ଜଳୁଛି ମଣିପୁର , ଇଣ୍ଟରନେଟ ସେବା ବନ୍ଦ, ସ୍ଥାନୀୟ ଅଞ୍ଚଳରେ ୧୪୪ ଧାରା ଲାଗୁ..

1 min read

ବ୍ୟୁରୋ : ଜଳୁଛି ମଣିପୁର । ଇଣ୍ଟରନେଟ ସେବା ବନ୍ଦ ସହ ୧୪୪ ଧାରା ଲାଗୁ ହେଲା। ସ୍ଥାନୀୟ ଅଂଚଳରେ ପୋଡା ଜଳା ପାଇଁ ବାତିଲ ହେଲା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଉତ୍ତ୍ୟକ୍ତ ଲୋକେ ଭେନ୍ୟୁରେ ନିଆଁ ଲଗାଇ ଦେଇଥିବାରୁ ସ୍ଥାନୀୟ ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯାଇଛି। ଏହାସହ ଅଧିକ ଜନସମାଗମ ମଧ୍ୟ ନକରିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି ।

 

ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂ ଚୁରାଚାନ୍ଦପୁର ଜିଲ୍ଲାର ନ୍ୟୁ ଲମକାରେ ଜିମ-କମ୍-ସ୍ପୋଟସ ଫାସିଲିଟି ସେଣ୍ଟର ଉଦଘାଟନ କରିବା କାର୍ଯ୍ୟକ୍ରମ ରହିଥିଲା । ମାତ୍ର ମୁଖ୍ୟମନ୍ତ୍ରୀ ପହଞ୍ଚିବା ପୂର୍ବରୁ ଜିମରେ ସ୍ଥାନୀୟ ଆଦିବାସୀ ନିଆଁ ଲଗାଇଦେଇଥିବା ଜଣାପଡ଼ିଛି । ଆଦିବାସୀ ଓ ଚାଷୀଙ୍କ ସଂରକ୍ଷିତ ବନାଞ୍ଚଳକୁ ଖାଲି କରିବାକୁ ଚାଲିଥିବା ଜବରଦଖଲ ଉଚ୍ଛେଦ ଅଭିଯାନରେ ରୋକ ପାଇଁ ବାରମ୍ବାର ଦାବି ସତ୍ତ୍ବେ ସରକାର ଏ ଦିଗରେ ଗୁରୁତ୍ବ ଦେଉ ନଥିବା ଅଭିଯୋଗ ହୋଇଛି । ଏହାସହ ଅନେକ ସ୍ଥାନରେ ଚର୍ଚ୍ଚଗୁଡ଼ିକ ଭାଙ୍ଗି ଦିଆଯାଉ ଥିବାରୁ ସରକାରଙ୍କ ଉପରେ ଜନଜାତିଙ୍କର ଅସନ୍ତୋଷ ରହିଥିଲା । ସକାଳ ୮ଟାରୁ ସନ୍ଧ୍ୟା ୪ଟା ଯାଏଁ ବନ୍ଦ ଡାକରା ଦେଇଥିଲା ଜନଜାତି ବିକାଶ ମଞ୍ଚ । ଆଦିବାସୀଙ୍କ ପ୍ରତି ସରକାରଙ୍କ ବୈମାତୃକ ମନୋଭାବକୁ ବିରୋଧକରି ଦିଆଯାଇଥିବା ବନ୍ଦ ଡାକରାକୁ କୁକି ଛାତ୍ର ସଂଗଠନ ମଧ୍ୟ ସମର୍ଥନ ଦେଇଥିଲା । ଚଳିତ ମାସ ଆରମ୍ଭରୁ ମଣିପୁର ସରକାରଙ୍କ ପକ୍ଷରୁ ତିନିଟି ଚର୍ଚ୍ଚକୁ ବେଆଇନ ନିର୍ମାଣ ଦର୍ଶାଇ ଭାଙ୍ଗି ଦିଆଯାଇଥିଲା । ଲୋକଙ୍କ ମଧ୍ୟରେ ଏ ନେଇ ଦୀର୍ଘଦିନ ଧରି ସରକାରଙ୍କ ବିରୋଧରେ ଅସନ୍ତୋଷ କୁହୁଳୁଥିବା ବେଳେ ଉଗ୍ର ରୂପ ଧାରଣ କରିଛନ୍ତି ମଣିପୁର ବାସିନ୍ଦା।..