୍ର ।

Leave a Reply